ୟୁଏଇରେ ଆଇପିଏଲ୍‌: ଅନୁମତି ଲୋ‌ଡ଼ିବ ବିସିସିଆଇ, ୭ରୁ ୧୦ ଦିନ ଭିତରେ ପରିଚାଳନା ପରିଷଦ ବୈଠକ

ସଂକ୍ଷିପ୍ତ ନୁହେଁ, ପୂର୍ଣ୍ଣକାଳୀନ ହେବ: ବ୍ରିଜେସ ପଟେଲ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଚଳିତ ବର୍ଷ ‌ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ବକପ୍‌କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ବାଟ ଫିଟିଥିଲା। ଏଥରର ଆଇପିଏଲ୍‌କୁ ୟୁଏଇରେ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଅନୁମତି ଲୋଡ଼ିବ। ଅନୁମତି ମିଳିଲେ ଏହାକୁ ୟୁଏଇରେ ଆସନ୍ତା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆୟୋଜନ କରାଯିବା ସମ୍ଭାବନା ରହିଛି। ଏଥିଲାଗି ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକ ହେବ। ଏଥିରେ ଆଇପିଏଲ୍‌ର ଆଗାମୀ ଯୋଜନା ଉପରେ ଆଲୋଚନା ହେବ।

‘‘ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକ ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଆଇପିଏଲ୍‌ ଆୟୋଜନ ନେଇ ପୂରା ନିଷ୍ପତ୍ତି (କ୍ରୀଡ଼ା ସୂଚୀ ସହ) ନିଆଯିବ। ଚଳିତବର୍ଷ ସଂକ୍ଷିପ୍ତ ନୁହେଁ ୬୦ ମ୍ୟାଚ୍‌ ବିଶିଷ୍ଟ ପୂର୍ଣ୍ଣକାଳୀନ ଆାଇପିଏଲ୍ ଆୟୋଜିତ ହେବ। ଏବଂ ଏହା ୟୁଏଇରେ ଖେଳାଯିବ। ଆଇପିଏଲ୍, ଭାରତରେ କିମ୍ବା ୟୁଏଇରେ ହେଉ ଏଥିରେ ଯା’ଆସ ନାହିଁ। କିନ୍ତୁ ଏହି ମହାମାରୀ ସମୟରେ ଆଇପିଏଲ୍‌ ବେଳେ କିଭଳି ଗହଳି ନହେବ ତାହା ଉପରେ ନଜର ରଖିବୁ’’ ବୋଲି ଆଇପିଏଲ୍‌ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି। ଆଇସିସି ଟି-୨୦ ବିଶ୍ବକପ୍‌ ସ୍ଥଗିତ ଘୋଷଣା ପୂର୍ବରୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଯୋଜନା ପ୍ରସ୍ତୁତ କରିସାରିଥିଲେ। କ‌ରୋନା ପାଇଁ ଅଧିକାଂଶ ଭାରତୀୟ ଖେଳାଳିମାନେ ପଡ଼ିଆ ଅଭ୍ୟାସକୁ ଫେରିନାହାନ୍ତି। ତେବେ ଖେଳାଳିମାନଙ୍କୁ ମ୍ୟାଚ୍‌ ପାଇଁ ଫିଟ୍‌ ହେବାକୁ ୩-୪ ସପ୍ତାହ ଆବଶ୍ୟକ। ବିଦେଶୀ ଖେଳାଳିମାନେ ନିଜ ନିଜ ଦେଶରୁ ସିଧାସଳଖ ୟୁ‌ଏଇରେ ପହଞ୍ଚିବାର ଯୋଜନା ହୋଇଛି।

‘‘ଆମ ଖେଳାଳିଙ୍କୁ ମ୍ୟାଚ୍‌ ଫିଟ୍‌ ହେବାକୁ ୩-୪ ସପ୍ତାହ ଦରକାର, ଏହାଠୁ ଅଧିକ ନୁହେଁ। ଏଥିଲାଗି ଆମର ଯୋଜନା ପ୍ରାୟ ସରିଛି। କେବଳ ବିସିସିଆଇର ତାରିଖ ଘୋଷଣାକୁ ଅପେକ୍ଷା କରିଛୁ। ୟୁଏଇରେ ଆଇପିଏଲ୍‌ ଆୟୋଜିତ ହେବାର ସମ୍ଭାବନା ଅଧିକ। ଆମେ ମଧ୍ୟ ପ୍ରସ୍ତୁତ ଅଛୁ’’ ବୋଲି ଏକ ଫ୍ରାଞ୍ଚାଇଜ୍‌ର ମାଲିକ ପ୍ରକାଶ କରିଛନ୍ତି। ଆଇପିଏଲ୍‌ ପରେ ଭାରତ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତ କରିବ। ଏଥିପାଇଁ ‌ଟେଷ୍ଟ୍‌ ଦଳ ଲାଗି ଅଭ୍ୟାସ ଗୁରୁତ୍ବପୂର୍ଣ୍ଣ। ଆଇପିଏଲ୍‌ ଖେଳିବାକୁ ନଥିବାରୁ ଟେଷ୍ଟ୍‌ ତାରକା ଚେତେଶ୍ବର ପୂଜାରା ଓ ହନୁମା ବିହାରୀ ଅଭ୍ୟାସ କରିବାର ଯୋଜନା କରିଛନ୍ତି। ଆଇପିଏଲ୍‌ ଦଳରେ ନଥିବା କିଛି ଖେଳାଳି ଓ ଭାରତୀୟ ଦଳର ସହପ୍ରଶିକ୍ଷକଙ୍କୁ ନେଇ ଏହି ବିରତି ସମୟରେ ଜୈବ ସୁରକ୍ଷିତ ପରିବେଶ ସହ ଅହମ୍ମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ବିସିସିଆଇ ଅଭ୍ୟାସ ଶିବିର ଆୟୋଜନ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର