ଆଇପିଏଲ୍‌ ଶତକ: କେକେଆର୍‌ ପାଇଁ ଶୁଭାରମ୍ଭ ପରେ ମରୁଡ଼ି

ଭୁବନେଶ୍ବର : ୨୦୦୮ ମସିହାରୁ ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍ (ଆଇପିଏଲ୍) ଆରମ୍ଭ ହେବା ଦିନଠାରୁ ୧୩ ବ‌ର୍ଷର ଯାତ୍ରା ଭିତରେ ଖେଳାଳି କ୍ରମେ ଦୃଢ଼, ଫିଟ୍‌ ‌ହୋଇଛନ୍ତି, ପଡିଆ ଛୋଟ ହୋଇଯାଇଛି, ବ୍ୟାଟ୍‌ ପତଳା ପାଲଟିଛି, କିନ୍ତୁ ବାଉଣ୍ଡରି ସଂଖ୍ୟା କ୍ରମେ ବଢ଼ି ବଢ଼ି ଚାଲିଛି। ଏହ‌ାର ଅର୍ଥ ଶତକ ସଂଖ୍ୟା ମଧ୍ୟ ବଢ଼ିଛି।‌ ପୂର୍ବ ୧୩ ସଂସ୍କରଣରେ ମୋଟ ୬୩ ଶତକ ସ୍କୋର୍‌ ହୋଇଛି। କିନ୍ତୁ କିଛି ଦଳ ପାଇଁ ଏହା ବଢ଼ିଥିବା ବେଳେ ଅନ୍ୟ କିଛି ଦଳ ମରୁଡି ଭିତରେ ରହିଛନ୍ତି। ବିଶେଷ କରି ଆଇପିଏଲ୍‌ ଇତିହାସରେ ବିସ୍ଫୋରକ ଶତକରୁ କୋଲକାତା ନାଇଟ୍ ରାଇଡର୍ସ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତୀ ୧୨ଟି ସଂସ୍କରଣରୁ ଗୋଟିଏ ବି ଶତକ ମାରିପାରିନାହିଁ। ବିଭିନ୍ନ ଦଳର ଶେଷ ଶତକ ଉପରେ ଆସନ୍ତୁ ନଜର ପକାଇନେବା।

ରାଜସ୍ଥାନ ରୟାଲ୍ସ: ଇଂଲଣ୍ଡ ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ଶେଷ ଖେଳାଳି ଭାବେ ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୦୭* ରନ୍‌ କରିଥିଲେ। ଏହା ପୂର୍ବରୁ ତତ୍‌କାଳୀନ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୦୧୯ରେ ଏକ ଶତକ ହାସଲ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ: ୨୦୨୦ ସଂସ୍କରଣରେ ଶିଖର ଧାୱନ ଚମତ୍କାର ଫର୍ମରେ ଥିଲେ। ଚେନ୍ନାଇ ଓ ପଞ୍ଜାବ ବିପକ୍ଷରେ ଲଗାତାର ଅପରାଜିତ ଶତକ (୧୦୧* ଓ ୧୦୬*) ଅର୍ଜନ କରିଥିଲେ। ଏହି ଦଳ ପାଇଁ ବହୁ ଖେଳାଳି ମଧ୍ୟ ଶତକ ହାସଲ କରିଛନ୍ତି।

ପଞ୍ଜାବ କିଙ୍ଗ୍ସ: ଗତବର୍ଷ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଜବରଦସ୍ତ ଫର୍ମରେ ଥିଲେ। ଉଭୟେ ଗତବର୍ଷ ମଧ୍ୟ ଗୋଟିଏ ଲେଖାଏଁ ଶତକ ଜମାଇଥିଲେ। ରାହୁଲ ବାଙ୍ଗାଲୋର୍‌ ବିପକ୍ଷରେ ୧୩୨* ଏବଂ ଅଗ୍ରୱାଲ୍‌ ରାଜସ୍ଥାନ ବିପକ୍ଷରେ ୧୦୬ ରନ୍ କରିଥିଲେ।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ଗତବର୍ଷ ଏହି ଦଳ ପାଇଁ କେହି ଶତକ ହାସଲ କରିପାରିନଥିଲେ। ଶେଷ ଥର ପାଇଁ ୨୦୧୯ରେ ବିରାଟ କୋହଲି ଇଡେନ୍ ଗାର୍ଡେନ୍ସରେ କେକେଆର୍‌ ବିପକ୍ଷରେ ଶତକ ହାସଲ କରିଥିଲେ।

ସନ୍‌ରାଇଜର୍ସ ହାଇଦ୍ରାବାଦ: ଏହି ଦଳ ଅଧିକାଂଶ ଭାବେ ‌ଡେଭିଡ୍‌ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଉପରେ ନିର୍ଭର କରିଥାଏ। ଶେଷ ଥର ପାଇଁ ୨୦୧୯ରେ ଆର୍‌ସିବି ବିପକ୍ଷରେ ଏହି ଦୁହେଁ ଗୋଟିଏ ମ୍ୟାଚ୍‌ରେ ଶତକ ଜମାଇଥିଲେ।

ଚେନ୍ନାଇ ସୁପର୍‌ କିଙ୍ଗ୍ସ: ଶେଷ ଥର ପାଇଁ ଏହି ୩ ଥର ବିଜେତା ଦଳ ଲାଗି ୨୦୧୮ରେ ଦୁଇଟି ଶତକ ହାସଲ କରିଥିଲେ। ‌ସେହିବର୍ଷ ଅମ୍ବାତି ରାୟୁଡୁ ମଧ୍ୟ ଗୋଟିଏ ଶତକ ହାସଲ କରିଥିଲେ। ଏ ବର୍ଷ ଦଳ ପାଇଁ ‌କେହି ଶତକ ଜମାଉ ବୋଲି ସିଏସ୍‌କେ ଆଶା ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସ: ଏହି ଦଳ ପାଇଁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ୨୦୧୪ ମସିହା ପରଠାରୁ କେହି ଶତକ ମାରିନାହାନ୍ତି। ସେହ‌ିବର୍ଷ ଲେଣ୍ଡଲ୍ ସିମନ୍ସ ପଞ୍ଜାବ ବିପକ୍ଷରେ ୬୧ ବଲ୍‌ରୁ ୧୦୦* ରନ୍ କରିଥିଲେ।

କୋଲକାତା ନାଇଟ୍ ରାଇଡର୍ସ: ଏହି ଦଳ ପାଇଁ ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଆଇପିଏଲ୍‌ର ସର୍ବପ୍ରଥମ ମ୍ୟାଚ୍‌ରୁ ଶତକ ପାଇଥିଲେ ମଧ୍ୟ ଏହା ପ୍ରଥମ ଓ ଶେଷ ହୋଇ ରହିଛି। ଆର୍‌ସିବି ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ ଖେଳାଳି ବ୍ରେଣ୍ଡନ୍ ମ୍ୟାକଲମ୍‌ ୧୫୮* ରନ୍‌ (୭୩ ବଲ୍‌) ଯେଉଁ ବି‌ସ୍ଫୋରକ ଆରମ୍ଭ କରିଥିଲେ ତାହାକୁ ଅନ୍ୟ କେହି ଅନୁସରଣ କରିପାରିନାହାନ୍ତି। କେକେଆର୍‌ କିନ୍ତୁ ଦୁଇ ଥର ବିଜେତା ହୋଇପାରିଛି।

ସମ୍ବନ୍ଧିତ ଖବର