ଆଇପିଏଲ: ଓ୍ଵାର୍ଣ୍ଣର-ବେୟାରଷ୍ଟୋଙ୍କ ବିସ୍ଫୋରକ ବ୍ୟାଟିଂ, କୋଲକାତାକୁ ୯ ଓ୍ଵିକେଟରେ ହରାଇଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ୍‌: ଡାଭିଡ ଓ୍ଵାର୍ଣ୍ଣର (୬୭ ରନ, ୩୮ ବଲ, ୩ ଚୌକା, ୫ ଛକା) ଓ ଜନି ବେୟାରଷ୍ଟୋ (ଅପରାଜିତି ୮୦ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରବିବାର କୋଲକାତାକୁ ହାଇଦ୍ରାବାଦ୍‌ ୯ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୧୬୦ ରନ୍‌ ଟାର୍ଗେଟ ନେଇ ହାଇଦ୍ରାବାଦ୍‌ ୧୫ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୬୧ ରନ୍‌ କରିଛି। କେନ୍‌ ଓ୍ଵିଲିୟମସନ୍‌ ଅପରାଜିତ ୮ ରନ୍‌ କରିଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୩୮ତମ ମ୍ୟାଚ୍‌ର ପ୍ରଥମ ଇନିଂସରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ କୋଲକାତା ନାଇଟ୍‌ ରାଇଡର୍ସ ୧୬୦ ରନ୍‌ ଟାର୍ଗେଟ ଦେଇଥିଲା। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆୟୋଜକ ହାଇଦ୍ରାବାଦ୍‌ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ ହରାଇ ୧୫୯ ରନ କରିଥିଲା।

Hindustan Times

କୋଲକାତା ପାଇଁ କ୍ରସି ଲିନ ସର୍ବାଧିକ ୫୧ ରନ ଯୋଡ଼ିଥିଲେ। ସେ ୪୭ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ। ଦଳର ଅନ୍ୟ ଖେଳାଳି ସୁନିଲ ନାରାୟଣ ୨୫ ରନ, ରିଙ୍କୁ ସିଂ ୩୦ ରନ, ଆନ୍ଦ୍ରେ ରସଲ ୧୫ ରନ ଓ ନୀତିଶ ରାଣା ୧୧ ରନ କରିଥିବା ବେଳେ ଅନ୍ୟ ଖେଳାଳିମାନେ ଉତ୍ସାହ ଜନକ ରନ କରିବାରେ ବିଫଳ ହୋଇଥିଲେ।

ହାଇଦ୍ରାବାଦ୍‌ ପାଇଁ ଖଲିଲ ଅହମଦ ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର ୨ଟି ଓ୍ଵିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ଓ ରସିଦ ଖାନ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର