ଆଜିଠୁ ଆଇପିଏଲ୍‌: ପ୍ରଥମ ଦିନ ଟାଇଟନ୍ସ-ସୁପର୍‌ କିଙ୍ଗ୍ସ

ଅହମଦାବାଦ: ତିନିଟି ଋତୁ ପରେ ଆଇପିଏଲ୍‌ ଏହାର ସ୍ବାଭାବିକ ତଥା ପୂର୍ଣ୍ଣକାଳୀନ ପ୍ରତିଯୋଗିତା ସ୍ତରକୁ ଫେରିବାକୁ ଯାଉଛି। ଶୁକ୍ରବାରଠାରୁ ଏହି ଆର୍ଥିକ ଫଳପ୍ରସୂ ଲୋଭନୀୟ ପ୍ରତିଯୋଗିତାର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଫଟାଫଟ୍ କ୍ରିକେଟ୍‌ର ଏହି ନୂଆ ସଂସ୍କରଣର ପ୍ରଥମ ଦିବସରେ ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ। ବିଗତ ୩ ବର୍ଷ ଧରି ଆଇପିଏଲ୍‌ ଏହାର ସମ୍ପୂର୍ଣ୍ଣ ସ୍ତରରେ ଖେଳାଯାଇ ପାରିନଥିଲା। କୋଭିଡ୍‌ କାରଣରୁ ୨୦୨୦ରେ ସମ୍ପୂର୍ଣ୍ଣ ଏବଂ ୨୦୨୧ର ଦ୍ବିତୀୟାର୍ଦ୍ଧ ୟୁଏରେ ଖେଳାଯାଇଥିବା ବେଳେ ୨୦୨୨ ୧୦ ଦଳୀୟ ଲିଗ୍‌ର ଅଧିକାଂଶ ମ୍ୟାଚ୍‌ ମୁମ୍ବାଇ ଓ ପୁନେରେ ଅନୁଷ୍ଠିତ ହୋଇଥିଲା। ଏବେ ସେହି ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍‌ ଖେଳାଯିବ। ଘର-ବାହାର ମ୍ୟାଚ୍‌ ପ୍ରକ୍ରିୟା ମଧ୍ୟ ପୁନଃ ପ୍ରଚଳିତ ହେବ। ୨୦୨୩ ସଂସ୍କରଣ ମଧ୍ୟ କିଛି ନୂଆ ପରିବର୍ତନ ସହ ଆସୁଛି। ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ବଳରେ କୌଣସି ଦଳ ଟସ୍ ପରେ ମ୍ୟାଚ୍‌ର ଯେ କୌଣସି ମୁହୂର୍ତରେ ଜଣଙ୍କୁ ବଦଳାଇ ପାରିବ। ସେହିଭଳି ନୋ ବଲ୍ ଏବଂ ୱାଇଡ୍‌ ବଲ୍‌ ପାଇଁ ଅମ୍ପାୟାର୍‌ ରିଭ୍ୟୁ କରିପାରିବେ।
ଶୁକ୍ରବାରର ପ୍ରଥମ ମ୍ୟାଚ୍‌ ଦୁଇ ଗୁରୁ ଶିଷ୍ୟ ତଥା ପୂର୍ବତନ ଅଧିନାୟକ-ଭବିଷ୍ୟତ ଅଧିନାୟକଙ୍କ ଲଢ଼େଇରୁ ଆରମ୍ଭ ହେବ। ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଗତବର୍ଷ ପଦାର୍ପଣ ଋତୁରେ ବିଜେତା ହୋଇ ସମସ୍ତଙ୍କୁ ଚମକ୍ତୃତ କରିଦେଇଥିଲା।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଏବେ ହାର୍ଦିକ ପାଣ୍ଡ୍ୟାଙ୍କ ଆଗରେ ତାଙ୍କ ଅନ୍ୟତମ ଦିଗଦର୍ଶକ ମହେନ୍ଦ୍ର ସିଂହ ଧୋନିଙ୍କ ଆହ୍ବାନରୁ ଅଭିଯାନ ଆରମ୍ଭ କରିବାର ସୁଯୋଗ ଆସିଛି। ଧୋନିଙ୍କ ଶେଷ ଆଇପିଏଲ୍‌ ବୋଲି କୁହାଯାଉଥିଲେ ମଧ୍ୟ ଏହି ଋତୁ ତାଙ୍କ ପାଇଁ କିଭଳି ବିତୁଛି ସମୟ କହିବ। ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଟ୍ରଫି ବଜାୟ ରଖିବାକୁ ଦାବିଦାର ଥିଲେ ମଧ୍ୟ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ କିଭଳି ଖେଳୁଛି ଦେଖିବାର ଅଛି। ନୂଆ ସଂସ୍କରଣ ପାଇଁ ଦାମି ଖେଳାଳି ଭାବେ ଗତ ଡିସେମ୍ବରରେ ନିଲାମ ହୋଇଥିବା ଇଂଲଣ୍ଡ୍ ଅଲରାଉଣ୍ଡର୍‌ ସାମ କରନ୍‌ (୧୮.୫ କୋଟି, ପଞ୍ଜାବ କିଙ୍ଗ୍ସ) ଏବଂ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ କାମେରନ୍ ଗ୍ରିନ୍ (୧୭.୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ)ଙ୍କ ଉପରେ ମଧ୍ୟ ଦର୍ଶକମାନେ ପରବର୍ତୀ ମ୍ୟାଚ୍‌ଗୁଡିକରେ ନଜର ପକାଇବେ।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ୫୦ ଓଭରିଆ ବିଶ୍ବକପ୍‌ ଖେଳାଯିବାକୁ ଥିବାବେଳେ କିଛି ଭାରତୀୟ ଖେଳାଳି ମଧ୍ୟ ସମ୍ପୂର୍ଣ୍ଣ ଆଇପିଏଲ୍‌ ନ ଖେଳି ବିଶ୍ରାମ ଦେବାର ସମ୍ଭାବନା ରହିଛି। ଜାତୀୟ ଦିନିକିଆ ଦଳର ସଦସ୍ୟମାନଙ୍କୁ ବି ଅଧିନାୟକ ରୋହିତ ଶର୍ମା ସେହି ମର୍ମରେ ପରାମର୍ଶ ଦେଇଛନ୍ତି। ଆହତ କାରଣରୁ ମଧ୍ୟ ୩ ପ୍ରମୁଖ ଭାରତୀୟ‌ ଖେଳାଳି ଋଷଭ ପନ୍ତ୍‌ (ଦିଲ୍ଲୀ କ୍ୟାପିଟାଲ୍ସ), ଯଶପ୍ରୀତ ବୁମରା (ମୁମ୍ବାଇ ଇଣ୍ଡିଆନ୍ସ), ଶ୍ରେୟସ ଆୟର୍ (କେକେଆର୍‌) ଏବଂ ଇଂଲିସ୍ ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ (ପଞ୍ଜାବ କିଙ୍ଗ୍ସ)ଙ୍କ ‌ଖେଳ ସେମାନଙ୍କ ପ୍ରଶଂସକ ଦେଖିପାରିବେ ନାହିଁ।

