କଠୋର ପଥରେ ଆଇପିଏଲ୍‌ ଯାତ୍ରା

ମୁମ୍ବାଇ : ଆଉ ୨୯ ଦିନ ପରେ ୟୁଏଇରେ ଆଇପିଏଲ୍‌ ଖେଳାଯିବ। ଏଥି ପାଇଁ ଫ୍ରାଞ୍ଚାଇଜ୍‌ଗୁଡିକ ସଜବାଜ ହେବାରେ ଲାଗିଛନ୍ତି। ଗୁରୁବାରଠାରୁ ମଧ୍ୟ ଖେଳାଳିମାନେ ୟୁଏଇ ମୁହାଁ ହୋଇଛନ୍ତି। କିନ୍ତୁ ବଡ଼ କଠୋର ପରିସ୍ଥିତି ଓ ଖସଡ଼ା ମଧ୍ୟରେ ଏଥର ଆଇପିଏଲ୍‌ ବିଦେଶରେ ଖେଳାଯିବାକୁ ଯାଉଛି। ମହାମାରୀ ପରିସ୍ଥିତି ମଧ୍ୟରେ ଖେଳାଳି ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋ‌କଲ୍‌ ସହିତ ଏହା କରାଯିବାକୁ ପ୍ରସ୍ତୁତି ଚାଲିଛି। ଆଇପିଏଲ୍‌ ଆୟୋଜକମାନେ ଏଥିପାଇଁ ଏକ ୧୬ ପୃଷ୍ଠାର ଡକୁମେଣ୍ଟରେ ସାଧାରଣ ପରିଚାଳନା ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି। ଯାହାକି ସବୁ ଫ୍ରାଞ୍ଚାଇଜକୁ ପ୍ରଦାନ କରାଯାଇଛି।

ଭ୍ରମଣ ପୂର୍ବରୁ ପରୀକ୍ଷା
କେବଳ ଚାଟାର୍ଡ ବିମାନରେ ଖେଳାଳିମାନେ ୟୁଏଇ ଯିବ‌େ। ଯାତ୍ରା କରିବାର ୨୪ ଘଣ୍ଟା ପୂର୍ବରୁ ୨ ଥର ପିସିଆର ଟେଷ୍ଟ୍‌ ଦେବେ। ପହଞ୍ଚିବା ପରେ ୬ ଦିନ ମଧ୍ୟରେ ୩ ଥର ପରୀକ୍ଷାର ସମ୍ମୁଖୀନ ହେବେ। ନିଜ ‌ହୋଟେଲରେ କ୍ବାରେଣ୍ଟାଇନରେ ରହିବେ। ସାଥୀ ଖେଳାଳି ଓ ଦଳୀୟ ସଦସ୍ୟ କାହାରିକୁ ବି ଭେଟି ପାରିବେନାହିଁ। ଉପରୋକ୍ତ ୩ ଥର ନେଭେଟିଭ୍ ଆସିଲେ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଉପଲବ୍‌ଧ ତାଲିମ ଶିବିର ଓ ଅଭ୍ୟାସରେ ସାମିଲ ହେବେ। ଏହା ବାଦ୍ ପ୍ରତି ୫ ଦିନ ଅନ୍ତରରେ ପରୀକ୍ଷା କରାଯିବ।

ଜୈବ ସୁରକ୍ଷିତ ପରିବେଶ
ସମସ୍ତ ୮ ଦଳ ଅଲଗା ଅଲଗା ହୋଟେଲରେ ରହିବେ ଏବଂ ତଦନୁଯାୟୀ ହୋଟେଲ୍‌ଗୁଡିକର ଅଲଗା କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରଣ ରହିଥିବା ଆବଶ୍ୟକ। ମ୍ୟାଚ୍‌ ଖେଳାଯିବାକୁ ଥିବା ଷ୍ଟାଡିୟମ୍‌ ପରିସରକୁ ମଧ୍ୟ ୩ଟି ଅଲଗା ଜ‌ୈବ ସୁରକ୍ଷିତ ଜୋନ୍‌ରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ଖେଳାଳି ଓ ଅଧିକାରୀ ଏବଂ ଅନ୍ୟ ଦୁଇ ଜୋନ ପରିଚାଳକଙ୍କ ଚଳପ୍ରଚଳ ଅଞ୍ଚଳ ରହିବ। ଅନ୍ୟମାନଙ୍କ ପାଇଁ ଏହା ନିଷିଦ୍ଧ ଅଞ୍ଚଳ ‌ଘୋଷିତ ରହିବ। ପରସ୍ପର ସହ ଯୋଗାଯୋଗ କରିବାକୁ ଫୋନ୍‌ ଓ ଭିଡିଓ କଲ୍‌ ଅନୁମତି ପ୍ରଦାନ କରାଯାଇଛି।

ବୈଠକ ଓ ଡ୍ରେସିଂ ରୁମ୍‌
କୌଣସି ଦଳୀୟ ବୈଠକ ଖୋଲା ପଡିଆ କିମ୍ବା ବଡ଼ ହଲ୍‌ରେ କରାଯିବ, ଯେଉଁଠି ସାମାଜିକ ଦୂରତାକୁ ଭଲ ଭାବେ ବଜାୟ ରଖିହେବ। ପ୍ରୋଟୋକଲ୍‌ ଅନୁସାରେ ମଧ୍ୟ ଡ୍ରେସିଂ ରୁମ୍‌କୁ ସୁରକ୍ଷିତ ରଖାଯିବ। ଜୈବ ସୁରକ୍ଷିତ ବ୍ୟବସ୍ଥାର ଅର୍ଥ ହେଲା କେବଳ ଆତ୍ୟାବଶ୍ୟକ ଜିନିଷ ଉପଲବ୍‌ଧ ରହିବ ଏବଂ ବାହାରର କୌଣିସି ଲୋକ ନିର୍ଧାରିତ ଜୋନ୍‌ ଭିତରକୁ ଆସିପାରିବେ ନାହିଁ। ଏହା ଦ୍ବାରା ଡ୍ରେସିଂ ରୁମ୍‌ କେବଳ ପାରମ୍ପରିକ ନ ରହି ଫାଙ୍କା ଅଞ୍ଚଳ ରହିଥିବ।

