ନୂଆଦିଲ୍ଲୀ : ଆଇପିଏଲ୍ ଭଳି ମାସାଧିକ କାଳ ଚାଲୁଥିବା କ୍ରିକେଟ୍ର ଫଟାଫଟ୍ ଫର୍ମାଟ୍ରେ କୌଣସି ଦଳର ନେତୃତ୍ବ ନେବା ଅଧିନାୟକମାନଙ୍କର ଦକ୍ଷତାକୁ ଦର୍ଶାଇଥାଏ। ଦଳ ହାରୁ କି ଜିତୁ, କିନ୍ତୁ ବିଭିନ୍ନ ସଂସ୍କୃତି ଓ ପୃଷ୍ଠଭୂମିରୁ ଆସିଥିବା ଖେଳାଳିମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ଯିଏ ସଫଳ ହୁଏ, ତାଙ୍କୁ ଦର୍ଶକ ଅଧିକ ଭଲପାଇବା ଦେଇଥା’ନ୍ତି। ତେଣୁ ଆଇପିଏଲ୍ ଦଳର ଯିଏ ନେତୃତ୍ବ ନେଇଥା’ନ୍ତି, ସେମାନଙ୍କ ଅଭିଜ୍ଞତାକୁ ପ୍ରଥମେ ପରଖା ଯାଇଥାଏ। ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଆହୁରି ଅନେକ ବିଭନ୍ନ ଦଳର ନେତୃତ୍ବ ନେଇସାରିଲେଣି। ତେବେ ୧୫ ବର୍ଷର ଇତିହାସରେ ଏମିତି କିଛି ଭାରତୀୟ କ୍ରିକେଟର ଅଛନ୍ତି, ଯେଉଁମାନଙ୍କର ଆନ୍ତର୍ଜାତିକ କ୍ରିକେଟ୍ରେ ଅଭିଜ୍ଞତା ଖୁବ୍ କମ୍ ହୋଇଥିଲେ ବି ଆଇପିଏଲ୍ରେ ନିଜ ଦଳର ନେତୃତ୍ବ ନେଇଛନ୍ତି ଓ ସଫଳତା ମଧ୍ୟ ପାଇଛନ୍ତି।
/sambad/media/post_attachments/wp-content/uploads/2023/03/Shreyas-Iyer-649x430.jpg)
ଶ୍ରେୟସ ଆୟର (୧୨ ମ୍ୟାଚ୍)
ଦିଲ୍ଲୀ ଡେୟାରଡେଭିଲ୍ସରେ ଗୌତମ ଗମ୍ଭୀର ଅଧିନାୟକ ଥିବା ବେଳେ ଶ୍ରେୟସ ଆୟର ଜଣେ ଯୁବ ପ୍ରତିଭା ଥିଲେ। ୧୯ ବର୍ଷରୁ କମ୍ ଦଳରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ନୂଆ ନୂଆ ଖେଳୁଥିଲା ବେଳେ ଆଇପିଏଲ୍ରେ ତାଙ୍କୁ ଦଳର ନେତୃତ୍ବ ନେବାର ସୁଯୋଗ ମିଳିଥିଲା। ୨୦୧୮ ସଂସ୍କରଣର ମଧ୍ୟଭାଗରେ ଗମ୍ଭୀର ତାଙ୍କ ଅଧିନାୟକ ପଦ ଆୟରଙ୍କୁ ହସ୍ତାନ୍ତର କରିଥିଲେ। ସେତେବେଳକୁ ଆୟର ମାତ୍ର ୧୨ ଆନ୍ତର୍ଜାତିକ ମ୍ୟାଚ୍ (୬ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦)ର ଅଭିଜ୍ଞତା ରଖିଥିଲେ। ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ ଓ ମାସେ ପରେ ଦିନିକିଆ ପଦାର୍ପଣ କରିଥିଲେ। ତେବେ ତାଙ୍କର ପ୍ରଥମ ଅଧିନାୟକ ବର୍ଷକୁ ସେ ସ୍ମରଣୀୟ କରିଥିଲେ। ନେତୃତ୍ବ ପଦାର୍ପଣରେ ଅପରାଜିତ ୯୩ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ। ଯାହାକି ସେ ସମୟରେ କୌଣସି ପଦାର୍ପଣକାରୀ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ରନ୍ ଥିଲା। ପରେ ଦଳର ନାମ ଦିଲ୍ଲୀ କ୍ୟାପିଟାଲ୍ସକୁ ପରିବର୍ତ୍ତନ ହୋଇଥିଲା। ୨୦୨୦ ସଂସ୍କରଣରେ ଆୟର ତାଙ୍କ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