ଗତବର୍ଷ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଲଟା ପଥରେ ଗତି କରିଥିଲେ। ଗୁଜରାଟ ୧୪ରୁ ୧୦ ଜିତି ଗ୍ରୁପ୍ ଟପ୍ପର ହେବା ସହ ନିଜ ଉଦୟକୁ ଜାରି ରଖି ବିଜେତା ହୋଇଥିଲା। ଜାଦେଜା/ଧୋନିଙ୍କ ନେତୃତ୍ବରେ ଖେଳି ସିଏସ୍‌କେ କିନ୍ତୁ ୧୪ରୁ ୪ ଜିତି ୧୦ ଦଳ ମଧ୍ୟରେ ନବମରେ ରହି ଲଜ୍ଜିତ ହୋଇଥିଲା। ଲିଗ୍ ପର୍ଯ୍ୟାୟରେ ଉଭୟ ମୁକାବିଲାରେ ମଧ୍ୟ ପାଣ୍ଡ୍ୟାଙ୍କ ଦଳ ବାଜି ମାରି ନେଇଥିଲା। ଚେନ୍ନାଇ ଏଥର ଭାଗ୍ୟରେ ପରିବର୍ତନ କରିବାର ଆଶା ରଖିଛି। ଦଳର ୩ ଅଭିଜ୍ଞ ଅଲରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ମୋଇନ୍ ଅଲୀଙ୍କ ପ୍ରଭାବ ନିଶ୍ଚିତ ଏହି ଦଳ ପାଇଁ ନିର୍ଣ୍ଣାୟକ ହେବ। ହାର୍ଦିକ ପାଣ୍ଡ୍ୟାଙ୍କ ଦଳ କିନ୍ତୁ ଲଗାତାର ଟ୍ରଫି ଜିତି ସିଏସ୍‌କେ ଓ ମୁମ୍ବାଇ ଇଣ୍ଡିଆନ୍ସ ପଥରେ ଯିବାର ଲକ୍ଷ୍ୟ ରଖିଛି।

