ୟୁଏଇରେ ଆଇପିଏଲ୍‌: ୩ ସ୍ଥାନରେ ୬୦ ମ୍ୟାଚ୍‌

ନୂଆଦିଲ୍ଲୀ: ୨୦୧୯ ଦିନିକିଆ ବିଶ୍ବକପ୍‌ରେ ୪୮ ମ୍ୟାଚ୍‌ ଇଂଲଣ୍ଡର ୧୧ଟି ସ୍ଥାନରେ ହୋଇଥିଲା। ୨୦୧୬ ଟି-୨୦ ବିଶ୍ବକପ୍‌ ଭାରତର ୭ ସ୍ଥାନରେ ୩୫ ମ୍ୟାଚ୍‌ ଖେଳାଯାଇଥିଲା। ହେଲେ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲ୍‌ର ୧୩ତମ ସଂସ୍କରଣରେ ୩ ସ୍ଥାନରେ ୬୦ ମ୍ୟାଚ୍‌ ଖେଳାଯିବ ଏବଂ ୫୩ ଦିନ ଧରି ଚାଲିବ। କରୋନା ମହାମାରୀ ଯୋଗୁଁ ଏହାକୁ ୟୁଏଇରେ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଦୁଇ ଥର ଭାରତ ବାହାରେ ଏହି ଧନି ଲିଗ୍‌‌ ଆୟୋଜିତ ହୋଇଥିଲା। ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୪ର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ସଫଳତା ସହ ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ବିଦେଶରେ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା। ଭାରତ ସରକାରଙ୍କ ଅନୁମତି ସହ ବିସିସିଆଇର ସାଧାରଣ ପରିଚାଳନା ପ୍ରଣାଳୀ (ଏସ୍‌ଓପି)କୁ ନେଇ‌ ସୁରକ୍ଷିତ ସହ ଆଇପିଏଲ୍ ଖେଳାଯିବାର ଯୋଜନା ରହିଛି। କିନ୍ତୁ ଗତ ଥର ୟୁଏଇରେ ୨୦ ମ୍ୟାଚ୍‌ ଖେଳାଯାଇଥିବାରୁ ଚଳିତ ବର୍ଷ ଏତେ ମ୍ୟାଚ୍ ଏବଂ ପିଚ୍‌କୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି।

୨୦୦ରୁ ଅଧିକ ରନ୍‌ ଆଶା କମ୍‌
କେବଳ ୬୦ ମ୍ୟାଚ୍ ନୁହେଁ, ଅନ୍ୟ ଅଭ୍ୟାସ ମ୍ୟାଚ୍‌କୁ ମିଶାଇଲେ ୭୦ରୁ ଅଧିକ ହେବ। କିନ୍ତୁ ମୁଖ୍ୟ ପଡ଼ିଆ ବଦଳରେ ଅନ୍ୟ ପଡ଼ିଆରେ ଅଭ୍ୟାସ ମ୍ୟାଚ୍‌‌ ଖେଳା ହେଲେ ଭଲ ହେବ ବୋଲି ୨୦୧୪ ୟୁଏଇ ଆଇପିଏଲ୍‌ରେ ବିସିସିଆଇ ପକ୍ଷରୁ ନିଯୁକ୍ତ କ୍ୟୁରେଟର ପି ବିଶ୍ବନାଥନ କହିଛନ୍ତି। ୟୁଏଇରେ ୨୦୦ରୁ ଅଧିକ ରନ୍‌ ପ୍ରାୟ ଦେଖିବାକୁ ମିଳିବନି। କାରଣ ସେଠାକର ପାଗ ବହୁତ କଠିନ। ମାଟିରେ ଧୂଳିକଣା ମାତ୍ରା ଅଧିକ ଏବଂ ଜମା ହୋଇ ରହିଥାଏ। ଫଳରେ କଠିନ ୱିକେଟ୍ ପ୍ରସ୍ତୁତ କରିବା କଷ୍ଟସାଧ୍ୟ ବୋଲି ଅବସରପ୍ରାପ୍ତ ବିଶ୍ୱନାଥନ୍ କହିଛନ୍ତି। ୨୦୧୪ରେ ମାତ୍ର ୨ ଥର ୨୦୦ରୁ ଅଧିକ ରନ୍‌ ହୋଇଥିଲା। ଏହା ପୁଣି ଗୋଟିଏ ମ୍ୟାଚ୍‌ରେ। ଏହା ସହ ୨୦ ମ୍ୟାଚ୍‌ର ୪୦ ପାଳିରେ ୯ ଥର ୧୭୦ରୁ ଅଧିକ ଏବଂ ୧୨ ଥର ୧୬୦ରୁ ଅଧିକ ରନ୍‌ ହୋଇଥିଲା। ଏହା ୬ ବର୍ଷ ତଳେ ‌ହୋଇଥିଲା। ହେଲେ ୨୦୧୮-୧୯ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ୨୦୦ ରନ୍‌ ଦେଖିବାକୁ ମିଳିନଥିଲା। କିନ୍ତୁ ଭାରତରେ ଅନୁଷ୍ଠିତ ୨୦୧୯ ଆଇପିଏଲ୍‌ରେ ୧୧ ପାଳିରେ ୨୦୦ରୁ ଅଧିକ ରନ୍‌ ହୋଇଥିଲା।

