ଅହମଦାବାଦ: ଶୁବମନ ଗିଲ୍‌, ଡେଭିଡ୍‌ ମିଲର, ଅଭିନବ ମନୋହର ଓ ରାହୁଲ ତିୱାତିଆଙ୍କ ବି‌‌ସ୍ଫୋରକ ବ୍ୟାଟିଂ ଯୋଗୁଁ ଗୁଜରାଟ ପ୍ରଥମେ ୨୦୭/୬ ସ୍କୋର କରିଥିଲା। ପରେ ଦୁଇ ଆଫଗାନୀ ସ୍ପିନର ରସିଦ ଖାନ୍‌ (୨/୨୭) ଓ ନୂର ଅହମ୍ମଦ (୩/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ୫୫ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବିସ୍ଫୋରକ ବ୍ୟାଟିଂ କରିଥିବାରୁ ଅଭିନବ ମନୋହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
୨୦୮ ରନ୍‌ର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୫୨/୯ ରନ୍‌ କରିପାରିଥିଲା। ଦ୍ବିତୀୟ ଓଭରରେ ରୋହିତ ଶର୍ମାଙ୍କୁ ପାଣ୍ଡ୍ୟା ଆଉଟ୍‌ କରିବା ପରେ ରସିଦ୍‌ ଓ ନୂର୍‌ ମୁମ୍ବାଇର ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ୫୯ ରନ୍‌ ମଧ୍ୟରେ ୫ ୱିକେଟ୍‌ (ରୋହିତ, ଇଶାନ, ତିଳକ ବର୍ମା, କାମେରୁନ୍‌ ଗ୍ରିନ୍‌ ଓ ଟିମ୍‌ ଡେଭିଡ୍‌)ର ପତନ ଘଟିବା ପରେ ସୂର୍ଯ୍ୟକୁମାର ଯାଦବ ଓ ନେହାଲ ୱାଧିରା ଷଷ୍ଠ ୱିକେଟ୍‌ରେ ୩୧ ରନ୍‌ ଯୋଡ଼ିଥିଲେ। କିନ୍ତୁ ନୂରଙ୍କ ଗୁଗ୍‌ଲିକୁ ବୁଝିନପାରି ସୂର୍ଯ୍ୟ ସିଧା ଖେଳିବାକୁ ଯାଇ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ନେହାଲ (୪୦) ଦଳକୁ ଆଶା ଦେଇଥିଲେ ବି ସେ ମଧ୍ୟ ପେଡାଲ ସ୍ବିପ୍‌ ମାରିବାକୁ ଯାଇ ନିଜ ୱିକେଟ୍‌ ହରାଇଥିଲେ।

Advertisment

ପୂର୍ବରୁ ରୋହିତ ଶର୍ମା ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ବେଳେ ତୃତୀୟ ଓଭରରେ ରିଦ୍ଧିମାନ ଶାହା (୪)ଙ୍କୁ ଅର୍ଜୁନ ତେନ୍ଦୁଲକର ଆଉଟ୍‌ କରିଥିଲେ। ପାଣ୍ଡ୍ୟା (୧୩) ମଧ୍ୟ ବିଶେଷ କରି କରିନପାରି ପାୱାରପ୍ଲେ ପରବର୍ତ୍ତୀ ବଲ୍‌ରେ ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। କିନ୍ତୁ ‌ଅନ୍ୟପଟରୁ ଚୌକା, ଛକା ମାରି ଅର୍ଦ୍ଧଶତକ ଅର୍ଜନ କରିଥିବା ଶୁବମନ ଗିଲ୍‌ (୫୬) ଶେଷରେ ନିଜ ୱିକେଟ୍‌ ହରାଇଥିଲେ। ବିଜୟ ଶଙ୍କର (୧୯)ଙ୍କ ୱିକେଟ୍‌ ପରେ ଡେଭିଡ୍‌ ମିଲର ଓ ଅଭିନବ ମନୋହର ଗୁଜରାଟ ଆକ୍ସରେଲେଟରରେ ଗୋଡ଼ ରଖି ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ। ୧୩ ଓଭର ବେଳକୁ ଦଳର ସ୍କୋର ୧୦୩/୪ ଥିଲା ବେଳେ ପଞ୍ଚମ ୱିକେଟ୍‌ରେ ମିଲର-ମନୋହର ଯୋଡ଼ି ୩୫ ବଲ୍‌ରୁ ୭୧ ରନ୍‌ ଉଠାଇଥିଲେ। ପ୍ରଥମରୁ ଧିମା ଖେଳିଥିବା ମିଲର ପର୍ଯ୍ୟାୟକ୍ରମେ ଦ୍ରୁତ ଖେଳିଥିଲେ। ୧୯ତମ ଓଭରର ପ୍ରଥମ ବଲ୍‌ରେ ମନୋହର (୪୨) ଆଉଟ୍‌ ହୋଇଥିଲେ ବି ଦଳର ପ୍ରଦର୍ଶନ ଉପରେ ‌କିଛି ଫରକ ପଡ଼ିନଥିଲା। ରାହୁଲ ତିୱାତିଆ (୨୦*) ଚିରାଚରିତ ଢଙ୍ଗରେ ୫ ବଲ୍‌ରୁ ୩ ଛକା ମାରି ଦଳକୁ ୨୦୦ ପାର୍‌ କରାଇଥିଲେ। ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ମିଲର (୪୬) କିନ୍ତୁ ଗୋଟିଏ ବଲ୍‌ ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଶେଷ ୭ ଓଭରରେ ଦଳ ୧୦୪ ରନ୍‌ ସଂଗ୍ରହ କରିଥିଲା।