ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଦିଲ୍ଲୀ କ୍ୟପିଟାଲ୍ସ ସୋମବାର ରୋମାଞ୍ଚଭରା ବିଜୟ ହାସଲ କରିଥିଲା। ଦିଲ୍ଲୀ ୨୧୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଉନ୍ନବିଂଶ ଓଭରରେ ଏହି ଦଳର ସ୍ପିନର୍ କୁଲଦୀପ ୟାଦବ ଏକ ଚତୁର ଚୌକା ମାରି ଉପଯୋଗୀ ଅବଦାନ ଛାଡ଼ିଥିଲେ। ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ବ୍ୟକ୍ତିଗତ ଭାବେ ସେ ୫ ବଲ୍ରୁ ୫ ରନ୍ କରିଥିଲେ। ଆଶୁତୋଷ ଶର୍ମାଙ୍କ ସହ ମିଶି ନବମ ୱିକେଟ୍ରେ ବହୁମୂଲ୍ୟ ୨୧ ରନ୍ ଯୋଡ଼ି ଦିଲ୍ଲୀ ପଶ୍ଚାତ୍ଧାବନକୁ ଜୀବନ୍ତ ରଖିଥିଲେ। ଆଶୁତୋଷଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଦିଲ୍ଲୀ ଶେଷରେ ୧ ୱିକେଟ୍ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା।
ମ୍ୟାଚ୍ ପରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କୁଲଦୀପଙ୍କୁ ତାଙ୍କ ନିଜ ଦଳର ଅଧିନାୟକ ଅକ୍ଷର ପଟେଲ ଓ ପ୍ରତିପକ୍ଷ ଅଧିନାୟକ ଋଷଭ ପନ୍ତ ଉକ୍ତ ଭାଗ୍ୟଶାଳୀ ଚୌକା କଥା ମନେ ପକାଇ ଦେଇଥିଲେ। ତାଙ୍କୁ କଟାକ୍ଷ କରି କହିଥିଲେ, ସିଙ୍ଗଲ ନେଉଥିଲେ, ଚୌକା ମିଳିଗଲା। କୁଲଦୀପ କିନ୍ତୁ ଏହାକୁ ମାନି ନଥିଲେ। ଏଭଳି ଟାହି ଟାପରାର ସାହସିକ ଜବାବ ରଖି ସେ କହିଥିଲେ ଯେ ମୋ କାମ ଥିଲା ସିଙ୍ଗଲ ନେବା, ହେଲେ ବୋଲର ଏକ ଦୁର୍ବଳ ବଲ୍ ପକାଇଥିଲେ। ଏଣୁ ମୁଁ ଏହାକୁ ସୀମାରେଖା ବାହାରକୁ ପଠାଇ ଦେଇଥିଲି। ଏହା ଶୁଣି ତିନିଜଣ ଯାକ ଏକାଠି ଖୁବ୍ ଜୋରରେ ହସିବାକୁ ଲାଗିଥିଲେ।