ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ପ୍ଲେଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ । ମେ' ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ଅହମଦାବାଦରେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାୟର ମେ ୨୩ ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଏଲିମିନେଟର ମ୍ୟାଚ୍ ମେ ୨୪ ତାରିଖରେ ସେହି ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ କ୍ୱାଲିଫାୟର ମେ ୨୬ରେ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ଫାଇନାଲ ମଧ୍ୟ ୨୮ ମେ ୨୦୨୩ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ୩୧ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଗୁଜରାଟ ଦଳ ୪ ବଲ୍ ବାକି ଥାଇ ୫ ଓ୍ଵିକେଟରେ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।