-ଗୁଜରାଟ ଟାଇଟନ୍ସ-
୨୦୨୨ ପ୍ରଦର୍ଶନ: ୧୪ ମ୍ୟାଚ୍‌, ୧୦ ବିଜୟ, ୪ ପରାଜୟ, ୨୦ ପଏଣ୍ଟ (ଗ୍ରୁପ୍ ଟପ୍ପର)
ସମ୍ଭାବ୍ୟ ୧୧: ଶୁବମନ ଗିଲ୍‌, ଋଦ୍ଧିମାନ ସାହା (ୱିକେଟରକ୍ଷକ), କେନ୍‌ ୱିଲିୟମସନ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ରସିଦ୍ ଖାନ୍‌, ମହମ୍ମଦ ସାମି, ଅଲଜାରି ଯୋସେଫ୍‌, ଶିବମ ମାଭି, ଆର୍‌ ସାଇ କିଶୋର।

-ଚେନ୍ନାଇ ସୁପର୍ କିଙ୍ଗ୍ସ-

୨୦୨୨ ପ୍ରଦର୍ଶନ: ୧୪ ମ୍ୟାଚ୍‌, ୪ ବିଜୟ, ୧୦ ପରାଜୟ, ୮ ପଏଣ୍ଟ (ନବମ)
ସମ୍ଭାବ୍ୟ ୧୧: ଋତୁରାଜ ଗାଏକ୍ବାଡ, ଡେଭନ୍ କନୱେ, ମୋଇନ୍ ଅଲୀ, ଅମ୍ବାତି ରାୟୁଡୁ,‌ ବେନ୍ ‌ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ ଓ ୱିକଟେରକ୍ଷକ), ଡ୍ବାନ୍ ପ୍ରିଟୋରିୟସ୍, ଦୀପକ ଚହର, ପ୍ରଶାନ୍ତ ସୋଲାଙ୍କୀ, ସିମ୍ରନଜିତ୍ ସିଂହ।

ପାଗ ଓ ପିଚ୍‌: ଶୁକ୍ରବାର ପାଇଁ ଅହମଦାବାଦରେ ପାଗ ଭଲ ରହିବ ବୋଲି ପୂର୍ବାନୁମାନ ରହିଛି। ବ‌ର୍ଷାର ମାତ୍ର ୧ ପ୍ରତିଶତ ଆଶଙ୍କା ଅଛି। ଟସ୍ ନିଶ୍ଚିତ ନିର୍ଣ୍ଣାୟକ ରହିବ। ଦ୍ବିତୀୟ ପାଳିରେ ବଲ୍‌ ଭଲରେ ବ୍ୟାଟକୁ ଆସିବାକୁ ଥିବାରୁ ଟସ୍ ବିଜୟୀ ଅଧିନାୟକ ନିଶ୍ଚିତ କ୍ଷେତ୍ରରକ୍ଷଣ ପାଇଁ ପସନ୍ଦ କରିବେ। ତଥାପି ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବଡ଼ ସ୍କୋର୍‌ କରି ଚାପ ପକାଇବାକୁ ସ‌ୁଯୋଗ ରହିବ। ଇମ୍ପାକ୍ଟ ପ୍ଲେୟାର୍‌ ନିୟମ କାରଣରୁ ଟସ୍ ଭୂମିକା କିନ୍ତୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ନୂଆ ନିୟମ
ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ପ୍ରଣୟନ ହେବାକୁ ଯାଉଛି। ଏହାଦ୍ବାରା ଟସ୍ ସମୟରେ ଚୂଡାନ୍ତ ୧୧ ସହିତ ଦଳ ଅତିରିକ୍ତ ୪ ଜଣଙ୍କ ନାମ ଦେବେ। ଯେଉଁ ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଅଧିନାୟକ ଟସ୍ ପରେ ମଧ୍ୟ ବ୍ୟବହାର କରିପାରିବେ। ସେ ମଧ୍ୟ ମ୍ୟାଚ୍‌ ମଝିରେ ଆସି ବ୍ୟାଟିଂ ଓ ବୋଲିଂ କରିପାରିବେ। ଟସ୍ ପାଇଁ ପଡ଼ିଆକୁ ଯିବାବେଳେ ଦୁଇ ଅଧିନାୟକ ମଧ୍ୟ ଦୁଇ ସେଟ୍‌ର ଦଳ ଚୟନ କରି ଆସିପାରନ୍ତି। ପ୍ରଥମେ ବ୍ୟାଟିଂ ପଡ଼ିଲେ ଏବଂ ପ୍ରଥମେ ବୋଲିଂ ପଡ଼ିଲେ ଦଳୀୟ ସମନ୍ବୟ କିଭଳି ହେବ ବିକଳ୍ପ ରଖିପାରିବେ। ଟସ୍ ପରେ ଏହା ଉଭୟ ଅଧିନାୟକ ଅଦଳବଦଳ କରିବେ। ତେବେ କୌଣସି ଦଳ ଯଦି ସେମାନଙ୍କ ଚୂଡାନ୍ତ ଏକାଦଶରେ ସମ୍ପୂର୍ଣ୍ଣ ବିଦେଶୀ କୋଟା (୪ ଖେଳାଳି) ସାମିଲ ରଖିଥିବେ, ତେବେ ଇମ୍ପାକ୍ଟ ଖେଳାଳି ଭାବେ କେବଳ ଭାରତୀୟଙ୍କୁ ରଖିବେ। ଏହି ନିୟମକୁ ସଭିଏଁ ଗ୍ରହଣ କରିପାରିନାହାନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ରିକି ପଣ୍ଟିଂ କହିଛନ୍ତି ‘ଏହି ନିୟମ ଅଲରାଉଣ୍ଡରଙ୍କ ଆବଶ୍ୟକତାକୁ ନକାରାତ୍ମକ ଭାବେ ଦେଖିବ’। ସବୁଠୁ ଦାମୀ ଖେଳାଳି ଇଂଲିସ୍ ଅଲରାଉଣ୍ଡର୍‌ ସାମ କରନ୍‌ କିନ୍ତୁ ପଣ୍ଟିଂଙ୍କ କଥାରେ ଏକମତ ‌ହୋଇନାହାନ୍ତି।

