କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୩୩ତମ ମ୍ୟାଚ୍ରେ ରବିବାର କୋଲକାତା ନାଇଟ୍ ରାଇଡର୍ସକୁ ୪୯ ରନ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଦ୍ବିତୀୟ ପାଳିରେ କୋଲକାତା ୨୩୬ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ କେବଳ୧୮୬ ରନ୍ କରିବାରେ ସକ୍ଷମ ହୋଇଛି। କୋଲକାତା ପକ୍ଷରୁ ରିଙ୍କୁ ସିଂ ୫୩ ରନ୍ କରିଥିବା ବେଳ ନିତୀଶ ରାଣା ୨୭ ରନ୍, ଭେଙ୍କଟେଶ ଆୟର ୨୦ ରନ୍ କରିଥିଲେ । ଜସନ୍ ରୟ ଦମ୍ଦାର ୨୬ ବଲରେ ୬୧ ରନ୍ର ପାଳି ଖେଳିଥିଲେ ମଧ୍ୟ କୋଳକାତାକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।
ଅନ୍ୟପଟେ ଚେନ୍ନାଇ ପକ୍ଷରୁ କିନ୍ତୁ ଦମ୍ଦାର ବ୍ୟାଟିଂ ସହ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ତୁଷାର ଦେଶପାଣ୍ଡେ, ମହେଶ ତିକ୍ଶାନା ୨-୨ଟି ୱିକେଟ ନେଇଥିବା ବେଳେ ମାଥେଶା ପାଥିରାନା, ରବୀନ୍ଦ୍ର ଜାଡେଜା, ମୋଇନ୍ ଅଲି ଓ ଆକାଶ ସିଂ ୧-୧ ୱିକେଟ ନେଇଥିଲେ । ଏହି ମ୍ୟାଚରେ ବିଜୟ ସହ ଚେନ୍ନାଇ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ପ୍ରଥମ ସ୍ଥାନରେ ରହିଛି ।
ପ୍ରଥମ ପାଳିରେ କୋଲକାତା ଟିମ୍ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ନିଜର ୩ ଜଣ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ୪ଟି ୱିକେଟ୍ ହରାଇ ୨୩୫ ରନ୍ କରିଥିଲା।ଚେନ୍ନାଇର ସମସ୍ତ ବ୍ୟାଟର ପ୍ରଶଂସନୀୟ ବ୍ୟାଟିଂ କରିଥିଲେ। ଦଳର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକୱାଡ ଓ ଡ୍ବେନ୍ କନୱେ ୭୩ ରନ୍ର ଭାଗିଦାରୀ ହୋଇପାରିଥିଲେ। ଋତୁରାଜ ୨୦ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୩୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଚେନ୍ନାଇର ମଜବୁତ ସ୍କୋରରେ ଆଜିଙ୍କ୍ୟ ରାହାଣେଙ୍କ ବଡ଼ ଯୋଗଦାନ ରହିଥିଲା। ସେ ୨୯ଟି ବଲ୍ ଖେଳି ୬ଟି ଚୌକା ଓ ୫ଟି ଛକା ବଳରେ ଅପରାଜିତ ୭୧ ରନ୍ କରିଥିଲେ। କନ୍ୱେଙ୍କ ସହିତ ଆଜିଙ୍କ୍ୟ ରାହାଣେ ୩୬ ରନ୍ର ଭାଗିଦାରୀ ହୋଇଥିଲେ। କନ୍ୱେ ବ୍ୟକ୍ତିଗତ ଭାବେ ୫୬ ରନ୍ ସଂଗ୍ରହ କରିଥିଲେ। ସେ ୪୦ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ।
ସେହିପରି ରାହାଣେ ଓ ଶିଭମ ଦୁବେଙ୍କ ସହିତ ୮୫ ରନ୍ର ଭାଗିଦାରୀ ହୋଇପାରିଥିଲେ। ଶିଭମ ଦୁବେ ୨୧ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିରେ ସେ ୨ଟି ଚୌକା ଓ ୫ଟି ଛକା ସାମିଲ କରିପାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ୧୮ ରନ୍ ଅମଳ ହୋଇଥିଲା। ମହେନ୍ଦ୍ର ସିଂହ ଧୋନୀ ଶେଷ ସମୟରେ ଆସିଥିବାରୁ ୩ଟି ବଲ୍ ଖେଳିବାର ସୁଯୋଗ ପାଇଥିଲେ। ଏଥିରୁ ସେ ୨ ରନ୍ ସଂଗ୍ରହ କରିଥିଲେ।