କ୍ରିକେଟ୍ ପ୍ରତି ‘ଦି ୱାଲ୍’ ରାହୁଲ ଦ୍ରାବିଡ଼ଙ୍କ ଅତୁଳନୀୟ ପ୍ରତିବଦ୍ଧତାର ବଳିଷ୍ଠ ନମୁନା ରବିବାରର ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ରେ ଦେଖିବାକୁ ମିଳିଛି। ଏକ କ୍ଲବ୍ ମ୍ୟାଚ୍ ଅବସରରେ ଗୁରୁତର ଆଘାତ ଲାଗି ତାଙ୍କ ବାମ ଗୋଡ଼ ପ୍ଲାଷ୍ଟର୍ ହୋଇଥିଲେ ମଧ୍ୟ ଇଲେକ୍ଟ୍ରିକ୍ ଚେୟାର୍ରେ ବସି ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍ ପିଚ୍ ନିରୀକ୍ଷଣ କରିଥିଲେ ସେ। ପରେ ଆଶାବାଡ଼ି ଧରି ଛୋଟେଇ ଛୋଟେଇ ପଡ଼ିଆ ଭିତରକୁ ଯାଇ ରାଜସ୍ଥାନ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ଼ଙ୍କ ଏହି ମହାନତାର ସମ୍ମାନ ରାଜସ୍ଥାନ ଖେଳାଳିମାନେ ବି ରଖିଥିଲେ।
ଚେନ୍ନାଇକୁ ରୋମାଞ୍ଚକ ଭାବେ ୬ ରନ୍ରେ ହରାଇ ଦ୍ରାବିଡ଼ଙ୍କୁ ଗୁରୁ ଦକ୍ଷିଣା ଦେଇଥିଲେ। ମ୍ୟାଚ୍ ପରେ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ତାଙ୍କ ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦ୍ରାବିଡ଼ ହ୍ବିଲ୍ଚେୟାରରେ ବସି ପିଚ୍ ନିରୀକ୍ଷଣ କରିବା ଏବଂ ଆଶାବାଡ଼ି ଧରି ପଡ଼ିଆ ଭିତରେ ନିଜ ଖେଳାଳିଙ୍କ ମାର୍ଗଦର୍ଶନ କରୁଥିବାର ଫଟୋ ପଦାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଅନେକ ତାଙ୍କୁ କ୍ରିକେଟ୍ ଦୁନିଆର ସବୁଠାରୁ ପରିଶ୍ରମୀ, ନିସ୍ବାର୍ଥପର ଓ ନିଷ୍ଠାବାନ ସୈନିକର ଆଖ୍ୟା ଦେଇଛନ୍ତି।