ଆ‌ଇପିଏଲ୍ ପାଇଁ ପଥ ପରିଷ୍କାର, ୟୁଏଇରେ ୪୪ ଦିନ ଧରି ୬୦ ମ୍ୟାଚ୍ ଖେଳାଯିବ!

ସୂଚୀକୁ ନେଇ ପ୍ରସାରଣକାରୀ ଅସନ୍ତୁଷ୍ଟ

ମୁମ୍ବାଇ,: ଆଇପିଏଲ୍‌ର ଆସନ୍ତା ସଂସ୍କରଣ ଚଳିତବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖ (ଶନିବାର)ରୁ ନଭେମ୍ବର ୮ ତାରିଖ (ରବିବାର) ମଧ୍ୟରେ ଆୟୋଜିତ ହେବ। ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ବିସିସିଆଇ ଏହି ୪୪ ଦିନର ଝରକା ମଧ୍ୟରେ ଆଇପିଏଲ-୧୩କୁ ଶେଷ କରିବାକୁ ଆପାତତଃ ନିଷ୍ପତ୍ତି ନେଇ ସାରିଛି। ଶୁକ୍ରବାର ବସିଥିବା ବିସିସିଆଇର ସର୍ବୋଚ୍ଚ ପରିଚାଳନା ପରିଷଦ ବୈଠକରେ ଏଥିନେଇ ସରଗରମ ଆଲୋଚନା ହୋଇଛି। ଦୀର୍ଘ ସମୟର ବିଚାର ବିମର୍ଷ ପରେ ହିଁ ଏହି ଦୁଇ ତାରିଖକୁ ନେଇ ସହମତି ହୋଇଥିଲା। ସୋମବାର ସଂଧ୍ୟାରେ ଆଇସିସି ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ସ୍ଥଗିତ କରିବା ପରେ ଆଇପିଏଲ୍‌ ଆୟୋଜନ ନେଇ ପଥ ମଧ୍ୟ ପରିସ୍କୃତ ହୋଇ ଯାଇଥିଲା। ତେବେ ଏହି ସମ୍ଭାବ୍ୟ ତାରିଖରେ ଆନୁଷ୍ଠାନିକ ମୋହର ଲାଗିଲେ ଚଳିତବର୍ଷ ଆଇପିଏଲ୍ ୪୪ ଦିନ ପର୍ଯ୍ୟନ୍ତ ଖେଳାଯିବ। ସେଥିମଧ୍ୟରେ ୬୦ ମ୍ୟାଚ୍ ଆୟୋଜିତ ହେବ।

ଭାରତୀୟ କ୍ରିକେଟ୍ ଦଳ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବାର ଥିଲା ବେଳେ ଏହା ପୂର୍ବରୁ ଆଇପିଏଲ୍ ଶେଷ କରିଦେବାକୁ ବିସିସିଆଇ ଚାହୁଁଛି। ସେଥିପାଇଁ ସେପ୍ଟେମ୍ବର ଶେଷ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହର ସମୟକୁ ବାଛିଥିବା ଜଣାପଡ଼ିଛି। ଆଇପିଏଲ ଯଦି ନଭେମ୍ବର ୮ରେ ଶେଷ ହୋଇଯାଏ, ତାହାଲେ ଭାରତୀୟ ଦଳ ନଭେମ୍ବର ୧୦ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ସେଠାରେ କିଛି ଦିନ ସଂଗରୋଧରେ ରହିବା ପରେ ଅଭ୍ୟାସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ଏହା ପରେ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ଆରମ୍ଭ ହେବ। ଏଥରର ଗସ୍ତରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଶୃଙ୍ଖଳାର ଗୋଟିଏ ମ୍ୟାଚ୍ ଦିବା-ରାତ୍ର ଭିତ୍ତିରେ ଖେଳାଯିବାର ଥିବାରୁ ଦଳ ମଧ୍ୟ ଏହା ପୂର୍ବରୁ ଆଉ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଚାହୁଁଛି। ଏଣୁ ସବୁକଥାକୁ ଦୃଷ୍ଟିରେ ରଖି ନଭେମ୍ବର ପ୍ରଥମ ସପ୍ତହରେ ହିଁ ଆଇପିଏଲ୍‌କୁ ଶେଷ କରିଦେବାକୁ ବିସିସିଆଇ ଆଗ୍ରହୀ ଅଛି। ତେବେ ବିସିସିଆଇର ଏହି ଯୋଜନା କେନ୍ଦ୍ର ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ। ବିସିସିଆଇ ଏଥରର ଆଇପିଏଲ୍‌କୁ ଦେଶ ବାହାରେ ଅର୍ଥାତ୍ ୟୁଏଇରେ ଆୟୋଜନ କରିବାକୁ ଚାହୁଁଥିବାରୁ ଏଥିଲାଗି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ଦରକାର। ୟୁଏଇରେ କରୋନା ନିୟମ ସେତେଟା କଠୋର ନଥିବାରୁ ଦର୍ଶକମାନେ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାରେ କୌଣସି ଅସୁବିଧା ନାହିଁ। ଏ ବର୍ଷର ଆଇପିଏଲ୍ ଭାରତ ନୁହେଁ ବରଂ ବିଦେଶମାଟି ଅର୍ଥାତ୍ ୟୁଏଇରେ ଆୟୋଜିତ ହେବ ବୋଲି ବିସିସିଆଇ ପୂର୍ବରୁ ସଙ୍କେତ ଦେଇ ସାରିଛି।

