ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ସୂଚୀ ଗୋଟିଏ ସପ୍ତାହ ପୂର୍ବକୁ ଘୁଞ୍ଚିଯାଇଛି। ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ ବୋଲି କୁହାଯାଇଥିଲେ ମଧ୍ୟ ୧୯ରୁ ଆରମ୍ଭ ହେବାର ସୂଚୀ ସ୍ଥିର ହୋଇଛି। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୮ରେ ହେବ। ନୂଆ ସୂଚୀ ଅନୁଯାୟୀ ଦିନ ସଂଖ୍ୟା ୫୧ ହୋଇଥିଲା ବେଳେ ମୋଟ ୬୦ ମ୍ୟାଚ୍ ସ୍ଥାନ ପାଇଛି। ତେବେ ପୂର୍ବ ସୂଚୀକୁ ନେଇ ପ୍ରସାରଣକାରୀ ସଂସ୍ଥା ଷ୍ଟାର୍ ଇଣ୍ଡିଆ ଅସନ୍ତୋଷ ଜାହିର କରିବାରୁ ଏହା ଗୋଟିଏ ସପ୍ତାହ ଆଗକୁ ଆସିଛି। ଏଥି ସହିତ ନୂଆ ସୂଚୀ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରସ୍ତାବିତ ତିନି ମ୍ୟାଚ୍ ବିଶିଷ୍ଟ ଧଳା ବଲ୍ ଶୃଙ୍ଖଳା ନେଇ ଉପୁଜିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇପାରିବ ବୋଲି କୁହାଯାଉଛି।
ଆଇପିଏଲ୍ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶୁକ୍ରବାର ନୂଆ ସୂଚୀ ସ୍ପଷ୍ଟ କରିବା ପରେ ଫ୍ରାଞ୍ଚାଇଜ୍ମାନେ ଅଧିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ସେମାନଙ୍କ ଖେଳାଳି ଯେମିତି ହେଲେ ପ୍ରତିଯୋଗିତା ଆରମ୍ଭର ୩ ସପ୍ତାହ ପୂର୍ବରୁ ଏକାଠି ହେବାକୁ ଦାବି ଉପସ୍ଥାପନ କରିଛନ୍ତି। କୋଭିଡ୍-୧୯ ମହାମାରୀ ସ୍ଥିତି ଏଥିରେ ବାଧକ ସାଜିପାରେ। ତେଣୁ ବାସ୍ତବ ଚିତ୍ର ହେଲା ବିସିସିଆଇ ତା’ର ଶ୍ରେଷ୍ଠ ବିକଳ୍ପ ୟୁଏଇକୁ ଆଇପିଏଲ୍ ନେଇଛି। ତେବେ କରୋନା ମହାମାରୀ ସମୟରେ ୟୁଏଇକୁ ଆଇପିଏଲ୍ ନେବାରେ ଜଟିଳ କାର୍ଯ୍ୟକ୍ରମର ପରିଚାଳନା ସଂବନ୍ଧୀୟ ବାଧା ମୁଖ୍ୟ ଆହ୍ବାନ ହେବ ବୋଲି କୁହାଗଲାଣି।
