ମୋହାଲି: ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୮ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜରାଟ ୧୫୪ ରନ୍ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ୪ୱିକେଟ ହରାଇ ୧୫୪ ରନ୍ କରି ବିଜୟୀ ହୋଇଛି । ଶୁବମନ ଗିଲ ୬୭ ରନ୍ , ରିଦ୍ଧିମାନ ସାହା ୩୦ ରନ୍ କରିଥିବା ବେଳେ ଡେଭିଡ ମିଲର ୧୭ ରନ୍ କରି ଗୁଜୁରାଟକୁ ବିଜୟ ଦେଇଥିଲେ । ଅନ୍ୟପଟେ ପଞ୍ଜାବ ପକ୍ଷରୁ ସାମ୍ କରନ୍, ହରପ୍ରୀତ ବ୍ରା, କାଗିସୋ ରାବଡା, ଅର୍ଶଦୀପ ସିଂ ୧-୧ ୱିକେଟ ନେଇଥିଲେ ।
ପୂର୍ବରୁ ଗୁଜରାଟ ଟାଇଟନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ଆରମ୍ଭରୁ ପଞ୍ଜାବ ଦଳ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରଭସିମରନ ସିଂ ୦ ଓ ଶିଖର ଧଓ୍ବନ ୮ ରନ କରି ଆଉଟ ହୋଇଥିଲେ । ତେବେ ମାଥ୍ୟ ସର୍ଟ ଓ ଭାନୁକା ରାଜପକ୍ଷ ସତର୍କତାର ସହ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କିନ୍ତୁ ଉଭୟ ବଡ଼ ସ୍କୋର୍ କରିପାରିନଥିଲେ । ମାଥ୍ୟୁ ସର୍ଟ ୩୬ ରନ କରିବା ସହ ରାଜପକ୍ଷେ ୨୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୫ରନ କରିଥିବାବେଳେ ସାମ କୁରାନ ଓ ଶାହରୁଖ ଖାଁ ୨୨ରନ ଲେଖାଏଁ କରିଥିଲେ ।
ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୨ଟି ଓ୍ବିକେଟ ନେଇଥିବାବେଳେ ରସିଦ ଖାଁ, ଅଲଜାରି ଜୋସେଫ, ଜୋସୁଆ ଲିଟଲ ଓ ମହମ୍ମଦ ସମି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।