ଭାରତ ଭଳି ଫ୍ଲାଟ୍‌ ପିଚ୍‌ ମିଳିବନି
ଭାର‌ତରେ ମ୍ୟାଚ୍‌ ହେବ ବୋଲି ନଜରରେ ରଖି ନିଲାମ ସମୟରେ ଦଳ ଗୁଡ଼ିକ ଖେଳାଳି କିଣିଥିଲେ। ଏବେ ସ୍ଥାନ ବଦଳିଥିବାରୁ ଆମ ପାଇଁ ବଡ଼ ଆହ୍ବାନ ହୋଇଛି। ଭାରତରେ ହୋଇଥିଲେ ଦଳକୁ ବାହାରେ ୭ ଓ ଘରେ ୭ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳୁଥିଲା। କିନ୍ତୁ ଏବେ ସମସ୍ତ ୧୪ ମ୍ୟାଚ୍‌ ବାହାରେ ଖେଳିବାକୁ ପଡ଼ିବ। ସେଠାରେ ଗରମ ବହୁତ ଥିବାରୁ କମ୍‌ ସ୍କୋର୍‌ ଦେଖିବାକୁ ମିଳିବ। ପରିବେଶ ଅନୁଯାୟୀ ୱିକେଟ୍‌ ବହ ମନ୍ଥର ହୋଇଥିବାରୁ ଦ୍ରୁତ କିମ୍ବା ଫ୍ଲାଟ୍‌ ପିଚ୍‌ କରିବା ମଧ୍ୟ କଷ୍ଟକର ବୋଲି କୋଲ୍‌କାତା ନାଇଟ୍‌ ରାଇଡର୍ସର ସହଯୋଗୀ ଅଧିକାରୀ ଅଭିଷେକ ନାୟର କହିଛନ୍ତି। ଦୁବାଇ ପିଚ୍‌ ମନ୍ଥର, ଆବୁଧାବି ଚଳନୀୟ ଏବଂ ସାରଜାରେ ଫ୍ଲାଟ୍‌ ପିଚ୍‌। ଦୁବାଇ ପିଚ୍‌ରେ କମ୍‌ ଘାସ ଥିବାରୁ ଏଠାରେ କମ୍‌ ବାଉଁସ୍‌ ମିଳିବ। ଖରାପ ବଲ୍‌ ରହିଯିବ କିମ୍ବା ଠିକ୍‌ରେ ଆସିବନି ବୋଲି ୨୦୧୪ରେ ଏଠ‌ାରେ ଖେଳିବାର ଅଭିଜ୍ଞତା ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା କହିଛନ୍ତି। ୯୦ ଦଶକ ମଧ୍ୟରେ ସାର୍‌ଜା ପିଚ୍‌ ଚକଚକିଆ ଫ୍ଲାଟ‌ ଥିଲା ଏବଂ ବଡ଼ ସ୍କୋର୍‌ ମଧ୍ୟ ହେଉଥିଲା। ସାରଜାକୁ କୋଲ୍‌କାତାର ଥିବା ଇଡେନ୍ ଗାର୍ଡେନ୍ସ ସହ ତୁଳନା କରାଯାଏ। ହେଲେ କୋଲ୍‌କାତାରେ ମିଳୁଥିବା ଗତି ସାର୍‌ଜାରେ ମିଳିବା ଆଶା କମ୍‌ ବୋଲି ନାୟାର କହିଛନ୍ତି।