ଏହାର କାରଣ ହେଲା ୟୁଏଇକୁ ଭାରତ ନିହାତି ୧୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ନେଇ ଯିବ। ଏହାକୁ ଉଭୟ ସରକାର ଚୂଡାନ୍ତ ଅନୁମୋଦନ ଦେବା ଉଚିତ କି ନାହିଁ ତାହା ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ସେମାନଙ୍କ ମଧ୍ୟରେ ୨୦୦ ପାଖାପାଖି କ୍ରିକେଟର୍ (ବିଦେଶୀ କ୍ରିକେଟର୍ଙ୍କ ସହିତ), ମ୍ୟାଚ୍ ଅଧିକାରୀ, ଦଳୀୟ କର୍ତ୍ତୃପକ୍ଷ, ଫ୍ରାଞ୍ଚାଇଜ୍ଗୁଡ଼ିକର ଜଟିଳ କାର୍ଯ୍ୟ ସଂପାଦନ କରୁଥିବା କାର୍ଯ୍ୟନିର୍ବାହୀ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକର ଭାଷ୍ୟକାର ସାମିଲ ରହିବେ। କରୋନାର ପ୍ରକୋପ ବୃଦ୍ଧି ପାଇ ଚାଲିଥିଲା ବେଳେ ଏବେ ସୁଦ୍ଧା ଖେଳାଳିମାନେ ଦେଶର ବିଭିନ୍ନ ସ୍ଥାନରେ ଖେଳେଇ ହୋଇ ରହିଛନ୍ତି। ସେମାନଙ୍କୁ ନିଜ ନିଜ ସ୍ଥାନରୁ ଆଣି କିପରି ଗୋଟିଏ ସ୍ଥାନରେ ଏକାଠି କରିବା ଏବଂ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବାକୁ ଦେବା ତାହା ଜଟିଳ ସମସ୍ୟା ହେବ। ଏହିସବୁ ଯୋଜନାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।
ବିସିସିଆଇ ଏହାପୂର୍ବରୁ ଦୁଇ ଥର ଆଇପିଏଲ୍କୁ ଦେଶ ବାହାରକୁ ସ୍ଥାନାନ୍ତର କରିଥିଲା। ୨୦୦୯ ଏବଂ ୨୦୧୪ ଉଭୟ ଥର ଦେଶରେ ସାଧାରଣ ନିର୍ବାଚନ ଯୋଗୁଁ ଏଭଳି ହୋଇଥିଲା। ନହେଲେ ଭାରତୀୟ କ୍ରିକେଟ୍ ଇତିହାସରେ ପୂର୍ବରୁ କେବେ ବି ଏଭଳି ବଡ଼ ଅନୁପାତର ପ୍ରୟାସ କରାଯାଇନଥିଲା। ଏପରିକି ବିଶ୍ବର ଅନ୍ୟ କୌଣସିଠାରେ କୌଣସି କ୍ରୀଡ଼ା ପୂର୍ଣ୍ଣାଙ୍ଗ ଭାବେ ଅନ୍ତିମ କ୍ଷଣରେ ଦେଶରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବାର ନଜିର ମଧ୍ୟ ନାହିଁ। କେବଳ ଭାରତ ହିଁ ଏପରି ତୃତୀୟଥର କରିବାକୁ ଯାଉଛି। ଅବଶ୍ୟ ଏଥର କରୋନା ମହାମାରୀ ହିଁ ଏଥିପାଇଁ ବାଧ୍ୟ କରିଛି।
ଉଦାହରଣ ସ୍ବରୂପ ଦୃଶ୍ୟପଟ୍ଟକୁ ଦେଖିଲେ, ବିସିସିଆଇ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଏବେ ବିଦେଶୀ ଖେଳାଳି, ସହକାରୀ ଷ୍ଟାଫ୍, ଭାଷ୍ୟକାର ଏବଂ ବିଶ୍ବର ବିଭିନ୍ନ ସ୍ଥାନରୁ ଅନ୍ୟାନ୍ୟ ଅଧିକାରୀଙ୍କୁ ଏକାଠି କରିବା କାର୍ଯ୍ୟରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏପରିକି