ଆରମ୍ଭରୁ କେଁ: ଖେଳାଳିଙ୍କ ନାମ ବଦଳାଇ ଦେଇଦେଲେ ନୂଆ ନାମ

ଭୁବନେଶ୍ୱର: ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହିତ ଚମତ୍କାର କ୍ରିକେଟ୍‌ ଭିତରେ ଆରମ୍ଭ ହୋଇଛି ଆଇପିଏଲ୍‌ର ୧୬ତମ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍‌ରେ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି | ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ଦିଆଯାଇଥିବା ୧୭୯ ରନ୍‌ ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟନ୍ସ ୪ ବଲ୍ ପୂର୍ବରୁ ଜିତିଯାଇଥିଲା। ତେବେ ଏଥର ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହୋଇଛି ଆଇପିଏଲ୍‌। ପ୍ୟାନେଲ୍‌ରେ ଓଡ଼ିଆ ଅତିଥି ସାଙ୍ଗକୁ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହୋଇଛି |

ଜିଓ ସିନେମାରେ ଗତକାଲିଠାରୁ ଆଇପିଏଲ ମ୍ୟାଚର ସିଧାପ୍ରସାରଣ ଆରମ୍ଭ ହୋଇଥିବାବେଳେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେଇଛନ୍ତି ଦର୍ଶକ। ତେବେ ଏସବୁ ଭିତରେ ଏଭଳି କିଛି ବ୍ୟତିକ୍ରମ ଦେଖାଦେଇଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଗତକାଲି ମ୍ୟାଚ ସମୟରେ ଗୁଜୁରାଟ ଟାଇଟନ୍ସର ଜଣେ ଖେଳାଳିଙ୍କ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି | ସୋସିଆଲ ମିଡ଼ିଆ ୟୁଜର୍ସ ଏହାକୁ ନେଇ ଟ୍ରୋଲ୍ କରିଛନ୍ତି | ଏହି ଖେଳାଳିଙ୍କ ନାମ ଜୋସ ଲିଟଲ ହୋଇଥିବାବେଳେ ତାଙ୍କ ନାମ ବଦଳି ଯାଇ ‘ଛୋଟ’ ବୋଲି ଦେଖିବାକୁ ମିଳିଥିଲା | ତେବେ ଜଣଙ୍କର ନାମ କିଭଳି ପରିବର୍ତ୍ତନ କରାଯାଇପାରିବ ବୋଲି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି |

ଏନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି ଯେ ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରୀତି ଆମେ ଦେଖାଉନାହେଁ, ବରଂ ଆମର ଅଜ୍ଞତାକୁ ପ୍ରକାଶ କରୁଛେ | କ୍ରିକେଟ ପାଇଁ ସାରା ଦେଶ ପାଗଳ, ଓଡ଼ିଶାରେ ମଧ୍ୟ ଅନେକ କ୍ରିକେଟପ୍ରେମୀ ଅଛନ୍ତି | ତେବେ ହାସ୍ୟାସ୍ପଦ କଥା ହେଉଛି ଯେ କ୍ରିକେଟରଙ୍କ ନାମକୁ ଆମେ ଠିକ ଭାବେ ଲେଖିପାରୁନୁ ବା କହିପାରୁନୁ | ବହୁବର୍ଷ ଯାଏଁ ଆମେ କିମ୍ବଦନ୍ତୀ ଖେଳାଳି ସେନ୍ ୱାର୍ଣ୍ଣଙ୍କ ନାମକୁ ସାନେ ୱାର୍ଣ୍ଣେ ଲେଖୁଥିଲେ | ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁମାନେ ସେଠାରେ ଅଛନ୍ତି ସେମାନେ କ୍ରିକେଟ କମେଣ୍ଟ୍ରି ଦେଖୁଥିବେ, ଶୁଣୁଥିବେ ତାହା ସତ୍ତ୍ୱେ ଏଭଳି ହାସ୍ୟାସ୍ପଦ ଭୁଲ କିଭଳି କରୁଛନ୍ତି | ଯଦି ଶବ୍ଦର ଅର୍ଥ ଅନୁସାରେ ନାମ ବଦଳିଯାଉଥାଏ ତାହା ତ ବଡ ଅଡୁଆ କଥା | ଏହାଦ୍ୱାରା କେବଳ ଆମର ଅଜ୍ଞତା ପ୍ରକାଶ କରୁଛେ ଏବଂ ଯିଏ ବି ଏହି ଦାୟିତ୍ୱରେ ଅଛନ୍ତି ସେ କେବଳ ଅଜ୍ଞତା ପ୍ରକାଶ କରିନାହାଁନ୍ତି ବରଂ ଓଡ଼ିଆ ଭାଷାକୁ ଅପମାନିତ କରିଛନ୍ତି |

ସମ୍ବନ୍ଧିତ ଖବର