ଅଧିକ ପର୍ଯ୍ୟବେକ୍ଷକ ଆବଶ୍ୟକ
ବିସିସିଆଇର ପିଚ୍ କମିଟିର ପୂର୍ବତନ ମୁଖ୍ୟ ଦଲଜିତ ସିଂହ କହିଛନ୍ତି ଯେ ବିସିସିଆଇର ପର୍ଯ୍ୟବେକ୍ଷକଙ୍କ ଭୂମିକା ପ୍ରମୁଖ ହେବ। ମୁଁ ୟୁଏଇ ଯାଇଥିଲି ଏବଂ ସେଠାରେ ଗୋଟିଏ ଜିନିଷ ଦେଖିଲି ଯେ ଗରମ ପାଗ ସ‌ତ୍ବେ ଅଧିକ ରୋଲିଂ କରୁଛନ୍ତି। ଏହା ଭୁଲ୍ ପ୍ରଣାଳୀ। ପିଚ୍ ପ୍ରସ୍ତୁତିର ତଦାରଖ କରିବା ପାଇଁ ଆମର କ୍ୟୁରେଟର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ମୁଁ ଯାହା ଦେଖୁଛି, ଥରେ ପ୍ରତିଯୋଗିତା ଆରମ୍ଭ ହୋଇଗଲେ ଅଧିକ ସାହାଯ୍ୟ କରି ପାରିବିନି। କାରଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସମୟ ଲାଗିବ। ସେଥିପାଇଁ ମ୍ୟାଚ୍‌ ଦିନ ନୁହେଁ ମ୍ୟାଚ୍‌ ମଧ୍ୟରେ ସମସ୍ତ କାମ ସାରିବା ଦରକାର। ଘାସକୁ ମାରିବା ପାଇଁ ରୋଲର ନୁହେଁ ଲୋକଙ୍କୁ କାମରେ ଲଗାଇବା ‌ଭଲ ହେବ ବୋଲି ବିଶ୍ବନାଥନ କହିଛନ୍ତି।

ଚାଇନା ପ୍ରାୟୋଜକ; ବିସିସିଆଇ ପୁନର୍ବିଚାର କରୁ: ଏସ୍‌ଜେଏମ୍‌
ନୂଆଦିଲ୍ଲୀ: ଆଇପିଏଲ୍‌ରେ ଚାଇନା ପ୍ରାୟୋଜକକୁ ନେଇ ବିସିସିଆଇ ପୁନର୍ବିଚାର କରୁ ବୋଲି ରାଷ୍ଟ୍ରୀୟ ସ୍ବୟଂ ସଂଘ (ଆର୍‌ଏସ୍‌ଏସ୍‌)ର ଏକ ସହଯୋଗୀ ‌ସ୍ବଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌) ଦାବି କରିଛି। ସଂପ୍ରତି ସୀମାରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ବେଳେ ରବିବାର ବିସିସିଆଇ ଚାଇନା ମୋବାଇଲ କମ୍ପାନି ଭିଭୋକୁ ଚଳିତ ବର୍ଷ ଆଇପିଏଲ୍‌ରେ ପ୍ରାୟୋଜକ ରଖିବ ବୋଲି ନିଷ୍ପତ୍ତି ନେଇଥିଲା। ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ଭିଭୋ ୨୦୧୭ରେ ବିସିସିଆଇ ସହ ୫ ବର୍ଷ ଲାଗି ୨୧୯୯ କୋଟି ଟଙ୍କାର ‌ଚୁକ୍ତି କରିଥିଲା।
ସୀମାରେ ଚୀନ୍‌କୁ ନେଇ ବିବାଦ ଚାଲିଥିଲା‌ ବେଳେ ଆଇପିଏଲ୍‌ରେ ଚାଇନା କମ୍ପାନି ଭିଭୋ ରହିଲେ ଭାରତର ମନୋବଳକୁ ଦୁର୍ବଳ କରିବ। ଏହା ଉପ‌ରେ ବିସିସିଆଇ ଶୀଘ୍ର ପୁନର୍ବିଚାର କରୁ। ନଚେତ ଆଇପିଏଲ୍‌କୁ ଭାରତବାସୀ ବର୍ଜନ କରିବ ବୋଲି ଚୀନ୍‌ ସାମଗ୍ରୀ ବର୍ଜନ ଅଭିଯାନର ପ୍ରମୁଖ ଭୂମିକା ନେଇଥିବା ଏସ୍‌ଜେଏମ୍‌ର ଜାତୀୟ ସହସଂଯୋଜକ ଅଶ୍ବିନୀ ମହାଜନ କହିଛନ୍ତି। ବିସିସିଆଇ ଦେଶ ତଥା ଏହାର ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଉଚିତ। ସମଗ୍ର ବିଶ୍ୱ ଚାଇନା ସାମଗ୍ରୀକୁ ବର୍ଜନ କରୁଥିଲା ବେଳେ ଆଇପିଏଲ ଆଶ୍ରୟ ଦେଉଛି ବୋଲି ଅଶ୍ବିନୀ ଅଭ‌ିଯୋଗ କରୁଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁର୍ଜେୱାଲା ଟ୍ୱିଟ୍ କରି ଏହାକୁ ବିରୋଧ କରିଛନ୍ତି। “ଶୁଖିଲା ଆତ୍ମନିର୍ଭର ଭାରତ ଅଭିଯାନ। କ୍ରିକେଟ୍-ଚାଇନା-ଲାଭକାରୀ ଏବଂ ଡବଲ୍ ଷ୍ଟାଣ୍ଡାର୍ଡକୁ ସ୍ୱାଗତ।” ବୋଲି ସେ ଟ୍ବିଟ୍‌ କରିଛନ୍ତି।

