ଆଇପିଏଲ୍ ୧୧: ରୋମାଞ୍ଚକ ମ୍ୟାଚ୍ରେ କୋଲକାତାକୁ ୫ ଓ୍ଵିକେଟ୍ରେ ପରାସ୍ତ କଲା ଚେନ୍ନାଇ
ଟେବୁଲର ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ୍
ଚେନ୍ନାଇ: ଶେଷ ଓଭରରେ ୧୭ ରନ୍ ଦରକାର ଥିବା ବେଳେ ରୋମାଞ୍ଚକ ଭାବେ ୧୯ ରନ୍ ସଂଗ୍ରହ କରିବା ସହିତ ୫ ଓ୍ଵିକେଟ୍ରେ କୋଲକାତାକୁ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍ ପ୍ରମାଣିତ କରିଛି ଯେ, କଠୋର ପରିଶ୍ରମ ହିଁ ସଫଳତାର ଚାବିକାଠି। ଚେନ୍ନାଇ ୧୯.୫ଓଭରରେ ୫ଟି ଓ୍ଵିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଛି। ମ୍ୟାଚ୍ ବିଜୟ ପାଇଁ ଶେଷ ଓଭରରେ ୧୭ ରନ୍ ଆବଶକ୍ୟକ ଥିବା ବେଳେ ଗୋଟିଏ ବଲ ଥାଇ କୋଲକାତାକୁ ପରାସ୍ତ କରିଛି ଚେନ୍ନାଇ। ଏଥି ସହିତ ଚେନ୍ନାଇ ୨ଟି ମ୍ୟାଚ୍ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିପାରିଛି।
ଦ୍ୱିତୀୟ ଇନିଂସରେ ୨୦୩ ରନ୍ ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ପଡ଼ିଆ ଭିତରକୁ ଓହ୍ଲାଇଥିଲା। ଦଳ ପ୍ରଥମ ଆଠ ପର୍ଯ୍ୟନ୍ତ ଓ ଅନ୍ତିମ ୪ ଓଭରରେ ଭଲ ପ୍ରଦଶନ କରିଥିଲା। ଆରମ୍ଭରୁ ସେନ୍ ଓ୍ଵାଟସନ୍(୪୨) ଓ ଅମ୍ବାତି ରାୟଡୁ(୩୯) ଭଲ ବ୍ୟାଟିଂ କରିଥିବା ବେଳେ ଶେଷ ପର୍ଯ୍ୟାୟରେ ସାମ୍ ବ୍ଲିଙ୍ଗ(୫୬) ଓ ଡେ୍ଵନ୍ ବ୍ରାଭୋ ଲଢୁଆ ବ୍ୟାଟିଂ (୫ଟି ବଲ, ୧୧ ରନ୍)କରିଥିଲେ।
ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଚେନ୍ନାଇ ପ୍ରଥମ ଓ୍ଵିକେଟ୍ରେ ସେନ ଓ୍ଵାଟସନଙ୍କୁ ଦଳୀୟ ସ୍କୋର ୭୫ ରନ୍ ଥିବା ବେଳେ ହରାଇଥିଲା। ଚେନ୍ନାଇ ୨ୟ ଓ୍ଵିକେଟରେ ଅମ୍ବାତି ରାୟଡୁଙ୍କୁ ୮୫ ରନ୍ରେ, ୩ୟ ଓ୍ଵିକେଟ୍ରେ ସୁରେଶ ରୈନାଙ୍କୁ ୧୦୧ ରନ୍ରେ, ୪ର୍ଥ ଓ୍ଵିକେଟ୍ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ୧୫୫ ରନ୍ରେ, ସାମ ବ୍ଲିଙ୍ଗଙ୍କୁ ୧୮୪ ରନ୍ରେ ହରାଇଥିଲା। କୋଲକାତାର ଟମ୍ କୁରାନ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପିୟୁଷ ଚାଓ୍ଵଲା, ସୁନିଲ ନାରିନ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ପୂର୍ବରୁ ପ୍ରଥମ ଇନିଂସରେ ଆନ୍ଦ୍ରେ ରସେଲ(୮୮ରନ, ୩୬ ବଲ, ଗୋଟିଏ ଚୌକା, ୧୧ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍କୁ ୨୦୩ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଟସ୍ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୨ରନ୍ ସଂଗ୍ରହ କରିଥିଲା। କୋଲକାତାର ଖେଳାଳିମାନେ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଓପନର କ୍ରିସ ଲିନ୍ ୨୫ ରନ୍, ସୁନିଲ ନାରିନ ୧୨ ରନ୍, ରବିନ ଉଥାପା ୨୯ ରନ୍, ନୀତିଶ ରାଣା ୧୬, ଦିନେଶ କାର୍ତ୍ତିକ ୨୬ ରନ୍ ସଂଗ୍ରହ କରିଥିଲେ।
୧୯ ରନ୍ରେ ଚେନ୍ନାଇର ପ୍ରଥମ ଶିକାର ହୋଇଥିଲେ ସୁନିଲ ନାରିନ। ୫୧ ରନ୍ରେ କୋଲକାତା ୨ୟ ଓ୍ଵିକେଟରେ କ୍ରିସ ଲିନଙ୍କୁ ହରାଇଥିଲା। ସେହିଭଳି ୮୦ ରନ୍ରେ ୩ୟ ଓ୍ଵିକେଟ୍, ୮୧ ରନ୍ରେ ୪ର୍ଥ ଓ୍ଵିକେଟ, ୮୯ ରନ୍ରେ ୫ମ ଓ୍ଵକେଟ ଓ ୧୬୫ ରନ୍ରେ ୬ଷ୍ଠ ଓ୍ଵିକେଟ ପଡ଼ିଥିଲା। ଚେନ୍ନାଇ ଟିମ୍ର ସେନ୍ ଓ୍ଵାଟସନ୍ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ହରଭଜନ ସିଂ, ରବୀନ୍ଦ୍ର ଜାଡ଼େଜା ଓ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।