ସୂଚୀକୁ ନେଇ ପ୍ରସାରଣକାରୀ ଅସନ୍ତୁଷ୍ଟ
ବିସିସିଆଇର ପ୍ରସ୍ତାବିତ ଆଇପିଏଲ୍‌ ସୂଚୀକୁ ନେଇ କିନ୍ତୁ ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ଇଣ୍ଡିଆ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଷ୍ଟାର୍‌ ଇଣ୍ଡିଆ ପ୍ରସ୍ତାବିତ ସୂଚୀକୁ ଗୋଟିଏ ସସ୍ତାହ ଆଗକୁ ଘୁଞ୍ଚାଇବାକୁ ଚାହୁଁଛି। ଅର୍ଥାତ୍ ନଭେମ୍ବର ୮ରେ ଶେଷ ନ କରି ୧୬ କିମ୍ବା ୧୭ ତାରିଖରେ ଶେଷ କରିବାକୁ ଚାହୁଁଛି। ଦୀପାବଳି ନଭେମ୍ବର ୧୪ରେ ପଡ଼ୁଥିବାରୁ ଏହି ସପ୍ତାହରେ ଅଧିକ ଟିଆର୍‌ପି ମିଳିବାର ସମ୍ଭାବନା ଥିବା ଷ୍ଟାର୍‌ ଯୁକ୍ତି କରିଛି। ତେବେ ବିସିସିଆଇ ଏଥିରେ ଅରାଜି ଅଛି। ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ସହ ବାର୍କ (ବ୍ରଡକାଷ୍ଟିଂ ଆଡିଆନ୍ସ ରିସର୍ଚ କାଉନସିଲ୍) ଗଣନା ଅନୁସାରେ ଦୀପାବଳି ସପ୍ତାହରେ ପୂର୍ବଭଳି ଆଉ ଅଧିକ ଟିଆର୍‌ପି ମିଳୁନି। ଏଣୁ ଦୀପାବଳିର ଗୋଟିଏ ସପ୍ତାହ ପୂର୍ବରୁ ଆମେ ଆଇପିଏଲ୍‌କୁ ଶେଷ କରିଦେବାକୁ ଚାହୁଁଛୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମତ ପ୍ରକାଶ କରିଛନ୍ତି। ‘‘ପ୍ରକୃତ କଥା ହେଲା ଦୀପାବଳି ସପ୍ତାହରେ ଟିଆର୍‌ପି କମିଥାଏ। ତଥାପି ଆମେ ଏଥିନେଇ ଷ୍ଟାର୍‌ ଇଣ୍ଡିଆ ସହ ଆଲୋଚନା କରିବୁ’’ ବୋଲି ସେ କହିଛନ୍ତି। ସେହିଭଳି ଦୀପାବଳି ସପ୍ତାହରେ ଖେଳାଳିମାନେ ନିଜ ନିଜ ପରିବାର ସହ ସମୟ କଟାଇବାକୁ ଚାହିଁବେ, ଏଣୁ ‌ସେମାନଙ୍କ ଭାବନାକୁ ମଧ୍ୟ ଆମକୁ ନଜରରେ ରଖିବାକୁ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ତେବେ ବିସିସିଆଇର ପ୍ରସ୍ତାବିତ ସୂଚୀକୁ ୮ଟି ଯାକ ଫ୍ରାଞ୍ଚାଇଜ ସମର୍ଥନ କରୁଛନ୍ତି। ଦୀପାବଳି ସପ୍ତାହ ‌ହୋଇଥିଲେ ଷ୍ଟାର୍‌ ଇଣ୍ଡିଆକୁ ଅଧିକ ରାଜସ୍ବ ମିଳି ଥା’ନ୍ତା। ତେବେ ଆଇପିଏଲ୍ ଭଳି ବଡ଼ ପ୍ରତିଯୋଗିତାର ସୂଚୀ ନିର୍ଦ୍ଧାରଣ କଲା ବେଳକୁ ଅନେକ ଦିଗକୁ ବିଚାରକୁ ନିଆ ଯାଇଥାଏ ବୋଲି ଏକ ଫ୍ରାଞ୍ଚାଇଜର ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର