‘ବିଶ୍ବକପ୍‌ ପରେ ଆଇପିଏଲ୍‌ ଶ୍ରେଷ୍ଠ’ ଇଲିଂସ୍‌ କ୍ରିକେଟ୍‌ର ଉନ୍ନତିରେ ସହାୟକ ହୋଇଛି

ଲଣ୍ଡନ: ଇଂଲିସ୍‌ କ୍ରିକେଟ୍‌ ଆଗକୁ ବଢ଼ିବାରେ ହେଉ ବା ଉନ୍ନତି କରିବାରେ ସବୁଥିପାଇଁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ହିଁ ସହାୟକ ହୋଇଛି। ଏହି ଲୋଭନୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ସଂଖ୍ୟାଧିକ ଇଲିଂସ୍‌ କ୍ରିକେଟର୍‌ ଖେଳିବାର ସୁଯୋଗ ପାଇ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍‌ ଲାଭବାନ ହୋଇପାରିଛନ୍ତି। ଆଇପିଏଲ୍‌ ମଧ୍ୟ ଆଇସିସି ବିଶ୍ବକପ୍‌ ପରେ ଶ୍ରେଷ୍ଠ ପ୍ରତିଯୋଜିତା ବୋଲି ନିଜ ଅନୁଭବ ବଖାଣିଛନ୍ତି ଇଂଲଣ୍ଡ ଦଳର ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍ଟଲର୍‌। କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନିର୍ଦିଷ୍ଟ ସମୟ ଲାଗି ସ୍ଥଗିତ ରହିଥିବା ଚଳିତ ବର୍ଷର ଆଇପିଏଲ୍‌ରେ ସେ ଅଂଶବିଶେଷ ଥିବାରୁ ହତାଶ ହୋଇଛନ୍ତି। ଏହି ବିଶ୍ବ ବିଜେତା ଇଂଲଣ୍ଡ ଦଳର ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ଦୁଇଟି ଫ୍ରାଞ୍ଚାଇଜ୍‌ ପାଇଁ ଖେଳିଛନ୍ତି। ପ୍ରଥମେ ୨୦୧୬-୧୭ ଋତୁରେ ମୁମ୍ବାଇ ଇଣ୍ଡିଆନ୍‌ସ ଖେଳିବା ପରେ ୨୦୧୮ରେ ସେ ରାଜସ୍ଥାନ ରୟାଲ୍‌ସକୁ ଚାଲିଯାଇଥିଲେ। ତେବେ ଆଇପିଏଲ୍‌ ଯେ ଇଂଲିସ୍‌ କ୍ରିକେଟ୍‌ର ବିକାଶ ଦିଗରେ ସହାୟକ ହୋଇପାରିଛି ବୋଲି ନିସନ୍ଦେହରେ କୁହାଯାଇପାରିବ। ଏହାର କାରଣ ହେଲା ସଂଖ୍ୟାଧିକ ଖେଳାଳି ଗତ କିଛି ବର୍ଷ ଧରି ଆଇପିଏଲ୍‌ରେ ସୁଯୋଗ ପାଇବା ବୋଲି ବିବିସି ପୋଡ୍‌କାଷ୍ଟ ‘ଦି ଦୁସ୍‌ରା’କୁ କହିଛନ୍ତି ବଟ୍ଟଲର୍‌। ମୋ ମତରେ ବିଶ୍ବକପ୍‌ ପରେ ଆଇପିଏଲ୍‌ ହିଁ ଶ୍ରେଷ୍ଠ ପ୍ରତିଯୋଗିତା ବୋଲି ବଟ୍ଟଲର୍‌ ଯୋଡ଼ିଛନ୍ତି।

ଆଇପିଏଲ୍‌ର କିଛି ଋତୁ ପରେ ଧଳା ବଲ୍‌‌ରେ ଜଣେ ବିଚକ୍ଷଣ ଖେଳାଳି ଭାବେ ପରିଗଣିତ ବଟ୍ଟଲର୍‌ ଖେଳିବାର ସୁ‌ଯୋଗ ପାଇଥିଲେ। ଆଇପିଏଲ୍‌କୁ ବଟ୍ଟଲର୍‌ ଫାଣ୍ଟାସି କ୍ରିକେଟ୍‌ ସହ ତୁଳନା କରିଛନ୍ତି। ଆଇପିଏଲ୍‌‌ରେ ବିଶ୍ବର ବଛାବଛା ଦକ୍ଷ ଖେଳାଳିଙ୍କ ସଂପୃକ୍ତି ରହୁଥିବାରୁ ସମସ୍ତେ ମିଶି ଦାୟିତ୍ବ କାନ୍ଧକୁ ନେଇଥା’ନ୍ତି। ତେଣୁ ଆଇପିଏଲ୍‌ର କେତେକ ମ୍ୟାଚ୍‌ ଦେଖିବାକୁ ଦମ୍‌ଦାର ଲାଗେ। ବିଶେଷକରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ବିରାଟ କୋହଲି, ଏବି ଡିଭିଲିୟର୍ସ ଏବଂ କ୍ରିସ୍‌ ଗେଲ୍‌ଙ୍କ ଭଳି ତିନି ଜଣ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ପଛକୁ ପଛ ରହିଥିଲା ବେଳେ ସେମାନଙ୍କୁ ଯଶ୍‌ପ୍ରୀତ୍‌ ବୁମ୍‌ରା କିମ୍ବା ଡେଲ୍‌ ଷ୍ଟେନ୍‌ ଓ ଲସିତ୍‌ ମାଲିଙ୍ଗାଙ୍କ ମଳି ମାରାତ୍ମକ ବୋଲରଙ୍କୁ ସାମ୍‌ନା କରୁଥିବାର ଦେଖିବାକୁ ମିଳିଥାଏ। ଏହା ହିଁ ତ ଆଇପିଏଲ୍‌ରେ ମଜା ଆଣି ଦେଇଥାଏ ବୋଲି ବଟ୍ଟଲର୍‌ କହିଛନ୍ତି।

ତେବେ କାରୋନା ମହାମାରୀ ପାଇଁ ଏବେ ଆଇପିଏଲ୍‌ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବ‌ାରୁ ଏଥିପାଇଁ ସ୍ବତନ୍ତ୍ର ଗବାକ୍ଷ ସୃଷ୍ଟି କରିବାକୁ ଯୁକ୍ତି କରୁଥିବା ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ କେଭିନ୍‌ ପିଟରସନ୍‌ଙ୍କୁ ଶ୍ରେୟ ଦେଇଛନ୍ତି ବଟ୍ଟଲର୍‌। ଏହି ଅର୍ଥବହୁଳ ତଥା ଲୋଭନୀୟ ଲିଗ୍‌ରେ ଖେଳିବାର ସୁଯୋଗ ପାଇଁ ବାଟ ଖୋଲି ଦେଇଥିଲେ ପିଟରସନ୍‌। ଆଇପିଏଲ୍‌ ସହ ମଧ୍ୟ ଇଲିଂସ୍‌ କ୍ରିକେଟର୍‌ଙ୍କ ମଜାଦାର ଇତିହାସ ଯୋଡ଼ି ହୋଇରହିଛି। ପିଟରସନ୍‌ଙ୍କ ସଂପର୍କରେ ପ୍ରାମାଣିକ ଏବଂ ସେ କିପରି ସଂପୃକ୍ତ ହେବାକୁ ଚାହୁଁଥିଲେ ଓ ରାସ୍ତା ବନ୍ଦ ହୋଇଯିବାର ସାମ୍‌ନା କରିଥିଲେ ସେ ନେଇ ବଟ୍ଟଲର୍‌ କହିଛନ୍ତି। ପିଟରସନ୍‌ ହିଁ ଏବେ ଏକାଧିକ ଇଂଲିସ୍‌ ଖେଳାଳିଙ୍କୁ ଆଇପିଏଲ୍‌ରେ ଖେଳିବାର ବାଟ ଫିଟାଇଥିଲେ। ଯାହାଦ୍ବାରା ଆମେମାନେ ଆଇପିଏଲ୍‌ ଖେଳିବା ଇଂଲିସ୍‌ କ୍ରିକେଟ୍‌ ପାଇଁ ଆଶୀର୍ବାଦ ସଦୃଶ। କ୍ରିକେଟର୍‌ଙ୍କ ବିକାଶ ପାଇଁ ଆଇପିଏଲ୍‌ ଯେ କେତେ ମହତ୍ବ ରଖେ ତାହା ବେଶ୍‌ ଭଲ ଭାବେ ପିଟରସନ୍‌ ହିଁ ହୃଦୟଙ୍ଗମ କରିପାରିଥିଲେ ବୋଲି ବଟ୍ଟଲର୍‌ କହିଛନ୍ତି।

ସମ୍ବନ୍ଧିତ ଖବର