ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ ଆଇପିଏଲ, ଭାରତରେ ଆୟୋଜନ ପାଇଁ ପ୍ରସ୍ତୁତି

ମୁମ୍ବାଇ : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭାରତରେ ହିଁ ଖେଳାଯିବ । ଏହା ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି ।

ଆଜି ସେ କହିଛନ୍ତି ଯେ ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଖେଳାଯିବ । ଅଧିକାଂଶ ଫ୍ରାଞ୍ଚାଇଜିମାନେ ଭାରତରେ ଆଇପିଏଲ ଆୟୋଜନ ପାଇଁ ମତ ଦେଇଥିଲେ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ବିକଳ୍ପ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ଆଇପିଏଲରେ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି । ସେଦୁଇଟି ହେଲା ଲକ୍ଷ୍ନୌ ଓ ଅହମ୍ମଦାବାଦ ଦଳ । ଆସନ୍ତା ଫେବ୍ରୁଆରି ୧୨ ଓ ୧୩ ତାରିଖରେ ଆଇପିଏଲ ନିଲାମ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମ୍ୟାଚ ହେବାକୁ ଥିବା ଷ୍ଟାଡିୟମଗୁଡ଼ିକ ଚୂଡ଼ାନ୍ତ ହୋଇସାରିଥିବ ।

ସେ କହିଛନ୍ତି ଯେ, ବିସିସିଆଇ ସବୁବେଳେ ଖେଳାଳିମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ଗୁରୁତ୍ବ ଦେଇଆସିଛି । ଏଣୁ ଏଥର ବି ଖେଳାଳିଙ୍କ ସ୍ବାସ୍ଥ୍ୟର ନିରାପତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯିବ ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଆଇପିଏଲର ପ୍ରାରମ୍ଭିକ କେତେକ ମ୍ୟାଚ ଭାରତରେ ଆୟୋଜିତ ହୋଇଥିଲା । କିନ୍ତୁ ଦେଶରେ କରୋନାର ୨ ଲହର ଆରମ୍ଭ ହେବା ପରେ ତଥା କେତେକ ଖେଳାଳି ସଂକ୍ରମିତ ହେବା ପରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ପରେ ସେପ୍ଟେମ୍ବର ମାସରେ ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ୟୁଏଇରେ ଖେଳାଯାଇଥିଲା ।

ସମ୍ବନ୍ଧିତ ଖବର