ବେଙ୍ଗାଲୁରୁ/ଲକ୍ଷ୍ନୌ: ଆଇପିଏଲ୍ ଆରମ୍ଭ ହେବାକୁ ଦୁଇ ସପ୍ତାହ ହୋଇଗଲାଣି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅନରିକ୍ ନର୍ଖିୟାଙ୍କ ୟର୍କରରେ ବ୍ୟାଟର ଘାଇଲା ହେଉଥିଲେ ବି ଡେଭିଡ୍ ୱାର୍ଣ୍ଣରଙ୍କ ଦିଶାହୀନ ଥ୍ରୋ ସାଙ୍ଗକୁ ମୁମ୍ବାଇ ଇମ୍ପାକ୍ଟ ଖେଳାଳି ଟିମ୍ ଡେଭିଡ୍ଙ୍କ ଲମ୍ବା ଡାଇଭ୍ ଯୋଗୁଁ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଧ୍ୟ ଶେଷ ବଲ୍ ମ୍ୟାଚ୍ରେ ପରାଜିତ ହୋଇଥିଲା। କିନ୍ତୁ ୱାନିନ୍ଦୁ ହସରଙ୍ଗା ଦଳକୁ ଫେରିଆସିଥିବାରୁ ଆର୍ସିବି ଶକ୍ତି ବୃଦ୍ଧି ହୋଇଥିଲା ବେଳେ ଶନିବାର ଡବଲ୍ ହେଡରର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଉଦ୍ୟମ କରିବ। ଡେଭିଡ୍ ୱିଲି କିମ୍ବା ୱେନ୍ ପାର୍ନେଲଙ୍କ ସ୍ଥାନରେ ହସରଙ୍ଗା ଖେଳିବେ। ତେବେ ଆର୍ସିବିର ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ବିଶେଷକରି ସ୍ପିନ୍ ବିପକ୍ଷରେ ବ୍ୟାଟରମାନେ ଅସୁବିଧାରେ ପଡ଼ିଆସୁଛନ୍ତି। ଯେଉଁଥିପାଇଁ ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବଙ୍କ ଆଗରେ ଏମାନଙ୍କୁ ଖେଳିବା କଷ୍ଟକର ହୋଇପାରେ। ସେହିପରି ଡେଥ୍ ଓଭରଗୁଡ଼ିକରେ ନର୍ଖିୟା ଓ ମୁସ୍ତାଫିଜୁର ରହମନ ସଫଳ ହେଉଥିବାରୁ ଏମାନଙ୍କ ସାମ୍ନା କରିବା ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ତଥାପି ମିଚେଲ୍ ମାର୍ସ ତାଙ୍କ ବିବାହ କାର୍ଯ୍ୟ ଶେଷ କରି ଦିଲ୍ଲୀ ଦଳ ସହିତ ଯୋଗଦେଇଥିବାରୁ ବୋଲରଙ୍କ ପାଇଁ ସତର୍କଘଣ୍ଟି ହୋଇପାରନ୍ତି। ରୋଭମାନ ପାୱେଲଙ୍କ ସ୍ଥାନରେ ସେ ଖେଳିବା ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2022/05/rcb.jpg)
ଅନ୍ୟପକ୍ଷରେ ଡବଲ୍ ହେଡରର ଦ୍ବିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ସାମ୍ନା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କରିବ। ଗତ ଦୁଇଟି ମ୍ୟାଚ୍ରେ ପଞ୍ଜାବର ବ୍ୟାଟିଂ ସନ୍ତୋଷଜନକ ହୋଇପାରିନାହିଁ। ତେଣୁ ବ୍ୟାଟରଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ। ଚଳିତ ସଂସ୍କରଣ ଆରମ୍ଭରୁ ଲଗାତାର ପଞ୍ଜାବ ମ୍ୟାଚ୍ ଜିତିଥିଲେ ବି ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ପରାସ୍ତ ହୋଇଛି। ଏହାର ପ୍ରମୁଖ କାରଣ ହେଉଛି ମଝି ଓଭରଗୁଡ଼ିକରେ ପଞ୍ଜାବ ବ୍ୟାଟରମାନେ ରନ୍ ବାହାର କରିବାରେ ବିଫଳ ହୋଇଆସୁଛନ୍ତି। ଗତ ମ୍ୟାଚ୍ରେ ପଞ୍ଜାବ ବ୍ୟାଟରମାନେ ୫୬ ଡଟ୍ ବଲ୍ ଖେଳିଥିଲେ। କେବଳ ଶିଖର ଧାୱନ ପ୍ରଥମ ତିନି ମ୍ୟାଚ୍ରେ ଭଲ ଖେଳିଥିଲେ, ହେଲେ ଚତୁର୍ଥ ମ୍ୟାଚ୍ରେ ସେ ବିଫଳ ହେବାରୁ ବ୍ୟାଟରମାନେ ରନ୍ ଗତି ବଢାଇପାରିନଥିଲେ। ପ୍ରଭସିମ୍ରନ ସିଂହ, ମାଥ୍ୟୁ ସର୍ଟ, ଜିତେଶ ଶର୍ମାଙ୍କ ବ୍ୟାଟ୍ରୁ ବି ବଡ଼ ରନ୍ ବାହାରିପାରୁନାହିଁ। ହେଲେ ବ୍ୟାଟିଂ ଅପେକ୍ଷା ବୋଲରମାନେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଅର୍ଶଦୀପ ସିଂହ, ସାମ୍ କରନ ଦଳକୁ ବିଜୟ ନିକଟରେ ପହଞ୍ଚାଉଛନ୍ତି। କିନ୍ତୁ ସୁପର ଜାଏଣ୍ଟସ୍ ଗତ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଅପେକ୍ଷାକୃତ ଦୁର୍ବଳ ପଞ୍ଜାବକୁ ହରାଇ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି। ଯଦିଓ ଅଧିନାୟକ କେଏଲ୍ ରାହୁଲ ଏବେ ବି ରନ୍ ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ କାୟଲ ମାୟର୍ସ, କୃନାଲ ପାଣ୍ଡ୍ୟା, ନିକୋଲାସ ପୁରନ୍ ମ୍ୟାଚ୍ ବିଜୟୀ ସାବ୍ୟସ୍ତ ହୋଇଛନ୍ତି। ଦ୍ରୁତ ବୋଲର ମାର୍କ ଉଡ୍, ଅୱେଶ ଖାନ୍, ରବି ବିଷ୍ଣୋଇ, ଅମିତ ମିଶ୍ରା ନିଜ ନିଜ ଭୂମିକାକୁ ସଠିକ୍ ଭାବେ ତୁଲାଇ ଆସୁଛନ୍ତି। ତେଣୁ ରବିବାର ରାତିରେ ଆଉ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।