ଖେଳାଳିଙ୍କ ଜୋନ୍‌ ଓ ମ୍ୟାଚ୍‌ ପ୍ରୋଟୋକଲ୍‌
ଖେଳାଳିମାନେ ସେମାନଙ୍କ ବ୍ୟକ୍ତିଗତ ସାମଗ୍ରୀ ଯଥା ‌ପାଣି ବୋତଲ, ଟାୱେଲ, କ୍ରିକେଟ୍‌ ସରଂଜାମ ଆଦିକୁ ଅଲଗା ରଖିବେ। ଆଇସିସି ନିୟମ ଅନୁସାରେ କ୍ରିକେଟ୍‌ ବଲ୍‌ରେ ଲାଳ ଲଗାଯିବ ନାହିଁ। ମ୍ୟାଚ୍‌ ସମୟରେ ପଡିଆକୁ ଗୋଟିଏ ପ୍ରବେଶ ଦ୍ବାର ରହିବ। ଡ୍ରାଇଭରଙ୍କୁ ବିଛିନ୍ନ କରୁଥିବା ପରିବହନ ବ୍ୟବସ୍ଥା ରହିବ। ପ୍ରତ୍ୟେକଦିନ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନୋତ୍ତର ଓ ତାପମାତ୍ରା ପରଖାଯିବ। ଟସ୍ ବେଳେ ଚୂଡାନ୍ତ ଏକାଦଶ ଲାଗି ଇଲେକଟ୍ରୋନିକ୍ସ ଡିସପ୍ଲେ ବ୍ୟବହାର କରାଯିବ। ଡଗ୍‌ ଆଉଟ୍‌ରେ ଖେଳାଳିଙ୍କ ପାଇଁ ନିର୍ଧାରିତ ବସିବା ସ୍ଥାନ ରହିବ। ଡ୍ରିଙ୍କ୍ସ ବିରତି ପୂର୍ବରୁ ଓ ପରେ ଖେଳାଳିମାନେ ହସ୍ତପ୍ରକ୍ଷାଳନ କରିବେ।

କେହି ପଜିଟିଭ୍‌ ଆସିଲେ କ’ଣ ହେବ
କେହି ସନ୍ଦିଗ୍‌ଧ କିମ୍ବା ପଭିଟିଭ୍‌ ଜଣାପଡିଲେ ଦଳଠାରୁ ତୂରନ୍ତ ତାଙ୍କୁ ଅଲଗା କରିନିଆଯିବ। ଦଳୀୟ ଡାକ୍ତର ଏହି ଖବର ତୁରନ୍ତ ଆଇପିଏଲ୍‌ ମେଡିକାଲ୍‌ ମ୍ୟାନେଜରଙ୍କୁ ଜଣାଇବେ। ସ୍ବୀକୃତିପ୍ରାପ୍ତ ହସପିଟାଲ୍‌ରେ ତାଙ୍କ ଚିକିତ୍ସା ହେବା ସହ କୋଭିଡ୍‌ ପରୀକ୍ଷା ଓ ପରିଚାଳନା କରାଯିବ। ଜୈବ ସୁରକ୍ଷା ବଳୟ ବାହାରେ ତାଙ୍କ ରହିବାର ବ୍ୟବସ୍ଥା ହୋଇଛି। ୨ ସପ୍ତାହ ସଙ୍ଗରୋଧ ପରେ ୨୪ ଘଣ୍ଟା ଅନ୍ତରରେ ୨ ଥର ପିସିଆର୍ ଟେଷ୍ଟ୍‌ ନେଭେଟିଭ୍‌ ଆସିଲେ ଜ‌ୈବ ସୁରକ୍ଷା ପରିବେଶ ଭିତରକୁ ପୁନଃ ପ୍ରବେଶ କରିପାରିବେ।

ମାଲିକ ଓ ପରିବାର
ଖେଳାଳିମାନଙ୍କ ପାଇଁ ଧାର୍ଯ୍ୟ ପ୍ରୋଟୋକଲ୍‌ ମଧ୍ୟ ବିଭିନ୍ନ ଦଳର ମାଲିକ ଏବଂ ଖେଳାଳିଙ୍କ ପରିବାର ବର୍ଗଙ୍କ ପାଇଁ ଲାଗୁ ରହିବ। ଜୈବ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ ସେମାନଙ୍କୁ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରିବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ସେମାନଙ୍କୁ ୫ ଦିନର ସଙ୍ଗରୋଧରେ ପଠାଯିବ ଏବଂ ଷଷ୍ଠ ଓ ସପ୍ତମ ଦିବସରେ ଦୁଇ ପିସିଆର୍ ପରୀକ୍ଷା ନେଗେଟିଭ୍ ଆସିଲେ ଜୈବ ସୁରକ୍ଷା ପରିବେଶ ଭିତରକୁ ପୁନଃ ପ୍ରବେଶ କରିପାରିବେ।

ସମ୍ବନ୍ଧିତ ଖବର