ଆଇପିଏଲ୍‌ ମହାସଂଗ୍ରାମ: ଆଜି ଧୋନି-ସଞ୍ଜୁ ମୁହାଁମୁହିଁ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ସୋମବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌ ଜିତିଥିବାରୁ ଲୟକୁ ଆଗକୁ ବଢ଼ାଇବା ଆଶାରେ ରହିଛନ୍ତି। ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ସହଜରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ମ୍ୟାଚ୍‌ ଜିତିଥିଲା। ନିଜ ସମ୍ଭାବନାକୁ ଠିକଣା ପଥରେ ରଖିବାକୁ ଉଭୟ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।

ବ୍ୟାଟିଂ ଶକ୍ତିସମ୍ପନ୍ନ ପଞ୍ଜାବ କିଙ୍ଗ୍ସର ମେରୁଦଣ୍ଡକୁ ଦୀପକ ଚହରଙ୍କ ବୋଲିଂ ଭାଙ୍ଗି ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟ ବରଣ କରିବା ପରେ ଏହା ଧୋନିଙ୍କ ଦଳର ମନୋବଳକୁ ଦୃଢ଼ କରିଛି। ଚହରଙ୍କୁ ଏବେ ସାମ୍ କରନ୍‌, ଶାର୍ଦୁଳ ଠାକୁର ଏବଂ ଅନ୍ୟମାନେ ଠିକଣା ସହଯୋଗ ଦେବେ ବୋଲି ଆଶା କରାଯାଉଛି। ଲୁଙ୍ଗି ଏନଗିଡିଙ୍କ ସଙ୍ଗରୋଧ ଶେଷ ହୋଇଥିବାରୁ ସେ ମଧ୍ୟ ଦଳ ଚୟନ ପାଇଁ ଉପଲବ୍‌ଧ ହେବେ। ମୋଇନ୍ ଅଲୀ ମଧ୍ୟ ପଞ୍ଜାବ ବିପକ୍ଷରେ ଭଲ ବ୍ୟାଟିଂ କରିଥିବାରୁ ସିଏସ୍‌କେ ଶିବିର ପ୍ରସନ୍ନ ରହିଛି। ନିଜ ଅଫସ୍ପିନ୍‌ରେ ସେ ଗୋଟିଏ ୱିକେଟ୍ ନେବା ସହ ବ୍ୟାଟିଂରେ ଉପ‌‌ଯୋଗୀ ଅବଦାନ ରଖିଥିଲେ। ଋତୁରାଜ ଗାଏକ୍ବାଡ ଓ ଅମ୍ବାତି ରାୟୁଡୁଙ୍କୁ କିନ୍ତୁ ରନ୍‌ ସଂଗ୍ରହରେ ଯୋଗଦାନ ରଖିବାକୁ ପଡ଼ିବ। ସୁରେଶ ରାଇନାଙ୍କ ଉପସ୍ଥିତି ଦଳର ମନୋବଳ ବଢ଼ାଇଛି ଏବଂ ଏହା ଦଳ ପାଇଁ ଫାଇଦା ହେଉଛି। ପ୍ରଥମ ମ୍ୟାଚ୍‌ରେ ଶୂନରେ ଆଉଟ୍ ହେବା ପରେ ଧୋନି ଦ୍ବିତୀୟ ମ୍ୟାଚ୍‌ରେ ବ୍ୟାଟିଂ ସୁଯୋଗ ପାଇନଥିଲେ। ତାଙ୍କ ବ୍ୟାଟିଂ ଏ ଋତୁରେ କିଭଳି ରହୁଛି ତାହା ମଧ୍ୟ ଦେଖିବାର ବେଳ ଆସିଛି।

ରାଜସ୍ଥାନ ରୟାଲ୍ସ କିନ୍ତୁ ଜବରଦସ୍ତ ଖେଳିବା ସତ୍ତ୍ବେ ନିଜ ପ୍ରଥମ ମ୍ୟାଚ୍‌କୁ ପଞ୍ଜାବ କିଙ୍ଗ୍ସ ନିକଟରୁ ହାରିଥିଲା। ସଞ୍ଜୁ ସାମସନ୍‌ଙ୍କ ଆକର୍ଷଣୀୟ ଶତକ ୧୧୯ ରନ୍‌ (୬୩ ବଲ୍‌) ସତ୍ତ୍ବେ ପଞ୍ଜାବର ୨୨୧ ରନ୍‌ଠାରୁ ରୟାଲ୍ସ ମାତ୍ର ୪ ରନ୍‌ ଦୂରରେ ରହିଯାଇଥିଲା। ସାମସନଙ୍କୁ କିନ୍ତୁ ଜୋସ୍ ବଟଲର୍, ଡେଭିଡ୍‌ ମିଲର୍‌, କ୍ରିସ୍‌ ମୋରିସ୍‌ଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ମିଲର୍‌ ଓ ମୋରିସ୍‌ ଗତ ମ୍ୟାଚ୍‌ରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଭିଜ୍ଞ ବୋଲର ଜୟଦେବ ଉନାଦକଟ୍‌ ଦିଲ୍ଲୀ ବିପକ୍ଷରେ ସୁନ୍ଦର ସ୍ପେଲ୍ ବୋଲିଂ କରି ନିଜକୁ ଚମତ୍କାର ପ୍ରତ୍ୟାବର୍ତନ କରାଇଛନ୍ତି। ଯୁବ ବାମହାତୀ ପେସ୍‌ ବୋଲର ଚେତନ ସାକାରିୟାଙ୍କ ସହ କ୍ରିସ୍‌ ମାରିସ୍‌ ଓ ମୁସ୍ତାଫିଜୁର ରହମାନଙ୍କ ବୋଲିଂ ବି ଦଳର ଆକ୍ରମଣକୁ ଭିନ୍ନ ରଖିଛି। ତେଣୁ ସୋମବାରର ଏହି ୱିକେଟରକ୍ଷକ ଅଧିନାୟକଙ୍କ (ମହେନ୍ଦ୍ର ସିଂହ ଧୋନି-ସଞ୍ଜୁ ସାମସନ୍‌) ମୁକାବିଲା ରୋମାଞ୍ଚକ ହେବ ବୋଲି ବିଶ୍ବାସ କରାଯାଉଛି। ରୟାଲ୍ସ ବୋଲିଂ ଆଗରେ ସୁପର୍‌ କିଙ୍ଗ୍ସର ଅସ୍ଥିର ବ୍ୟାଟିଂ ନିଶ୍ଚିତ ପରୀକ୍ଷାରେ ପଡ଼ିବ।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍‌, ବେନ୍ ‌ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।

ସମ୍ବନ୍ଧିତ ଖବର