ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍‌: ବ୍ରିଜେଶ

ଖାଲି ଷ୍ଟାଡିୟମ୍‌ରେ ହୋଇପାରେ: ଗାଙ୍ଗୁଲି

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜନ ଲାଗି ପ୍ରସ୍ତୁତ ହେଉଥିବା ନେଇ ଗୁରୁବାର ଏହାର ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେ ଆଇପିଏଲ୍‌ ପାଇଁ ପ୍ରସ୍ତୁତ। କିନ୍ତୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ଉପରେ ଆଇସିସିର ବିଧିବଧ ଘୋଷଣା ପରେ ହିଁ ଆମେ ସୂଚୀ ପ୍ରସ୍ତୁତ ପାଇଁ ଯୋଜନା କରିବୁ। ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍‌ ଆୟୋଜନ ଲାଗି ଆମେ ଲକ୍ଷ୍ୟ ରଖିଛୁ। ଅନ୍ୟ ଦେଶକୁ ଆଇପିଏଲ୍‌ ଆଶିଂକ କିମ୍ବା ସମ୍ପୂର୍ଣ୍ଣ ସ୍ଥାନାନ୍ତରିତ କରିବା ନେଇ ଚିନ୍ତା କରିନୁ। ଯଦି ବି ପ୍ରଥମ ଚରଣ ଦେଶ ବାହାରେ କରିବୁ, ତଥାପି ସେଠାକୁ ଗଲେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଭାରତ ଚରଣ ପାଇଁ ସେଠାରୁ ଫେରିଲେ ପୁଣି ଆଉ ଥରେ କ୍ବାରେଣ୍ଟାଇନ୍‌କୁ ଯିବାକୁ ପଡ଼ିବ। ଯଦି ଅକ୍ଟୋବର ବେଳକୁ ‌କରୋନା ସଂକ୍ରମଣର ପ୍ରଭାବ କମିଥିବ ତେବେ ଅଲଗା କଥା। କିନ୍ତୁ ବିଦେଶରେ ପୂରା ପ୍ରତିଯୋଗିତା ଆୟୋଜନ ଆମ ଯୋଜନାରେ ନାହିଁ ବୋଲି ବ୍ରିଜେଶ କହିଛନ୍ତି। ସେ ପୁଣି କହିଛନ୍ତି ଯେ ଯଦି ବି ଆଇପିଏଲ୍‌ ଆୟୋଜିତ ହୁଏ ତେବେ ଏହା ଖାଲି ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନାକୁ ଏଡ଼ାଇ ହେବନି। ଏହା ପ୍ରଶଂସକଙ୍କ ପାଇଁ ଏତେଟା ଅସୁବିଧା ହେବନି। କାରଣ ପ୍ରାଇମ୍ ଟାଇମ୍‌ରେ ଟିଭିରେ ପ୍ରସାରଣ କରିବାର ଯୋଜନା ରହିଛି। କିନ୍ତୁ ଆଇପିଏଲ୍‌ ଆୟୋଜନ ଆଇସିସିର ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଷ୍ପତ୍ତି ପରେ ହିଁ ନିଆଯିବ ବୋଲି ବ୍ରିଜେଶ ପ୍ରକାଶ କରିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନେଇ ପ୍ରଥମେ ମେ’ ୨୮ରେ ନିଷ୍ପତ୍ତି ନିଆଯିବାର ଥିଲା। ପରେ ଏହାକୁ ଜୁନ୍‌ ୧୦ ଏବଂ ଏବେ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଗଲାଣି। ନିଷ୍ପତ୍ତି ନେବାରେ ଆଇସିସିର ଏଭଳି ବିଳମ୍ବ ଆମକୁ ଆଇପିଏଲ୍‌ ଆୟୋଜନ ପାଇଁ ବାଟ ଛାଡୁନି ବୋଲି ପଟେଲ କହିଛନ୍ତି।

