ମୁମ୍ବାଇ: ଆସାମର ପୂର୍ବତନ ୱିକେଟ୍ ରକ୍ଷକ ଦେବଜିତ ସାଇକିଆ ରବିବାର ଆନୁଷ୍ଠାନିକ ଭାବେ ବିସିସିଆଇର ନୂଆ ସଂପାଦକ ଦାୟିତ୍ବ ଗ୍ରହଣ କରିଛନ୍ତି। ରବିବାରର ବାର୍ଷିକ ସାଧାରଣ ବୈଠକରେ ସେ ଆନୁଷ୍ଟାନିକ ଭାବେ ଏହି ପଦ ଲାଗି ନିର୍ବାଚିତ ହୋଇଛନ୍ତି। ସାଇକିଆ ପୂର୍ବତନ ସଂପାଦକ ଜୟ ଶାହଙ୍କ ସ୍ଥାନ ନେଇଛନ୍ତି। ଶାହ କିଛି ଦିନ ତଳେ ଆଇସିସିର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଫଳରେ ନୂଆ ସଂପାଦକ ଲାଗି ହୋଇଥିବା ନିର୍ବାଚନରେ ସର୍ବସମ୍ମତିକ୍ରମେ ସାଇକିଆଙ୍କୁ କର୍ମକର୍ତ୍ତାମାନେ ବାଛିଥିଲେ। ତେବେ ପ୍ରାୟ ଗୋଟିଏ ମାସ ହେବ ସଂପାଦକ ପଦ ଖାଲି ରହିଥିଲା। ଆଇନ, ପ୍ରଶାସନ ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ସାଇକିଆ ୧୯୯୦-୯୧ରେ ଅସାମ ପକ୍ଷରୁ ଚାରିଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। କ୍ରିକେଟ୍ କ୍ୟାରିୟର୍ ମାତ୍ର ଗୋଟିଏ ଋତୁରେ ସୀମିତ ରହିବା ପରେ ସେ ଓକିଲାତି ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିଲେ। ୨୦୧୬ରେ କ୍ରିକେଟ୍ ପରିଚାଳନା କ୍ଷେତ୍ରରେ ପାଦ ଥାପିଥିଲେ ସେ। ସେହିବର୍ଷ ସାଇକିଆ ଆସାମ କ୍ରିକେଟ୍ ସଂଘର ଉପସଭାପତି ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ଆସାମ କ୍ରିକେଟ୍ ସଂଘର ସଂପାଦକ ହୋଇଥିଲେ। ସଂପାଦକ ହେବା ପୂର୍ବରୁ ବିସିସିଆଇର ଯୁଗ୍ମ ସଂପାଦକ ଥିଲେ ସେ। 
ସେପଟେ ଆଜିର ବାର୍ଷିକ ସାଧାରଣ ବୈଠକ ଅବସରରେ ପ୍ରଭତେଜ୍ ସିଂହ ଭାଟିଆ ମଧ୍ୟ ନିର୍ଦ୍ବନ୍ଦ୍ବରେ କୋଷାଧ୍ୟକ୍ଷ ନିର୍ବାଚିତ ହେବା ସଙ୍ଗେସଙ୍ଗେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଆଶିଷ ସେଲାରଙ୍କ ସ୍ଥାନ ନେଇଛନ୍ତି। ସେହିଭଳି ଚାମ୍ପିଅନ୍ସ ଟ୍ରଫି ଲାଗି ଭାରତୀୟ ଦଳ ଘୋଷଣା ଚଳିତ ଜାନୁଆରି ୧୮ କିମ୍ବା ୧୯ରେ ହେବ ବୋଲି ବୈଠକ ପରେ ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା ସାମ୍ବାଦିକଙ୍କୁ କହିଥିଲେ। ପ୍ରାଥମିକ ଦଳ ଘୋଷଣାର ଅନ୍ତିମ ତାରିଖ ରବିବାର (ଜାନୁଆରି ୧୨) ଥିଲେ ମଧ୍ୟ ଆଇସିସିକୁ ଏଥିଲାଗି ନିବେଦନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସେହିଭଳି ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ, ହେଲେ ଡବ୍‌ଲ୍ୟୁପିଏଲ୍‌ର ତାରିଖ କିଛି ଦିନ ପରେ ଘୋଷଣା କରାଯିବ ବୋଲି କହିଥିଲେ ଶୁକ୍ଳା।

Advertisment

ଓସିଏ ପକ୍ଷରୁ ସମ୍ବର୍ଦ୍ଧନା
କଟକ: ଓଡ଼ିଶା କ୍ରିକେଟ୍ ସଂଘ(ଓସିଏ) ପକ୍ଷରୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ(ଆଇସିସି) ଅଧ୍ୟକ୍ଷ ଜୟ ଶାହା, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଂପାଦକ ଦେବଜିତ ସାଇକିଆ, କୋଷାଧ୍ୟକ୍ଷ ପ୍ରଭତେଜ୍‌ ସିଂହ ଭାଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମୁମ୍ବାଇରେ ଆୟୋଜିତ ବିସିସିଆଇର ସ୍ବତନ୍ତ୍ର ବୈଠକରେ ଓସିଏ ସଂପାଦକ ସଞ୍ଜୟ ବେହେରା ଯୋଗଦେଇ ଆଇସିସି ଅଧ୍ୟକ୍ଷ ଶ୍ରୀ ଶାହା, ବିସିସିଆଇ ସଂପାଦକ ଶ୍ରୀ ସାଇକିଆ ଓ କୋଷାଧ୍ୟକ୍ଷ ଶ୍ରୀ ଭାଟିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ।