ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେବେ। ଏଥିସହ ୱାଙ୍ଖ୍ଡେରେ ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ବିପକ୍ଷ ଏହି ମ୍ୟାଚ୍ ଖେଳିବାକୁ ଉପଲବ୍ଧ ମଧ୍ୟ ହେବେ। ରବିବାର ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସାମାଜିକ ଗଣମାଧ୍ୟମରେ ଏକ ଇଲେକ୍ଟ୍ରିଫାଇଙ୍ଗ୍ ଭିଡିଓ ପୋଷ୍ଟ୍ କରି ଏହି ବିଷୟରେ ସ୍ପଷ୍ଟ କରିଛି। ଏହାର ଶିରୋନାମରେ ଲେଖିଛି, ‘ଗର୍ଜନ କରିବାକୁ ପ୍ରସ୍ତୁତ’।
ବିସିସିଆଇ ଉତ୍କର୍ଷ କେନ୍ଦ୍ର ପକ୍ଷରୁ ତାଙ୍କୁ ଏଥିଲାଗି ସବୁଜ ସଙ୍କେତ ମିଳିବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି। ରବିବାର ନେଟ୍ସରେ ମଧ୍ୟ ସେ ବୋଲିଂ କରିଥିବା ଜଣାପଡ଼ିଛି। ଆହତ ଯୋଗୁଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଖେଳି ନଥିବା ମୁମ୍ବାଇ ଇଣ୍ଡିଆନ୍ସ ଓପନର୍ ରୋହିତ ଶର୍ମା ଆର୍ସିବି ବିପକ୍ଷରେ ଉବଲବ୍ଧ ହେବେ। ରବିବାର ସେ ମଧ୍ୟ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରି ନିଜକୁ ପ୍ରମାଣିତ କରଇଛନ୍ତି।