ଆ‌ଇପିଏଲ୍‌କୁ ରଣଜୀ ଉପରେ ରଖିଲେ ସଚିନ

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ କ୍ରିକେଟ୍ ଦଳର ସଫଳତା ପଛରେ ରଣଜୀ ଟ୍ରଫିର ବଳିଷ୍ଠ ଭୂମିକା ଅଛି ବୋଲି ଅଧିନାୟକ ବିରାଟ କୋହଲି ନିକଟରେ ମତ ପ୍ରକାଶ କରିଥିଲେ। ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ସହ ଏକମତ ହୋଇନାହାନ୍ତି। ଭାରତୀୟ କ୍ରିକେଟ୍ ଦଳର ସାଂପ୍ରତିକ ସଫଳତା ପଛରେ ରଣଜୀ ପରି‌ବର୍ତେ ଆଇପିଏଲ୍‌ର ଅଧିକ ଭୂମିକା ରହିଛି ବୋଲି ସଚିନ ଶନିବାର ଏକ କା‌ର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମତ ରଖିଛନ୍ତି। ଆଇପିଏଲ୍‌ର ଦ୍ବାଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ସଚିନଙ୍କ ଏଭଳି ମନ୍ତବ୍ୟ ଏହି ଧନୀ କ୍ରିକେଟ୍ ଲିଗ୍‌ର ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଅନ୍ୟପକ୍ଷରେ ରଣଜୀ ଟ୍ରଫି ସମର୍ଥକ ନିରାଶ ହୋଇଛନ୍ତି। ଭାରତୀୟ କ୍ରିକେଟ୍‌ର ସଫଳତାରେ ଆଇପିଏଲ୍‌ର ଅବଦାନକୁ ପ୍ରଶଂସା କରି ସଚିନ କହିଛନ୍ତି ଯେ ଯୁବ ଖେଳାଳିମାନଙ୍କୁ ସେମାନଙ୍କ ପ୍ରତିଭାର ପରିପ୍ରକାଶ କରିବା ଲାଗି ଆଇପିଏଲ୍ ଏକ ବଳିଷ୍ଠ ମଞ୍ଚ ହୋଇଛି। ଯଶ୍‌ପ୍ରୀତ ବୁମରା, କୁଲ୍‌ଦୀପ ଯାଦବ, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’ଙ୍କ ଭଳି ଖେଳାଳି ଆଇପିଏଲରୁ ହିଁ ସୃଷ୍ଟି ହୋଇଛନ୍ତି ବୋଲି ସେ ମତ ରଖିଛନ୍ତି। ସଚିନ କହିଛନ୍ତି, ମୁଁ ଭାବୁଛି ଆଇପିଏଲ୍‌ର ଯଥେଷ୍ଟ ଅବଦାନ ରହିଛି। ଆମ ଯୁବଶକ୍ତିଙ୍କୁ ବଡ଼ ବଡ଼ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ଆଇପିଏଲ୍‌ ହିଁ ଦେଇଛି। ଆମ ଖେଳାଳିଙ୍କୁ ବିଶ୍ବର ଯେ କୌଣସି ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିପାରିବାର ଆତ୍ମବିଶ୍ବାସ ଆଇପିଏଲ୍‌ ହିଁ ପ୍ରଦାନ କରିଛି। ମୁଁ ଭାବୁଛି ଆମେ ବର୍ତମାନ କ୍ରିକେଟ୍ ଦୁନିଆରେ ଆଧିପତ୍ୟ ବିସ୍ତାର କରିବାର ସୌଭାଗ୍ୟଜନକ ସ୍ଥିତିରେ ପହଞ୍ଚି ଯାଇଛେ। ଆଇପିଏଲ୍ ଭାରତୀୟ କ୍ରିକେଟ୍‌କୁ ଏକ ନୂଆ ସ୍ତରକୁ ନେଇ ଯାଇଛି। ଗତ ୧୦ ବର୍ଷ ଭିତରେ ଅଧିକରୁ ଅଧିକ ଯୁବ ତାରକା ପ୍ରଷ୍ପୁଟିତ ହେବା ଆମେ ଦେଖି ଆସୁଛେ ବୋଲି ସଚିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର