ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବୋଲର ହର୍ଷଲ ପଟେଲ ତାଙ୍କ ସ୍ବପ୍ନକୁ ନିଷ୍ଠାପର ଭାବେ ଅନୁସରଣ କରୁଛନ୍ତି। କେତେକାଂଶରେ ଏହାକୁ ପୂରଣ କରିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି। ଗତ ଆଇପିଏଲ୍ ଋତୁରେ ସର୍ବାଧିକ ୱିକେଟ୍ ନେଇଥିଲେ ସେ। ଏଥର ମଧ ନିଜ ଦକ୍ଷତାମୂଳକ ପ୍ରଦର୍ଶନ ଜାରି ରଖିଛନ୍ତି। ୩୧ ବର୍ଷୀୟ ପଟେଲ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ତେବେ ଅନେକ ଜାଣି ନଥିବେ ଯେ ପଟେଲ ଯେତେବେଳେ ମାତ୍ର ୧୭ ବର୍ଷର ହୋଇଥିଲେ ପିତାମାତାଙ୍କ ସହ ଆମେରିକା ଚାଲିଯାଇ ସେଠାରେ ବସବାସ କରିବା ଆରମ୍ଭ କରିଥିଲେ। ଆମେରିକାର ନ୍ୟୁଜର୍ସିର ଏଲିଜାବେଥଠାରେ ଥିବା ଜଣେ ପାକିସ୍ତାନୀ ବଂଶୋଦ୍ଭବଙ୍କ ଅତର ଦୋକାନରେ କାମ କରୁଥିଲେ ସେ। ଗୁଜରାଟୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିବାରୁ ଇଂରାଜୀରେ କଥା କହିବା ତାଙ୍କ ପାଇଁ କାଠିକାର ପାଠ ହେଉଥିଲା। ଦାଦା ଖୁଡ଼ି ତାଙ୍କୁ ଏହି ଦୋକାନରେ ଛାଡ଼ୁଥିଲେ ଏବଂ ନେଉଥିଲେ। ପଟେଲ ସେତେବେଳେ ଦିନକୁ ମାତ୍ର ୩୫ ଡଲାର ରୋଜଗାର କରୁଥିଲେ। ହେଲେ ନିଜ କ୍ରିକେଟ୍ ନିଶା ଛାଡ଼ି ନଥିଲେ। ପିତା-ମାତା ଆମେରିକାରେ ଥିଲେ ମଧ୍ୟ ପରେ ପରେ ଭାରତ ଆସି କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ଯାହାର ଫଳ ଆଜି ତାଙ୍କୁ ମିଳିଛି। ଚଳିତବର୍ଷର ନିଲାମରେ ଆର୍ସିବି ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା। ଚଳିତ ବର୍ଷ ୮ ମ୍ୟାଚ୍ ଖେଳି ୧୦ ୱିକେଟ୍ କରାୟତ୍ତ କରିଛନ୍ତି ପଟେଲ। ନିଜକୁ ଜଣେ ଶେଷ ଓଭର ବୋଲର ଭାବେ ବି ପ୍ରତିଷ୍ଠିତ କରାଇ ସାରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp