ଭୁବନେଶ୍ବର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ୧୫ ବର୍ଷ ପୂରିଛି। ୨୦୦୮ ମସିହା ଏପ୍ରିଲ୍‌ ୧୮ ତାରିଖରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମଧ୍ୟରେ ଉଦ୍‌ଘାଟନୀ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ କେକେଆର୍‌ର ବ୍ରେଣ୍ଡନ ମ୍ୟାକଲମ୍‌ଙ୍କ ବ୍ୟାଟ୍‌ରୁ ବାହାରିଥିବା ୧୫୮* ରନ୍‌ ଆଇପିଏଲ୍‌ର ଗ୍ରାଣ୍ଡ ଏଣ୍ଟ୍ରିକୁ ଦର୍ଶାଇଥିଲା। ଏହାପରଠୁ ଆଇପିଏଲ୍‌ ଅନବରତ ଭାବେ ଦର୍ଶକଙ୍କ ମନୋରଂଜନ କରିଆସୁଛି। ଏହାରି ମଧ୍ୟରେ ଡେକାନ ଚାର୍ଜର୍ସ, ରାଇଜିଂ ପୁନେ ସୁପରଜାଏଣ୍ଟସ, କୋଚି ଟସ୍କର୍ସ କେରଳ, ପୁନେ ୱାରିଅର୍ସ ଇଣ୍ଡିଆ, ଗୁଜରାଟ ଲାୟନ୍ସ ଭଳି ଦଳ ଆଇପିଏଲ୍‌ରୁ ଓହରିସାରିଲେଣି। ଏପରିକି ଦିଲ୍ଲୀ ଡେୟାରଡେଭିଲ୍‌ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ସେମାନଙ୍କର ନାମକୁ ପରିବର୍ତ୍ତନ କରି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ କରିସାରିଛନ୍ତି। କିନ୍ତୁ ଦିନକୁ ଦିନ ଆଇପିଏଲ୍‌ର ରୋମାଞ୍ଚ ବଢିବାରେ ଲାଗିଛି। ଆଇପିଏଲ୍‌କୁ ବିସିସିଆଇର ପୂର୍ବତନ ଉପସଭାପତି ଲଳିତ ମୋଦିଙ୍କ ମାନସ ସନ୍ତାନ ମଧ୍ୟ କୁହାଯାଇପାରେ।

Advertisment

ଆଇପିଏଲ୍‌ର ଅୟମାରମ୍ଭ ଯୋଗୁଁ ଭାରତୀୟ କ୍ରିକେଟ୍‌ ମଧ୍ୟ ଅନେକ ନୂଆ ତାରକାଙ୍କୁ ପାଇଛି। ଯଶପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ‌ଚହଲ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଏକାଧିକ କ୍ରିକେଟର ଏବେ ଭାରତୀୟ କ୍ରିକେଟ୍‌ ଦଳର ପରିଚୟ ପାଲଟିଯାଇଛନ୍ତି। ଏହି ଫଟାଫଟ୍‌ ରୋମାଞ୍ଚ ଭିତରେ ଅନେକ ନୂଆ କୀର୍ତ୍ତିମାନ ମଧ୍ୟ ସୃଷ୍ଟି ହୋଇଛି। ‌କ୍ରିସ୍‌ ଗେଲ୍‌ଙ୍କ ୧୭୫ ରନ୍‌ର ବିସ୍ଫୋରକ ପାଳି ହେଉ କିମ୍ବା ଅମିତ ମିଶ୍ରାଙ୍କ ତିନିଟି ହ୍ୟାଟ୍ରିକ୍‌ ୱିକେଟ୍‌, ସବୁକିଛି ଏବେ ସ୍ମରଣୀୟ ହୋଇଯାଇଛି। ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିବା ସହ ଏକମାତ୍ର ଖେଳାଳି ଭାବେ ଏପରି ମାଇଲ୍‌ଖୁଣ୍ଟ ପାର୍‌ କରିଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ଏକମାତ୍ର ଖେଳାଳି ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ବଦଳ କରିନାହାନ୍ତି। ଆଇପିଏଲ୍‌ର ଏହି ୧୫ ବର୍ଷର ଯାତ୍ରାରେ ମାତ୍ର ୧୧ ଜଣ ଖେଳାଳି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଆସୁଛନ୍ତି। ଧୋନି, କୋହଲିଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ, ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜା, ଶିଖର ଧାୱନ, ପୀୟୂଷ ଚାୱଲା, ମନୀଷ ପାଣ୍ଡେ, ଆଜିଙ୍କ୍ୟ ରାହାଣେ, ଅମିତ ମିଶ୍ରା, ରିଦ୍ଧିମାନ ଶାହା ପ୍ରଥମ ସଂସ୍କରଣରୁ ଏପର୍ଯ୍ୟନ୍ତ ଖେଳୁଛନ୍ତି। ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ବିଜେତା ହେବା ପରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଓ ‌ଚେନ୍ନାଇ ସୁପରକିଙ୍ଗ୍ସ ୪ ଥର ବିଜେତା ହୋଇ ସମସ୍ତଙ୍କଠୁ ଆଗରେ ଅଛନ୍ତି।