ଆଇପିଏଲ୍‌ ନିଲାମ ତାଲିକାରେ ସୂର୍ଯ୍ୟ, ପପୁ

କଟକ: ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ପାଇଁ ଓଡ଼ିଶାରୁ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ବାମ ହାତୀ ସ୍ପିନର ପପୁ ରାଏ ତାଲିକାରେ ସ୍ଥାନ ପାଇଛନ୍ତି। ବିସିସିଆଇ ପକ୍ଷରୁ ମଙ୍ଗଳବାର ଘୋଷିତ ଖେଳାଳି ତାଲିକାରେ ଓଡ଼ିଶାରୁ କେବଳ ଏହି ଦୁଇଜଣଙ୍କୁ ସାମିଲ କରାଯାଇଛି। ଆଇପିଏଲ୍‌ ଖେଳାଳି ନିଲାମ ତାଲିକାରେ ଏହି ଦୁଇ ଜଣଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ରଖାଯାଇଛି। ଓଡ଼ିଶା ପାଇଁ ଚଳିତ ବର୍ଷ ପଦାର୍ପଣ କରିଥିବା ପପୁ ରାଏ ବିଜୟ ହଜାରେ ଟ୍ରଫିରେ ୧୪ ଵିକେଟ୍‌ ନେଇଥିଲା ବେଳେ ସୂର୍ଯ୍ୟ ୭ ଵିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ରଣଜୀ ଟ୍ରଫିରେ ଚଳିତ ଋତୁରେ ପପୁ ୨ ମ୍ୟାଚ୍‌ରୁ ଗୋଟିଏ ଓ ସୂର୍ଯ୍ୟ ୩ ମ୍ୟାଚ୍‌ରୁ ୧୨ ଵିକେଟ୍‌ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ହଳଧର ଦାସ ଓ ବିପ୍ଲବ ସାମନ୍ତରାୟ ଆଇପିଏଲ୍‌ରେ ଖେଳିସାରିଥିଲା ବେଳେ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକ ବର୍ଷ ଚୟନ ଶିବିରକୁ ଖେଳାଳିମାନଙ୍କୁ ଡକାଯାଉଛି। ହେଲେ କେହି ବି କୌଣସି ଦଳରେ ସୁଯୋଗ ପାଇବାରେ ସଫଳ ହୋଇନାହାନ୍ତି।

ସମ୍ବନ୍ଧିତ ଖବର