ଚେନ୍ନାଇ : ଚେନ୍ନାଇଠାରେ ଖେଳାଯାଇଥିବା ଆଇପିଏଲର ଏକ ଲିଗ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ବିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୫୬ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୧ ଓଭରରେ ୧୫୮ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୬୫ ରନ ଓ ଋତୁରାଜ ଗାଇକ୍ବାଡ ୫୩ ରନ କରିଥିଲେ ।

Advertisment

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ହିଁ ରୋହିତ ଶର୍ମାଙ୍କ ଓ୍ବିକେଟ ହରାଇ ଚାପରେ ରହିଥିଲା । ରୋହିତ ଖାତା ଖୋଲିପାରିନଥିଲେ । ତାଙ୍କ ପଛକୁ ପଛ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବି ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦଳର ରନ ଗତି ଧୀମେଇ ଯାଇଥିଲା ।  ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ତିଳକ ବର୍ମା ୩୧ ରନ କରିଥିଲେ । ନମନ ଧୀର ୧୭ ରନ ଓ ରିୟାନ ରିକେଲଟନ ୧୩ ରନ କରିଥିଲେ । ଶେଷ ବେଳକୁ ଦୀପକ ଚହର ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଥିଲା । ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ୩ଟି ଓ୍ବିକେଟ ନେଇଥିଲେ । ନାଥନ ଏଲିସ ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।