ମୁମ୍ବାଇ: ସ୍ଥାନୀୟ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଦେଇଛି। ଉମ୍ରାନ ମଲ୍ଲିକଙ୍କ ୫ ୱିକେଟ୍ ଦଖଲକୁ କେକାର କରିଦେଇ ରାହୁଲ ତିୱାତିଆ ଓ ରସିଦ୍ ଖାନ୍ ଗୁଜରାଟକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ। ଅନ୍ତିମ ଓଭରରୁ ୨୨ ରନ୍ ଦରକାର ଥିଲା ବେଳେ ମାର୍କୋ ଜାନ୍ସେନ୍ଙ୍କୁ ଉଭୟେ (ରସିଦ୍ ୩ ଓ ତିୱାତିଆ ୧) ୪ ଛକା ମାରି ଗୁଜରାଟ ଶିବିରରେ ଉଲ୍ଲାସ ଭରିଦେଇଥିଲେ। ଗୁଜରାଟର ପତନ ଘଟିଥିବା ସମସ୍ତ ୫ଟିଯାକ ୱିକେଟ୍ ଉମ୍ରାନ ଅକ୍ତିଆର କରିଥିଲେ ମଧ୍ୟ ଅନ୍ୟ କେହି ପ୍ରଭାବୀ ହୋଇନଥିଲେ। ଏହାର ଫାଇଦା ଉଠାଇ ତିୱାତିଆ ଓ ରସିଦ୍ ଖାନ୍ ବିସ୍ଫୋରକ ପାଳି ଖେଳିଥିଲେ। ଶେଷ ୪ ଓଭରରୁ ଦୁହେଁ ୫୯ ରନ୍ ଯୋଡ଼ି ଗୁଜରାଟକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଏଥି ସହିତ ଗୁଜରାଟ ଅଷ୍ଟମ ମ୍ୟାଚ୍ରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟରେ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲା ବେଳେ ହାଇଦ୍ରାବାଦ କିନ୍ତୁ ସମାନ ୮ ମ୍ୟାଚ୍ରୁ ତୃତୀୟ ପରାଜୟ ସହ ତୃତୀୟ ସ୍ଥାନରେ ସ୍ଥିର ରହିଲା।
ଉମ୍ରାନ୍ ତାଙ୍କ ଘାତକ ବୋଲିଂ ଜରିଆରେ ଗିଲ୍, ପାଣ୍ଡ୍ୟା, ରିଦ୍ଧିମାନ, ମିଲର ଓ ମନୋହରଙ୍କୁ ଶିକାର କରି ଗୁଜରାଟକୁ ପରାଜୟ ପାଇଁ ବାଧ୍ୟ କରିଥିଲେ। ଉମ୍ରାନ ମଧ୍ୟ ତାଙ୍କ ଚତୁର୍ଥ ତଥା ଅନ୍ତିମ ଓଭରର ଶେଷ ଦୁଇ ବଲ୍ରେ ୨ ୱିକେଟ୍ ନେଇ ହ୍ୟାଟ୍ରିକ୍ ସୁଯୋଗରେ ରହିଛନ୍ତି। ଜଣେ ଅଣଆନ୍ତର୍ଜାତିକ ଖେଳାଳି ଭାବେ ଆଇପିଏଲ୍ରେ ତୃତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର (୫/୨୫) ପାଇଥିଲେ। ତାଙ୍କ ପୂର୍ବରୁ ଅଙ୍କିତ ରାଜପୁତ (୫/୧୪) ଓ ବରୁଣ ଚକ୍ରବର୍ତୀ (୫/୨୦) ଶ୍ରେଷ୍ଠ ଦୁଇ ସ୍ଥାନରେ ରହିଛନ୍ତି। ହର୍ଷଲ ପଟେଲ (୫/୨୭) ଏବଂ ଅର୍ଶଦୀପ ସିଂହ (୫/୩୨) ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର (୫/୧୮) ପରେ ଉମ୍ରାନ ଦ୍ବିତୀୟ ଶ୍ରେଷ୍ଠ ବୋଲିଂ ସଫଳତା ହାତେଇଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍ର ଗୋଟିଏ ମ୍ୟାଚ୍ରେ ୪ ଜଣ ବ୍ୟାଟର୍ଙ୍କୁ ବୋଲ୍ଡ କରିବାରେ ଲସିଥ ମାଲିଙ୍ଗା ଏବଂ ସିଦ୍ଧାର୍ଥ ତ୍ରିବେଦୀଙ୍କ ପରେ ଉମ୍ରାନ ତୃତୀୟ ବୋଲର ହୋଇଛନ୍ତି।
ଏହି ପଡ଼ିଆରେ ଏହା ପୂର୍ବରୁ ଖେଳାଯାଇଥିବା ୫ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ ହୋଇଥିଲା। ଏଭଳି ଅତୀତ ପରିସଂଖାନ ସତ୍ତ୍ବେ ଗୁଜରାଟ ଅଧିନାୟକ ହାର୍ଦିକ୍ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ହାଇଦ୍ରାବାଦକୁ ଆମନ୍ତ୍ରଣ କରିଥିଲେ। ଏହା ମଧ୍ୟ ପାଣ୍ଡ୍ୟାଙ୍କ ସପକ୍ଷରେ ଯାଇଥିଲା। ଫଳରେ ୱାଙ୍ଖ୍ଡେରେ ପ୍ରଥମେ ବ୍ୟାଟିଂ କରି ଶତପ୍ରତିଶତ ବିଜୟ ଧାରା ଭାଙ୍ଗିଥିଲା। ଦୁଇଟି ଅର୍ଦ୍ଧଶତକ ବ୍ୟତୀତ ଅନ୍ତିମ ଓଭରରେ ୪ ଛକା ବଳରେ ହାଇଦ୍ରାବାଦ ମଧ୍ୟ ୧୯୫/୬ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଦୁଇ ଓପ୍ନର ରିଦ୍ଧିମାନ ଶାହା ଏବଂ ଶୁବମନ ଗିଲ୍ଙ୍କ ଭଲ ଆରମ୍ଭ ସତ୍ତ୍ବେ ଉମ୍ରାନ ମଲ୍ଲିକଙ୍କ ଘାତକ ବୋଲିଂ କରି କିଛିଟା ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ଶେଷରେ ଗୁଜରାଟ ହିଁ ବିଜୟ ମୁଣ୍ଡି ମାରିଥିଲା। ଉମ୍ରାନ ଘତେକ ସାବ୍ୟସ୍ତ ହୋଇଥିଲା ବେଳେ ୟର୍କର ବିଶେଷଜ୍ଞ ଟି ନଟରାଜନ ଚଳିତ ଋତୁରେ ପ୍ରଥମ ଥର ପାଇଁ କିନ୍ତୁ ୱିକେଟ୍ଶୂନ୍ୟ ରହିଥିଲେ।