କରୋନା ମହାମାରୀ ଯୋଗୁଁ ସଂପ୍ରତି ଆଇପିଏଲ୍‌ ପ୍ରତିଯୋଗିତା ବନ୍ଦ ରହିଛି। ଯଦି ଚଳିତ ବର୍ଷ ଏହି ଧନୀ କ୍ରିକେଟ୍‌ ‌ଲିଗ୍‌ ଆରମ୍ଭ ହୁଏ ତେବେ ଏହା ‌ଖାଲି ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସଂକେତ ଦେଇଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ ନେଇ ବିସିସିଆଇ ସମସ୍ତ ପ୍ରକାର ବିକଳ୍ପ ଖୋଲା ରଖିଛି। ଏନେଇ ବୁଧବାର ଆଇସିସି ବୈଠକ ପରେ ପରେ ସମସ୍ତ ଅନୁବନ୍ଧିତ ଶାଖାଗୁଡ଼ିକୁ ଚିଠି ‌ପଠାଯାଇଛି ବୋଲି ଗାଙ୍ଗୁଲି କହିଛନ୍ତି। ଯଦି ଆଇପିଏଲ୍‌ ସମ୍ଭବ ହୁଏ ତାହାଲେ ବିନା ଦଶର୍କରେ ଖାଲି ଷ୍ଟାଡିୟମରେ ମ୍ୟାଚ୍‌ ସବୁ ଖେଳାଯିବ ବୋଲି ଗାଙ୍ଗୁଲି କହିଛନ୍ତି। ପ୍ରଶଂସକଙ୍କଠୁ ଆରମ୍ଭ କରି ଫ୍ରାଞ୍ଚାଇଜ୍‌, ଖେଳାଳି, ପ୍ରସାରଣ ସଂସ୍ଥା, ପ୍ରାୟୋଜକ ଏବଂ ହିତାଧିକାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଲକ୍ଷ୍ୟ ଆଇପିଏଲ୍‌ ଆୟୋଜିତ ହେଉ। ଘରୋଇ ଓ ବିଦେଶୀ ଖେଳାଳିମାନେ ମଧ୍ୟ ଚଳିତ ବର୍ଷ ଆଇପିଏଲ୍‌ରେ ଖେଳିବା ଲାଗି ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି। ବିସିସିଆଇ ଶୀଘ୍ର ଏହା ଉପରେ ନି‌ଷ୍ପତ୍ତି ନେବ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ବିସିସିଆଇ ମଧ୍ୟ ଆଗାମୀ ଘରୋଇ ଋତୁ (ରଣଜୀ ଟ୍ରଫି, ଦଲୀପ ଟ୍ରଫି ଏବଂ ବିଜୟ ହଜାରେ) ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତରେ ରହିଛି। ଆଗାମୀ ଦୁଇ-ତିନି ସପ୍ତାହ ମଧ୍ୟରେ ବିସିସିଆଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ବୋଲି ଏହି ପୂର୍ବତନ ଅଧିନାୟକ କହିଛନ୍ତି।

ସରକାର ନିଷ୍ପତ୍ତି ନେବେ: କ୍ରୀଡ଼ାମନ୍ତ୍ରୀ
ଚଳିତ ବର୍ଷ ଆଇପିଏଲ୍‌ ଆୟୋଜିତ ହେବ କି ନାହିଁ ତାହା ବିସିସିଆଇ ନିଷ୍ପତ୍ତି ନେଇପାରିବନି। କରୋନା ଭୂତାଣୁ ଦେଶରେ ନିୟନ୍ତ୍ରଣକୁ ଆସିଲାପରେ ସରକାର ଏହାର ଭବିଷ୍ୟତ ନିର୍ଧାରଣ କରିବେ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ପୂର୍ବରୁ କହି ସାରିଛନ୍ତି। ଯଦି ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନଥିବ ତାହେଲେ ଆଇପିଏଲ୍‌ ଆୟୋଜନରେ କୌଣସି ସମସ୍ୟା ନାହିଁ। ତେଣୁ ଏବେ କୋଭିଡ୍‌-୧୯ ସହ କିପରି ଲଢେଇ କରିବା ତାହା ପ୍ରାଥମିକତା ହେବା ଉଚିତ୍‌ ବୋଲି ରିଜିଜୁ କହିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ନହୁଏ, ତାହେଲେ ଏହି ସମୟରେ ଅର୍ଥାତ୍‌ ଅକ୍ଟୋବର/ନଭେମ୍ବର ମାସ ମଧ୍ୟରେ ଆଇପିଏଲ୍‌ ଆୟୋଜନ ପାଇଁ ବିଶ୍ବର ଧନୀ କ୍ରିକେଟ ବୋର୍ଡ ବିସିସିଆଇ ଆଶାବାଦୀ ରହିଛି।

ଶନିବାର ବୈଠକ
ଆଇପିଏଲ୍‌ ଉପରେ ଶନିବାର ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହେବ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ତଥା ପରିଷଦର ଅଧ୍ୟକ୍ଷଙ୍କ ପୌରୋହିତ୍ୟରେ ବସିବାକୁ ଥିବା ଏହି ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଯୋଗଦେବେ। ଏମାନଙ୍କ ସହ ସମ୍ପାଦକଙ୍କ ବାପା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ବୈଠକରେ ଉପସ୍ଥିତି ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର