ମୁମ୍ବାଇ: ମୁମ୍ବାଇର ଡ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୫୬ତମ ମ୍ୟାଚରେ ମୁମ୍ବାଇକୁ ୫୨ ରନ୍ରେ ପରାସ୍ତ କରିଛି କୋଲକାତା । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୫ ରନ୍ର ଲକ୍ଷ୍ୟକୁ ପିଛା କରି ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ୍ କରି ପରାସ୍ତ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ସର୍ବାଧିକ ୫୧ ରନ୍ କରିଥିବା ବେଳେ କିରନ୍ ପୋଲାର୍ଡ ୧୬ ବଲରେ ୧୫ ରନ୍ ଓ ଟିମ୍ ଡେଭିଡ୍ ୯ ବଲରେ ୧୩ କରିଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ପ୍ୟାଟ୍ କମିନ୍ସ ୩ ୱିକେଟ, ଆଣ୍ଡ୍ରେ ରସେଲ ୨ ଓ ବରୁନ ଚକ୍ରବର୍ତ୍ତୀ ଏବଂ ଟିମ୍ ସାଉଦି ଗୋଟିଏ ଲେଖାଏଁ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଥିଲେ ।
ପୂର୍ବରୁ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ କରିଥିଲା । ଦଳର ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଆୟର ୪୩ ରନ କରି ଆଉଟ ହେବା ପରେ ଆସିଥିବା ନିତିଶ ରାଣା ମଧ୍ୟ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । କିନ୍ତୁ ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ଓ ନିମ୍ନକ୍ରମ ଶୋଚନୀୟଭାବେ ବିଫଳ ହୋଇଥିଲା । କେବଳ ରିଙ୍କୁ ସିଂ ୨୩ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୧୦ ରନ ଦେଇ ୫ଟି ଓ୍ବିକେଟ ନେଇଥିଲେ ।