କରୋନା ଆତଙ୍କ : ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ : କରୋନା ଭାଇରସ ଯୋଗୁଁ ଦେଶର ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲ ବାତିଲ ହେବାର ଆଶଙ୍କା ଦେଖାଦେଇଛି । ଚଳିତ ମାସ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ରଦ୍ଦ କରିବା କିମ୍ବା ଘୁଞ୍ଚାଇଦେବାକୁ ବିସିସିଆଇ ବିଚାର କରୁଛି । ଏ ସଂପର୍କରେ ଆଲୋଚନା ପାଇଁ ଶନିବାରଦିନ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ ବଡିର ଏକ ବୈଠକ ଡକାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ କହିଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ଆଇପିଏଲ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ଭାଇରସକୁ ବୁଧବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଭାଇରସ ଏବେ ବିଶ୍ୱର ୧୦୫ଟି ଦେଶରେ ପହଞ୍ଚିସାରିଲାଣି । ଭାରତ ସରକାର ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି । ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି ।

ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୪୩୭୩ ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୦୦ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି । ଏହି ଦେଶରେ ମୃତ୍ୟୁସଂଖ୍ୟା ୩୬ ପ୍ରତିଶତ ବୃଦ୍ଧି ପାଇ ୬୩୧ରେ ପହଞ୍ଚିଛିି ।

ସମ୍ବନ୍ଧିତ ଖବର