ଆଇପିଏଲ୍‌ ଫାଇନାଲ୍ ହାଇଦ୍ରାବାଦ ସ୍ଥାନାନ୍ତର

ନୂଆଦିଲ୍ଲୀ: ସରକାରଙ୍କଠାରୁ ଆବଶ୍ୟକୀୟ ଅନୁମତି ଆଣିବାରେ ତାମିଲନାଡୁ କ୍ରିକେଟ୍‌ ସଂଘ ସକ୍ଷମ ନହେବା ଫଳରେ ଚେନ୍ନାଇରେ ଖେଳାଯିବାକୁ ଥିବା ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌କୁ ହାଇଦ୍ରାବାଦ ସ୍ଥାନାନ୍ତର କରିଦିଆଯାଇଛି। ମେ’ ୧୨ ତାରିଖରେ ଫାଇନାଲ୍ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। କାରଣ ଗତବର୍ଷ ସିଏସ୍‌କେ ବିଜେତା ହୋଇଥିବାରୁ ନିୟମ ଅନୁସାରେ ଏହି ଦଳର ଘରୋଇ ପଡ଼ିଆରେ ପରବର୍ତୀ ଫାଇନାଲ୍‌ ଖେଳାଯିବା କଥା। ଚେନ୍ନାଇ ଷ୍ଟାଡିୟମ୍‌ର ତିନିଟି ଷ୍ଟାଣ୍ଡ୍‌କୁ ମହାନଗର ନିଗମ ତାଲା ପକାଇ ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଲିଗ୍ ମ୍ୟାଚ୍‌ ଖେଳାଯାଉଥିଲେ ମଧ୍ୟ ଫାଇନାଲ୍ ଲାଗି ଦର୍ଶକଙ୍କ ଚାହିଦା ଏବଂ ପ୍ରସାରଣକାରୀ ସଂସ୍ଥାର ରାଜସ୍ବ ଦୃଷ୍ଟିରୁ ଏଭଳି ପରିବର୍ତନର ଆବଶ୍ୟକତା ପଡ଼ିଥିଲା। ତଥାପି ଚେନ୍ନାଇ ସୁପର୍ କିଙ୍ଗ୍ସ ଯଦି ଚୂଡ଼ାନ୍ତ ପଏଣ୍ଟ୍‌ ଟେବୁଲ୍‌ରେ ପ୍ରଥମ ଦୁଇ ସ୍ଥାନରେ ରୁହେ ତେବେ ଘରୋଇ ପଡ଼ିଆରେ (ଚେନ୍ନାଇ) କ୍ବାଲିଫାୟର-୧ ଖେଳିବାର ସୁଯୋଗ ପାଇବ। ଏଥି ସହିତ ମେ’ ୮ ତାରିଖର ଏଲିମିନେଟର୍ ଏବଂ ମେ’ ୧୦ ତାରିଖର କ୍ବାଲିଫାୟର୍‌-୨କୁ ମଧ୍ୟ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ତିନି ଷ୍ଟାଣ୍ଡ୍‌ (ଆଇ, ଜେ, କେ)କୁ ଖୋଲିବା ଲାଗି ଟିଏନ୍‌ସିଏକୁ ଅନୁମତି ନ ମିଳିବା ଫଳରେ ଏହି ସବୁ ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ପଡ଼ିଲା ବୋଲି ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସକଙ୍କ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ ପ୍ରକାଶ କରିଛନ୍ତି। ଉପରୋକ୍ତ ୩ ଗେଟ୍‌ ବନ୍ଦ ରହିବା ଫଳରେ ବିସିସିଆଇ କୋଟି କୋଟି ଟଙ୍କା ରାଜସ୍ବ ହରାଇବା ଆଶଙ୍କା ଥିଲା। ଏକମାତ୍ର ବ୍ୟତିକ୍ରମ ଭାବେ ୨୦୧୨ ମସିହାରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ପାଇଁ ଏହି ଷ୍ଟାଣ୍ଡ୍‌ ଖୋଲିଥିଲେ ମଧ୍ୟ ସେବେଠାରୁ ବନ୍ଦ ରହିଛି। ତେବେ କ୍ବାଲିଫାୟର୍‌-୧କୁ‌ ଚେନ୍ନାଇ କାହିଁକି ଦିଆଗଲା ବୋଲି ପ୍ରଶ୍ନ ହେବାରୁ ବିନୋଦ ରାଏ କହିଥିଲେ ‘ଡିଫେଣ୍ଡିଂ ଚାମ୍ପିଅନ୍‌ ଭାବେ ଚେନ୍ନାଇ ଅନ୍ୟୁନ ଗୋଟିଏ (କ୍ବାଲିଫାଏର-୧ କିମ୍ବା ଫାଇନାଲ) ପ୍ଲେ ଅଫ୍‌ ପାଇବାର ହକ୍‌ଦାର ଥିଲା’। ସେହିଭଳି ହାଇଦ୍ରାବାଦରେ ମେ’ ୬, ୮, ୧୦ରେ ନିର୍ବାଚନ ଥିବାରୁ କେବଳ ଫାଇନାଲ୍ ମ୍ୟାଚ୍‌ ପ୍ରଦାନ କରାଗଲା ବୋଲି ବିନୋଦ ରାଏ ସ୍ପଷ୍ଟ କରିଥିଲେ।

ସଙ୍କଟରେ ୱାଙ୍ଖଡ଼େ
ମୁମ୍ବାଇ: ମୁମ୍ବାଇର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମକୁ ମହାରାଷ୍ଟ୍ର ସରକାର ନୋ‌ଟିସ୍ ଜାରି କରିଛନ୍ତି। ମୁମ୍ବାଇ କ୍ରିକେଟ୍ ସଂଘ (ଏମସିଏ) ପରିଚାଳନାରେ ଥିବା ଏହି ଷ୍ଟାଡିୟମ୍ ଉପରେ ମହାରାଷ୍ଟ୍ର ସରକାରଙ୍କର ୧୨୦ କୋଟି ଟଙ୍କାର ଟିକସ ବକେୟା ରହିଛି। ତା’ ଛଡ଼ା ଏହି ଷ୍ଟାଡିୟମର ଲିଜ୍ ଅବଧୀ ମଧ୍ୟ ଗତ ଫେବ୍ରୁଆରି ଶେ‌ଷ ହୋଇ ଯାଇଛି। ଏମ୍‌ସିଏ କିନ୍ତୁ ଏ ପର୍ଯ୍ୟନ୍ତ ଏହାକୁ ନବୀକରଣ କରି ପାରି ନାହିଁ। ୧୯୭୫ ମସିହାରେ ନିର୍ମାଣ କରାଯାଇଥିବା ୱାଙ୍ଖଡ଼େ ଷ୍ଟାଡିୟମରେ ୨୦୧୧ ବିଶ୍ବକପ୍ ଫାଇନାଲ୍ ଖେଳା ଯାଇଥିବା। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳ ମଧ୍ୟ ଏହାକୁ ନିଜ ଘରୋଇ ପଡ଼ିଆ କରିଛି। ତେବେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଏମ୍‌ସିଏ ଯଦି ଏହି କ୍ଷେତ୍ରରେ କୌଣସି‌ ଠୋସ୍ ପଦକ୍ଷେପ ନନିଏ, ତେବେ ୱାଙ୍ଖଡ଼େକୁ ଅଧିଗ୍ରହଣ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯିବ ବୋଲି ମହାରାଷ୍ଟ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୱାଙ୍ଖଡ଼େ ଷ୍ଟାଡିୟମରେ ମଧ୍ୟ ବିସିସିଆଇର ମୁଖ୍ୟାଳୟ ରହିଛି।

ବେୟାରଷ୍ଟୋଙ୍କ ପଦାର୍ପଣ କୀର୍ତ୍ତିମାନ

ସନରାଇଜର୍ସ ହାଇଦ୍ରାବାଦ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ଆଇପିଏଲ୍ ପଦାର୍ପଣକାରୀଙ୍କ ମଧ୍ୟରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ କରିଛନ୍ତି। ରବିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୮୦ ରନ୍‌ର ଅପରାଜିତ ପାଳି ଖେଳି ସନରାଇଜର୍ସକୁ ବିଜୟୀ କରାଇଥିବା ବେୟାରଷ୍ଟୋ ଚଳିତ ଆଇପିଏଲ୍‌ରେ ୪୪୫ ରନ୍ କରି ସାରିଲେଣି। ଆଇପିଏଲ୍‌ର ଏକ ନିର୍ଦିଷ୍ଟ ଋତୁରେ ପଦାର୍ପଣ କରିଥିବା ଯେ କୌଣସି ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ। ଏହି କ୍ରମରେ ସେ ଶ୍ରେୟସ୍ ଆୟର, ଫାଫ୍ ଡୁ’ପ୍ଲେସିସ୍, ଲେଣ୍ଡଲ ସିମନ୍ସ, ରାହୁଲ ତ୍ରିପାଠୀ ଓ ଏଭିନ ଲୁଇସଙ୍କ ଭଳି ଖେଳାଳିଙ୍କୁ ଟପିଛନ୍ତି। ୨୦୧୫ରେ ଆଇପିଏଲ୍ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳି ଶ୍ରେୟସ ଆୟର୍‌ ୪୩୯ ରନ୍ ହାସଲ କରିଥିଲେ। ‌ଡୁ’ ପ୍ଲେସିସ୍ ୨୦୧୨ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ପଦାର୍ପଣ କରି ୩୯୮, ସିମନ୍ସ ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସରୁ ୩୯୪, ତ୍ରିପାଠୀ ୨୦୧୭ରେ ପୁନେ ସୁପରଜିଆଣ୍ଟ୍ସ ପକ୍ଷରୁ ୩୯୧ ଏବଂ ଲୁଇସ୍ ୨୦୧୮ରେ ମୁମ୍ବାଇରୁ ୩୮୨ ରନ୍ କରିଥିଲେ।

ସମ୍ବନ୍ଧିତ ଖବର