ମାଲିକମାନଙ୍କୁ ସହାୟତା କରିବା ପାଇଁ ସେମାନଙ୍କୁ ଘରୋଇ ହେଉ ବା ବ୍ୟକ୍ତିଗତ ବିମାନ ବ୍ୟବସ୍ଥାରେ ଆସିବା ପାଇଁ କୁହାଯାଇଛି। କ୍ଷୀପ୍ର ଗତିରେ ଭିସା ପ୍ରକ୍ରିୟାକରଣ ମଧ୍ୟ ଆରମ୍ଭ ହୋଇଯାଇଛି। ଫ୍ରାଞ୍ଚାଇଜ୍ଗୁଡ଼ିକ ନିଜ ନିଜ ମାଲିକାନାରେ ଏହାକୁ ପରିଚାଳନା କରିବା କ୍ଷେତ୍ରରେ ଅଧିକରୁ ଅଧିକ ପାରିବାର ହୋଇଥିବାରୁ ଆତିଥେୟତା ବିସିସିଆଇ ପାଇଁ ଚିନ୍ତାର କାରଣ ପାଲଟିବନି।
ହେଲେ ୟୁଏଇରେ ଆଇପିଏଲ୍ ହିଁ ପାଦ ଥାପିବା ମାତ୍ରେ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଯିବ। କରୋନା ମହାମାରୀ ସମୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ଯେପରି ଚମତ୍କାର ଭାବେ ଇଂଲଣ୍ଡ ବୋର୍ଡ ପରିଚାଳନା କରୁଛି ସେଥିରୁ ଶିକ୍ଷା ନେବାକୁ ପଡ଼ିବ। ମ୍ୟାଚ୍ଗୁଡ଼ିକ କିପରି ଯୋଜନା ମୁତାବକ ଜୈବ ସୁରକ୍ଷିତ ପରିବେଶରେ କରାଯିବ ଏବଂ ଏକ୍ଷେତ୍ରରେ ୟୁଏଇ ସରକାରଙ୍କ ସହାୟତା ମିଳିବ ତାହା ଆଇପିଏଲ୍ର ବଡ଼ ଦାୟିତ୍ବ ରହିବ। ତାହା ହିଁ ଆଇପିଏଲ୍-୧୩ ସଫଳତା ପଛର କାହାଣୀ ରହିବ। ତେଣୁ ଚଳିତ ବର୍ଷର ଆୟୋଜନ ଉପରେ ହିଁ ବିଜେତା ନିର୍ଣ୍ଣୟ ହେବା ନିର୍ଭର କରିବ ବୋଲି ଏକ ସୂତ୍ରରୁ ପ୍ରକାଶ।
ଆଇପିଏଲ୍ ଖେଳିବା ପାଇଁ ଦେଶ ଛାଡ଼ିବା ପୂର୍ବରୁ ଏବଂ ବିମାନ ଯାତ୍ରା କରିବାକୁ ଭିସା ପାଇଥିବା ପ୍ରତ୍ୟେକ ବ୍ୟକ୍ତି ୭୨ ଘଣ୍ଟା ମଧ୍ୟରେ ଦୁଇ ଥର କୋଭିଡ୍ ପରୀକ୍ଷା ଦେବାକୁ ବାଧ୍ୟ। ପୁଣି ୟୁଏଇରେ ପହଞ୍ଚିବା ପରେ ସମାନ ଢାଞ୍ଚାରେ ପରୀକ୍ଷାର ସମ୍ମୁଖୀନ ହେବେ। ଯଦି କାହାରି ବି ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୁଏ ତାହାଲେ ସେମାନଙ୍କୁ ବିମାନ ଯାତ୍ରା ପାଇଁ ସୁଯୋଗ ମିଳିବନି। ୟୁଏଇରେ ପହଞ୍ଚିବା ପରେ ପରବର୍ତୀ ୭୨ ଘଣ୍ଟା ସମସ୍ତଙ୍କୁ ସଂପୂର୍ଣ୍ଣ ସଂଗରୋଧରେ ରହିବାକୁ ପଡ଼ିବ। ଏହାପରେ ସବୁକିଛି ୟୁଏଇ କର୍ତ୍ତୃପକ୍ଷ ଏବଂ ସରକାରୀ ନୀତି ଉପରେ ନିର୍ଭର କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ବିଶେଷକରି ସହର ବାହାରେ ଥିବା ଦୁଇଟି ଗ୍ରାଉଣ୍ଡ (ଆବୁଧାବି ଓ ଦୁବାଇ) ପାଇଁ ଆଇପିଏଲ୍ ୟୁଏଇକୁ ଶ୍ରେଷ୍ଠ ବିକଳ୍ପ ଭାବେ ବାଛିବାର ଅନ୍ୟତମ କାରଣ ରହିଛି। ଦ୍ବିତୀୟରେ ପ୍ରତି ଷ୍ଟାଡିୟମ୍ ମଧ୍ୟରେ ଦୂରତ୍ବ କମ୍ ରହିଥିବାରୁ ଆଇପିଏଲ୍ ବେଳେ କୌଣସି ବିମାନ ଯାତ୍ରାର ଆବଶ୍ୟକତା ପଡ଼ିବନି। ତୃତୀୟରେ ୟୁଏଇ ସରକାର ସମ୍ଭବତଃ ପୂରା ସହଯୋଗ ଓ ସମର୍ଥନ ଯୋଗାଇଦେବାର ଆଶା ରହିଛି। ଯାହାକି ୨୦୧୪ ସଂସ୍କରଣ ଆୟୋଜନ ବେଳେ ମିଳିଥିଲା। ଚତୁର୍ଥରେ ଉଦ୍ୟୋଗ କାର୍ଯ୍ୟନିର୍ବାହୀଙ୍କ ରୂପରେ ଯଦି ଆଇପିଏଲ୍ ହୁଏ, ତାହାଲେ ଏହା କେବଳ ଭାରତୀୟ କ୍ରିକେଟ୍ ଏବଂ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ବ୍ୟକ୍ତିଙ୍କ ହିତସାଧନ କରିବନି ବରଂ ବିଶ୍ବ କ୍ରିକେଟ୍ ପରିସ୍ଥିତିର ତନ୍ତ୍ର ସପକ୍ଷରେ କାର୍ଯ୍ୟକରିବ।
ଅନ୍ୟପକ୍ଷରେ ୟୁଏଇକୁ ଆଇପିଏଲ୍ ସ୍ଥାନାନ୍ତର ହେଲାବେଳେ ଆଲୋଚନାର ପ୍ରମୁଖ ବିଷୟବସ୍ତୁ ହୋଇପଡ଼ିଛି। ସେମାନେ କିପରି ବିସିସିଆଇଠାରୁ ଆନୁଷ୍ଠାନିକ ଭାବେ ଏନେଇ ଶୁଣିବାକୁ ପାଇବେ ସେଥିପାଇଁ ଫ୍ରାଞ୍ଚାଇଜ୍ମାନେ ଝାଳଲାଳ ହୋଇପଡ଼ିଲେଣି। କାରଣ ବିସିସିଆଇ ଏପର୍ଯ୍ୟନ୍ତ ବିଦ୍ଧିବଦ୍ଧ ଭାବେ କିଛି ନିଷ୍ପତ୍ତି ନେଇନି। ଆମେ ଯାହା କିଛି ଶୁଣିବାକୁ ପାଉଛୁ କେବଳ ଗଣମାଧ୍ୟମରୁ। ଏହା ଭୟାନକ। ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। କିପରି ଏବଂ କେତେବେଳେ ଖେଳାଳିମାନେ ଯାତ୍ରା କରିବେ? ଆମକୁ କ’ଣ ଆମ ନିଜର ବୁକିଂ କରିବାକୁ ପଡ଼ିବ? ପୁଣି ଅନ୍ୟାନ୍ୟ ପରିଚାଳନା ପ୍ରକ୍ରିୟା କିପରି ରହିବ? ଏହା ତ ଅନ୍ତିମ କ୍ଷଣର ପ୍ରସଙ୍ଗ ନୁହେଁ। ଏପରି ଅନେକ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି ବୋଲି କହିଛନ୍ତି ୩ଟି ଫ୍ରାଞ୍ଚାଇଜ୍। ପୁଣି ଦଳଗୁଡ଼ିକ ପ୍ରାୟୋଜକଙ୍କ ସହ ପୁନଃବୁଝାମଣା ପ୍ରକ୍ରିୟା ନେଇ ଦ୍ବନ୍ଦ୍ବରେ ମଧ୍ୟ ରହିଥିବା କହିଛନ୍ତି।