ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୯ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ପାଳିରେ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୧୫ ରନ୍ କରିଥିଲା । ଜବାବରେ କୋଲକାତା ୧୯.୪ ଓଭରରେ ୪ ୱିକେଟ ହରାଇ ୧୧୯ ରନ୍ କରି ବିଜୟ ହାସଲ କରିଛି । ଶୁବମାନ ଗିଲ ୫୧ ବଲରେ ୫୭ ରନ୍ କରିଥିବା ବେଳେ ନୀତୀଶ ରାଣା ୩୩ ବଲରେ ୨୫ ରନ୍ କରିଥିଲେ । ଶେଷରେ ଦୀନେଶ କାର୍ତ୍ତିକ ୧୨ ବଲରେ ୧୮ ରନ୍ କରି କୋଲକାତାକୁ ବିଜୟ ଦେଇଥିଲେ । କୋଲକାତା ଏହି ବିଜୟ ସହ ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ହୋଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଇନିଂସ ଆରମ୍ଭରୁ ହାଇଦ୍ରାବାଦ୍ର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ମାତ୍ର ଏକ ରନ୍ରେ ଓପନର ଋଦ୍ଧିମାନ ଶାହା (୦ ରନ୍)ଙ୍କୁ ହରାଇଥିଲା। ସେହିପରି ସ୍କୋର ୧୬ ରନ୍ ଥିବା ବେଳେ ଅଧିନାୟକ ଓ୍ଵିଲିୟମ୍ସନ୍ (୨୬) ଆଉଟ୍ ହୋଇ ପାଭଲିଅନ୍କୁ ଫେରିଥିଲେ। ଜସନ ରୟ ୧୩ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍ କରିଥିଲେ। ହାଇଦ୍ରାବାଦର ସ୍କୋର ୫୧ ରନ୍ ବେଳକୁ ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। କେନ୍ ଓ୍ଵିଲିୟମ୍ସନ୍ଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୧୫ ରନ୍ କରିଥିଲା ଫଳରେ କୋଲକାତାକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୧୬ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kolkatta-won11_Thumb.jpg)