ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୧ତମ ମ୍ୟାଚରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସକୁ ୬ ଓ୍ପିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ । ଦ୍ବିତୀୟ ପାଳିରେ କୋଲକାତା ୧୪୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୩ ଓଭରରେ ୪ ୱିକେଟ ହରାଇ ୧୪୭ ରନ୍‌ କରି ବିଜୟୀ ହୋଇଛି । ‌କୋଲକାତା ପକ୍ଷରୁ ନୀତିଶ ରାଣା ୫୭ ରନ୍‌ କରିଥିବା ବେଳେ ରିଙ୍କୁ ସିଂ ୫୪ ରନ୍‌ କରି କୋଲକାତାକୁ ବିଜୟ ଦେଇଛନ୍ତି । ଏହି ବିଜୟ ସହ କୋଲକାତା ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକା ୭ମ ସ୍ଥାନରେ ରହିଛି । ଅନ୍ୟପଟେ ୧୫ ଅଙ୍କ ସହ ଚେନ୍ନାଇ ୨ୟ ସ୍ଥାନରେ ରହିଛି ।

Advertisment

ପ୍ରଥମ ପାଳିରେ ଚେନ୍ନାଇ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଥିଲା। ଫଳରେ କୋଲକାତାକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା।

ଚେନ୍ନାଇ ପାଇଁ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ଭଲ ଆରମ୍ଭ କରିଥିଲେ। କିନ୍ତୁ ଦଳର ସ୍କୋର ୩୧ ରନ ଥିବା ବେଳେ ଋତୁରାଜ ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିଥିଲେ ଆଜିଙ୍କ୍ୟ ରାହାଣେ। ସେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ୬୧ ରନରେ ୨ୟ (ଆଜିଙ୍କ୍ୟ ରାହାଣେ), ୬୬ ରନରେ ୩ୟ (କନୱେ), ୬୮ ରନରେ ୪ର୍ଥ (ଅମ୍ବାତି ରାୟଡୁ) ଓ ୭୨ ରନରେ ୫ମ (ମୋଇନ ଅଲି) ୱିକେଟର ପତନ ହେଲା ପରେ ଚେନ୍ନାଇର ବ୍ୟାଟିଂ ମନ୍ଥର ହୋଇଯାଇଥିଲା।

ଚେନ୍ନାଇ ପାଇଁ ଶିଭମ ଦୁବେ ୩୪ ବଲ ଖେଳି ଅପରାଜିତ ରହି ଗୋଟିଏ ଚୌକା ଓ ଛକା ବଳରେ ସର୍ବାଧିକ ୪୮ ରନ୍‌ କରିଥିଲେ। ରବୀନ୍ଦ୍ର ଜାଦେଜା ୨୪ ବଲ୍‌ ଖେଳି ୨୦ ରନ କରିଥିଲେ। ଅଧିନାୟକ ‌ମହେନ୍ଦ୍ର ସିଂହ ଧୋନି ୩ ବଲ୍‌ ଖେଳି ଅପରାଜିତ ୨ ରନ କରିଥିଲେ। କୋଲକାତା ପାଇଁ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ବୈଭବ ଅରୋରା ଓ ସୂର୍ଯ୍ୟାଂଶ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।