ଚେନ୍ନାଇର ଚେପକସ୍ଥିତ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଧୋନିଙ୍କ ପିତା ପାନ୍ ସିଂହ, ମା’ ଦେବକୀ ଦେବୀ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମ୍ୟାଚ୍‌ର ମଜା ନେଇଥିଲେ। ‌ପାଖରେ ପତ୍ନୀ ସାକ୍ଷୀ ଧୋନି ଏବଂ ଝିଅ ଜିଭା ମଧ୍ୟ ବସିଥିଲେ। ଧୋନିଙ୍କ ମାତା-ପିତା ପୁଅର ମ୍ୟାଚ୍ ଦେଖିବାକୁ ସାଧାରଣତଃ ଷ୍ଟାଡିୟମ୍‌କୁ ଆସନ୍ତି ନାହିଁ। ସେମାନଙ୍କ ସହ ସାକ୍ଷୀ ଓ ଜିଭା ରହିବା ସାମାଜିକ ଗଣମାଧ୍ୟମରେ ଧୋନିଙ୍କ ଆଇପିଏଲ୍ ଅବସର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ଏମିତି କୌଣସି ନିଷ୍ପତ୍ତି ନନେବାକୁ କିନ୍ତୁ ଧୋନିପ୍ରେମୀ ତାଙ୍କୁ ଅନୁରୋଧ କରିଥିଲେ।

Advertisment

ସେପଟେ ଋତୁରାଜ ଗାଏକ୍ବାଡ୍ ସାମାନ୍ୟ ଆହତ ହୋଇଥିବାରୁ ଧୋନି ଶନିବାର ଶେଷ ଥର ପାଇଁ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ  ବୋଲି ଅନେକ କ୍ରିକେଟ୍‌ପ୍ରେମୀ ଆକଳନ କରିଥିଲେ। ତେବେ ଗାଏକ୍ବାଡ୍ ଠିକଣା ସମୟରେ ସୁସ୍ଥ ହେବା ସହ ଧୋନି ନିଜ ଭବିଷ୍ୟତ ବିଷୟରେ କୌଣସି ବିତର୍କିତ ନିଷ୍ପତ୍ତି ନେଇନଥିଲେ। ଧୋନିଙ୍କ ପୂରା ପରିବାରର ଉପସ୍ଥିତି ସତ୍ତ୍ବେ ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ ଏହି ମ୍ୟାଚ୍‌କୁ ୨୫ ରନ୍‌ରେ ହାରି ଯାଇଥିଲା। ବ୍ୟକ୍ତିଗତ ଭାବେ ଧୋନି ୨୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା, ଚୌକା ବଳରେ ୩୦* ରନ୍ କରିଥିଲେ।