ଓହରିବା ନିଷ୍ପତ୍ତି ନେଇ ଷ୍ଟାର୍କ ଦୁଃଖିତ ନୁହନ୍ତି
ସିଡ୍‌ନି: ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ୍‌-୨୦୨୦ରୁ ଓହରିବା ନିଷ୍ପତ୍ତି ନେଇ ଦୁଃଖିତ ନୁହନ୍ତି ବୋଲି ମଙ୍ଗଳବାର ଅଷ୍ଟ୍ରେଲୀୟ ଗଣମାଧ୍ୟମକୁ କହିଛନ୍ତି। ଟି-୨୦ ବିଶ୍ବକପ୍‌କୁ ନଜରରେ ରଖି ଗତ ବର୍ଷ ଆଇପିଏଲ୍‌ ନିଲାମରେ ଷ୍ଟାର୍କ ଭାଗ ନେଇନଥିଲେ। ହେଲେ କରୋନା ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ସ୍ଥଗିତ ରଖାଯାଇଥିଲା ବେଳେ ଆଇପିଏଲ୍‌ର ୧୩ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ସ୍ଥିର ହୋଇଥିଲା। ମୁଁ ଜାଣେ ବିଶ୍ବକପ୍‌ ବାତିଲ ହେବାରୁ ଆଇପିଏଲ୍‌ ଲାଗି ବାଟ ଫିଟିଥିଲା। ଏହା ଭଲ ସମୟରେ ମଧ୍ୟ ହେଉଛି। ହେଲେ ମୁଁ ମୋ ପୂର୍ବ ନିଷ୍ପତ୍ତିରେ କୌଣସି ପରିବର୍ତନ କରିବାକୁ ଚାହୁନି। ଚଳିତ ବର୍ଷ ଆଇପିଏଲ୍‌ରେ ଖେଳୁନଥିବାରୁ ଏହି ସମୟରେ ମୁଁ ଗ୍ରୀଷ୍ମ ଋତୁ ପାଇଁ ପ୍ରସ୍ତୁତ ହେବି। ଆସନ୍ତା ବର୍ଷ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ବୋଲି ଷ୍ଟାର୍କ କହିଛନ୍ତି। ଷ୍ଟାର୍କ ଶେଷ ଥର ପାଇଁ ୨୦୧୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଖେଳିଥିଲେ। ଆଘାତ ଯୋଗୁଁ ୨୦୧୬ ସଂସ୍କରଣରେ ଖେଳିନଥିଲେ। ହେଲେ ସେ ଆର୍‌ସିବିରୁ ଦୁଇଟି ସଂସ୍କରଣରେ ୨୭ ମ୍ୟାଚ୍‌ ଖେଳି ୩୪ ୱିକେଟ୍ ଅକ୍ତିଆର କରିଛନ୍ତି। ୨୦୧୮ରେ ‌ତାଙ୍କୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ୯.୬ କୋଟି ଟଙ୍କାରେ କିଣିଥିଲା। ହେଲେ ଆଘାତ ଯୋଗୁଁ ଖେଳି ପାରିନଥିଲେ। ୨୦୧୯ରେ ବିଶ୍ବକପ୍‌ ଲାଗି ନିଜ ପକ୍ଷରୁ ନିଲାମରେ ଭାଗ ନେଇନଥି‌ଲେ।

ସମ୍ବନ୍ଧିତ ଖବର