ରୋହିତ ଅଧିନାୟକ ଫଟୋସୁଟ୍‌ରେ ଯୋଗଦେଲେନି

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅସୁସ୍ଥ ଥିବାରୁ ଗୁରୁବାର ଅହମଦାବାଦରେ ହୋଇଥିବା ଅଧିନାୟକ ସମ୍ମେଳନରେ ଯୋଗ ଦେଇପାରିନାହାନ୍ତି। ଆଇପିଏଲ୍‌ ଟ୍ବଟର ହ୍ୟାଣ୍ଡେଲ ପକ୍ଷରୁ ସମସ୍ତ ଅଧିନାୟକଙ୍କୁ ନେଇ ଫଟୋ ସେୟାର କରାଯାଇଥିଲା ବେଳେ ସେଥିରେ ରୋହିତ ଗାଏବ ଥିଲେ। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଚର୍ଚ୍ଚା ଚାଲିଥିଲା। ତେବେ ରୋହିତଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଅସୁସ୍ଥ ଥିବାରୁ ଅଧିନାୟକଙ୍କ ସମ୍ମେଳନରେ ଯୋଗଦେଇପାରିନାହାନ୍ତି, କିନ୍ତୁ ଆର୍‌ସିବି ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍‌ରେ ସେ ଉପଲବ୍ଧ ହେବେ ବୋଲି ସୂଚନା ମିଳିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ହୋଇଥିବା ଅଧିନାୟକଙ୍କ ଫଟୋସୁଟ୍‌ରେ ମହେନ୍ଦ୍ର ସିଂହ ଧୋନି (ସିଏସ୍‌କେ), ହାର୍ଦ୍ଦିକ ପାଣ୍ଡ୍ୟା (ଗୁଜରାଟ ଟାଇଟନ୍ସ), ଶିଖର ଧାୱନ (ପଞ୍ଜାବ କିଙ୍ଗ୍ସ), ନୀତୀଶ ରାଣା (କେକେଆର୍‌), କେଏଲ୍‌ ରାହୁଲ (ଏଲ୍‌ଏସ୍‌ଜି), ଭୁବନେଶ୍ବର କୁମାର (ସନରାଇଜର୍ସ ହାଇଦ୍ରାବାଦ), ଫାଫ୍‌ ଡୁପ୍ଲେସିସ୍‌ (ଆର୍‌ସିବି), ଡେଭିଡ୍‌ ୱାର୍ଣ୍ଣର (ଦିଲ୍ଲୀ କ୍ୟାପିଟାଲ୍ସ) ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର