ରବିବାର ରାତିରେ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଆଇପିଏଲ୍ର ଏଲ୍ କ୍ଲାସିକୋ ଭାବେ ପରିଚିତ ଚେନ୍ନାଇ ସୁପର୍ କିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ବେଳେ ଷ୍ଟାଡିୟମ୍ ହଳଦିଆ ରଙ୍ଗରେ ରଙ୍ଗାୟିତ ରହିଥିଲା। ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଏହା ଚଳିତ ଋତୁର ପ୍ରଥମ ମ୍ୟାଚ୍ ହୋଇଥିବାରୁ ଏକ ଛୋଟକାଟିଆ ଉଦ୍ଘାଟନୀ ଉତ୍ସବ ବି ଅନୁଷ୍ଠିତ ହୋଇଥିଲା। ଈଶା ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଦ୍ଗୁରୁ ଜାଗି ବାସୁଦେବଙ୍କ ଉପସ୍ଥିତି ପ୍ରଶଂସକଙ୍କ ପାଇଁ ବି ନିଆରା ପରିବେଶ ଆଣି ଦେଇଥିଲା। ସଦ୍ଗୁରୁ ତାଙ୍କ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ଯୋଗା ଅନୁଦେଷ୍ଟା କନ୍ୟା ରାଧେ ଜାଗିଙ୍କ ସହ ବସିଥିଲେ। ଚେପକ୍ରେ କିନ୍ତୁ ଗୀତିକାର ଅନିରୁଦ୍ଧ ରବିଚନ୍ଦର ତାଙ୍କ ସ୍ବରରେ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ମ୍ୟାଚ୍ ଅବସରରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଦୀପକ ଚହରଙ୍କ ପତ୍ନୀ ଜୟା ଏବଂ ସୂର୍ଯ୍ୟକୁମାର ୟାଦବଙ୍କ ପତ୍ନୀ ଦେବୀକା ସେଟ୍ଟୀ ମଧ୍ୟ ଷ୍ଟାଣ୍ଡ୍ରୁ ମ୍ୟାଚ୍ର ମଜା ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣି ନୀତା ଅମ୍ବାନି ଓ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନି ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ସହ କିଛି ସମୟ ବିତାଇବାର ଫଟୋ ଭାଇରାଲ୍ ହୋଇଛି।
ବର୍ଣ୍ଣ ବିବାଦରେ ଭଜି
ପୂର୍ବତନ ଭାରତୀୟ ଅଫ୍ସ୍ପିନର୍ ହରଭଜନ ସିଂହ ଏବେ ବର୍ଣ୍ଣବୈଷମ୍ୟ ବିବାଦରେ ପଡ଼ିଛନ୍ତି। ରବିବାର ଉପଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ବେଳେ ଜୋଫ୍ରା ଆର୍ଚରଙ୍କ ପ୍ରତି ଭଜି ‘କଳା ଟ୍ୟାକ୍ସି’ କହିବାରୁ ଏହି ବିବାଦର ସୂତ୍ରପାତ ହୋଇଛି। ପ୍ରଥମ ପାଳିରେ ରାଜସ୍ଥାନ ରୟାଲ୍ସର ଇଂଲିସ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଈଶାନ କିଶନ ଓ ହେନରିକ୍ କ୍ଲାସେଁ ଧୂଲେଇ କରିଥିଲେ। ୧୮ତମ ଓଭରରେ କ୍ଲାସେଁ ତାଙ୍କୁ ଲଗାତାର ଚୌକା ମାରିବା ବେଳେ ହରଭଜନ ଉଲ୍ଲସିତ ହୋଇ କହିଥିଲେ ‘ଲଣ୍ଡନ୍ ମେ କାଲି ଟ୍ୟାକ୍ସି କା ମିଟର୍ ତେଜ୍ ଭାଗ୍ତା ହୈ, ଔର୍ ୟାହାଁ ପେ ଆର୍ଚର ସାହାବ କା ମିଟର୍ ଭି ତେଜ୍ ଭାଗା ହୈ’। ଏହାକୁ ପ୍ରଶଂସକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଦର୍ଶାଇଛନ୍ତି ଏବଂ ସୋସିଆଲ୍ ମିଡିଆରେ ହରଭଜନଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ ବିସିସିଆଇ ତାଙ୍କୁ ଭାଷ୍ୟକାର ପ୍ୟାନେଲ୍ରୁ ବାଦ୍ ଦେଉ ବୋଲି ଦାବି କରିଛନ୍ତି। ସୂଚନାଯୋଗ୍ୟ, ଆର୍ଚର ଏହି ମ୍ୟାଚ୍ରେ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା (୪-୦-୭୬-୦) ବୋଲିଂ ଚିତ୍ର ପାଇଥିବା ବେଳେ ହାଇଦ୍ରାବାଦ ୨୮୬ ରନ୍ର ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍ କରି ମ୍ୟାଚ୍କୁ ୪୪ ରନ୍ରେ ଜିତିନେଇଥିଲା।