ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ୪ର୍ଥ ମ୍ୟାଚ୍ରେ ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ୍ । ଦ୍ବିତୀୟ ପାଳିରେ ୧୫୯ ରନ୍ର ଲକ୍ଷ୍ୟକୁ ପିଛା କରି ଗୁଜୁରାଟ ୧୯.୪ ଓଭରରେ ୫ ୱିକେଟ ହରାଇ ୧୬୧ ରନ୍ କରି ବିଜୟ ହାସଲ କରିଛି । ଗୁଜୁରାଟ ପକ୍ଷରୁ ପ୍ରଥମରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା। କିନ୍ତୁ ଡେଭିଡ ମିଲରଙ୍କ ୨୧ ବଲରେ ୩୦ରନ୍ ଓ ରାହୁଲ ଟିୱତିଆଙ୍କ ୨୪ ବଲରେ ୪୦ ରନ୍ ବଳରେ ଗୁଜୁରାଟକୁ ଜିତିବା ଅବସ୍ଥାକୁ ଫେରିଥିଲା। ଶେଷରେ ଯୁବ ପ୍ରତିଭା ଅଭିନବ ମନୋହରଙ୍କ ଦମ୍ଦାର ୭ ବଲ୍ରେ ୧୫ ରନ୍ ବଳରେ ଗୁଜୁରାଟ ଟାଇଟନ୍ସ୍ ଚଳିତ ସଂସ୍କରଣର ପ୍ରଥମ ବିଜୟ ହାସଲ କରିଛି ।
ପ୍ରଥମ ପାଳିରେ ଗୁଜରାଟ୍ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ୍ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା୍ଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ ବ୍ୟାଟିଂ ଆରମ୍ଭ କରିଥିଲା ଏବଂ ସ୍କୋରକୁ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୮ରେ ପହଞ୍ଚାଇଥିଲା। ଫଳରେ ଗୁଜରାଟ୍କୁ ୧୫୯ ରନ୍ର ଟାର୍ଗେଟ ମିଳିଥିଲା।
ଆଇପିଏଲ୍ରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ଗୁଜରାଟ ଟିମ୍ର ବୋଲର ସୋମବାର ଭଲ ପ୍ରଦର୍ଶନ କରିଛି। ଅପରପକ୍ଷେ ଲକ୍ଷ୍ନୌର ପ୍ରାଥମିକ ପର୍ଯ୍ୟାୟରେ ୪ ବ୍ୟାଟର ବିପର୍ଯ୍ୟର ସାମ୍ନା କରିଛନ୍ତି। ଅଭିଜ୍ଞ ଖେଳାଳି କେ.ଏଲ୍. ରାହୁଲ (୦), କ୍ୱିଣ୍ଟନ୍ ଡି’ କକ୍(୭), ଇଭିନ୍ ଲୁଇସ୍ (୧୦) ଓ ମନୀଷ ପାଣ୍ଡେ (୬) ଶସ୍ତାରେ ଆଉଟ୍ ହୋଇଥିଲେ। କିନ୍ତୁ ମଧ୍ୟକ୍ରମର ଖେଳାଳି ଦୀପକ ହୁଡ୍ଡା (୫), ଆୟୁଷ ବାଦୋନି (୫୪) ଓ କ୍ରୁଣାଳ ପାଣ୍ଡ୍ୟା (ଅପରାଜିତ ୨୧ ରନ୍) କରି ଲକ୍ଷ୍ନୌର ଆଶା ଉଜ୍ଜୀବିତ କରିଥିଲେ। ଗୁଜରାଟ ପାଇଁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲା ବେଳେ ବରୁନ ଆରୋନ୍ ୨ଟି ଓ୍ଵିକେଟ୍ ନେଇଥିଲେ। ରସିଦ୍ ଖାନ୍ ଗୋଟିଏ ନେଇଥିଲେ।