ଆଇପିଏଲ-୧୩: ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍ (ଆଇପିଏଲ୍‌) ୧୩ତମ ସଂସ୍କରଣର ପ୍ରଥମ ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ପଡ଼ିଥିଲା।   କିଙ୍ଗସ୍‌ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ରନ୍‌ କରିପାରିଥିଲା ।  ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରାବାଡା ସୁପର ଓଭର ବୋଲିଂ କରି ମାତ୍ର ୨ରନ୍‌ ଦେଇ ୨ଟି ୱିକେଟ ନେଇଥିଲେ । ରିଷଭ ପନ୍ତ ସୁପର ଓଭରରେ ୨ରନ୍‌ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟ ଦେଇଥିଲେ।

ପୂର୍ବରୁ ଟସ୍ ଜିଣି କିଙ୍ଗସ୍ ଇଲେଭେନ ପଂଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ଟିମ ଆରମ୍ଭରୁ ଧୀମା ଗତିରେ ଖେଳିଥିଲା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ ସର୍ବାଧିକ ୫୩ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୩୯ ରନ୍ ଓ ଋଷଭ ପନ୍ତ ଦଳପାଇଁ ୩୧ ରନ୍ ଯୋଡ଼ିଥିଲେ ।

ଏହାପରେ ପଞ୍ଜାବ ଦଳ ପଡ଼ିଆକୁ ବ୍ୟାଟିଂ ଲାଗି ଓହ୍ଲାଇଥିଲା। ଦଳ ପକ୍ଷରୁ ମଧ୍ୟ ମୟଙ୍କ ଅଗ୍ରୱାଲ ୬୦ ବଲ୍‌ (୮୯) ରନ୍‌ କରିଥିବା ବେଳେ କ୍ୟାପ‌ଟେନ୍‌ ଲୋକଶେ ରାହୁଲ ୧୯ ବଲ୍‌ (୨୧) ରନ୍‌ କରି ପ୍ୟାଭିଲିୟନକୁ ଫେରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ଶେଷ ଓଭର ବୋଲିଂ କରୁଥିବା ବେଳେ ପଞ୍ଜାବକୁ ମ୍ୟାଚ  ଜିତିବା ପାଇଁ ୧୩ ରନ୍‌ ଦରକାର ଥିଲା ।  କିନ୍ତୁ କିଙ୍ଗସ ଇଲେଭେନର ଦୁଇ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲ୍ ଓ କ୍ରିସ୍ ଜୋର୍ଡାନ୍ ୧୨ ରନ୍‌ କରିପାରିଥିଲା ଫଳରେ ମ୍ୟାଚ ଟାଇ ହୋଇଯାଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି। ସେ ୨୧ଟି ବଲରେ ୫୩ ରନ୍ କରିବା ସହ ୨ଟି ଉଇକେଟ୍ ନେଇଛନ୍ତି।

ସମ୍ବନ୍ଧିତ ଖବର