ଜୟପୁର: ଚଳିତ ଆଇପିଏଲ୍‌ରେ ଗତଥର ବିଜେତା ଗୁଜରାଟ ଟାଇଟନ୍ସ ବିଜୟଧାରାକୁ ଜାରି ରଖିବା ସହ ପ୍ଲେ ଅଫ୍‌ର ନିକଟତର ହୋଇଛି। ଶୁକ୍ରବାର ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ସପ୍ତମ ବିଜୟ ସହ ଶୀର୍ଷ ସ୍ଥାନକୁ ମଧ୍ୟ ଅଧିକ ଦୃଢ଼ କରିଛି। ଦୁଇ ଅଫଗାନିସ୍ତାନ ବୋଲର ରସିଦ୍ ଖାନ୍ ଓ ନୂର ଅହମ୍ମଦ ରୟାଲ୍ସ ପାଳିକୁ ୧୧୮ ରନ୍‌ରେ ରୋକି ଦେଇଥିଲେ। ରିଦ୍ଧିମାନ ସାହା (୪୧*), ହାର୍ଦିକ ପାଣ୍ଡ୍ୟା (୩୯*), ଶୁବମନ ଗିଲ୍‌ (୩୬)ଙ୍କ ପାଳି ବଳରେ ଗୁଜରାଟ ୧୩.୫ ଓଭରରେ ମାତ୍ର ଗୋଟିଏ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏକାଦଶ ଓଭରରେ ଆଦାମ ଜାମ୍ପାଙ୍କ ୫ ବଲରୁ ୨୩ ରନ୍‌ (୬, ୪, ୬, ୬, ୧) ଆଦାୟ କରି ହାର୍ଦିକ ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ପ୍ରଥମାର୍ଦ୍ଧରେ ଭଲ ଖେଳିଥିବା ରାଜସ୍ଥାନ ରୟାଲ୍ସ ଶେଷ ୫ ମ୍ୟାଚ୍‌ରୁ ୪ଟି ହାରି ଚାପରେ ପଡ଼ିଛି।

Advertisment

ଶୁକ୍ରବାର ଗୁଜରାଟ ଟାଇଟନ୍ସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସକୁ ତା’ ଘରେ ଧୂଳି ଚଟାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୧୧୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଆରମ୍ଭରୁ ବିପର୍ଯ୍ୟୟ ଭିତରେ ରହିଥିଲା। ଦ୍ବିତୀୟ ଓଭରରେ ଜୋସ୍‌ ବଟଲର୍‌ (୮)ଙ୍କୁ ହରାଇବା ପରେ ଷଷ୍ଠ ଓଭରରେ ଯଶସ୍ବୀ ଜୟସ୍ବାଲ୍‌ (୧୪) ରନ୍‌ଆଉଟ୍‌ ହୋଇଯାଇଥିଲେ। ଯଦିଓ ଅଧିନାୟକ ସଂଜୁ ସାମସନ୍‌ (୩୦) ପାଳିକୁ ଉଦ୍ଧାର କରିବା ପାଇଁ ରକ୍ଷଣାତ୍ମକ ଖେଳୁଥିଲେ, କିନ୍ତୁ ସେ ମଧ୍ୟ ଦଳର ତୃତୀୟ ୱିକେଟ୍‌ ଭାବେ ପ୍ୟାଭିଲିୟନ ଫେରିଥିଲେ। ପାୱାରପ୍ଲେ ମଧ୍ୟରେ ୫୦ ରନ୍‌ ସଂଗ୍ରହ କରିଥିବା ରାଜସ୍ଥାନ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ସଂଜୁ ଦଳର ସର୍ବାଧିକ ସ୍କୋରର ହୋଇଥିଲା ବେଳେ ତାଙ୍କ ପଛକୁ ଟ୍ରେଣ୍ଟ ବୋଲ୍ଟ (୧୫), ଜ‌ୟସ୍ବାଲ୍‌ ଓ ଦେବଦତ୍ତ ପଡ଼ିକଲ୍‌ (୧୨) ଦୁଇ ଅଙ୍କ ସ୍କୋର କରିପାରିଥିଲେ। ରସିଦ୍‌ ଖାନ୍‌ ସବୁଠୁ ସଫଳ ବୋଲର ଭାବେ ରାଜସ୍ଥାନ ମଧ୍ୟକ୍ରମ ଭାଙ୍ଗିଥିଲା ବେଳେ ୪-୦-୧୪-୩ ଚିତ୍ର ପାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ରସିଦ ପାଇଥିଲେ।