/sambad/media/post_attachments/wp-content/uploads/2023/03/Karun-Nair-748x430.jpg)
କରୁଣ ନାୟର (୮ ମ୍ୟାଚ୍)
୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ରେ ତ୍ରିଶତକ ଅର୍ଜନ କରିଥିବା କରୁଣ ନାୟର ଆଇପିଏଲ୍ରେ ଖୁବ୍ କମ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଅଧିନାୟକ ଭାବେ ସେତେବେଳେ କୀର୍ତ୍ତିମାନ କରିଥିଲେ। ଆଇପିଏଲ୍ରେ ଅଧିନାୟକ ହେବା ପୂର୍ବରୁ କରୁଣଙ୍କ ପାଖରେ ମାତ୍ର ୨ ଦିନିକିଆ ଓ ୬ ଟେଷ୍ଟ ମ୍ୟାଚ୍ର ଅଭିଜ୍ଞତା ରହିଥିଲା। ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳୁଥିବା ବେଳେ ଜାହିର ଖାନ୍ ଆହତ ହେବାରୁ ତାଙ୍କ ସ୍ଥାନରେ କରୁଣଙ୍କୁ ଦଳର ନେତୃତ୍ବ ନେବାକୁ ଚୟନ କରାଯାଇଥିଲା। ହେଲେ ପଦାର୍ପଣ ମ୍ୟାଚ୍ରେ କରୁଣ ନିରାଶ ହୋଇଥିଲେ। ପ୍ରଥମ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବଠୁ ଦିଲ୍ଲୀ ୬୭ ରନ୍ରେ ପରାସ୍ତ ହୋଇଥିଲା। ଜାହିର ସୁସ୍ଥ ହୋଇ ଫେରିବା ପୂର୍ବରୁ କରୁଣ ଆଉ ଦୁଇଟି ମ୍ୟାଚ୍ରେ ଦଳର ନେତୃତ୍ବ ନେଇଥିଲେ। ହେଲେ ଏହାପରଠୁ ସେ ଆଉ ଭାରତୀୟ ଦଳକୁ ଫେରିପାରିନଥିଲା ବେଳେ ୨୦୨୨-୨୩ ଋତୁରେ କର୍ଣ୍ଣାଟକ ପାଇଁ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି।
/sambad/media/post_attachments/wp-content/uploads/2023/03/Sanju-samson-750x430.jpg)
ସଂଜୁ ସାମସନ୍ (୭ ମ୍ୟାଚ୍)
ଆଇପିଏଲ୍ ୨୦୨୧ ପୂର୍ବରୁ ରାଜସ୍ଥାନ ରୟାଲ୍ସ ତାହାର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଦଳଠୁ ଅଲଗା କରିଥିଲା। ତେଣୁ ତାଙ୍କ ସ୍ଥାନରେ ସଂଜୁ ସାମସନ୍ଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍ରେ ସଂଜୁ ଜବରଦସ୍ତ ପ୍ରଦର୍ଶନ ଦେଇ ଦର୍ଶକଙ୍କ ମନୋରଂଜନ କରିଥିଲେ। ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍ରେ ସେ ଶତକ ମାରିଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୨୨୨ ରନ୍କୁ ପିଛା କରିବାକୁ ଯାଇ ସଂଜୁ ୬୩ ବଲ୍ରୁ ୧୧୯ ରନ୍ ଜମାଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏହି ମ୍ୟାଚ୍କୁ ରାଜସ୍ଥାନ ରୟାଲ୍ସ ଜିତିପାରିନଥିଲା। ଦଳର ନେତୃତ୍ବ ନେବା ପୂର୍ବରୁ ସଂଜୁ ମାତ୍ର ୭ ଟ୍ବେଣ୍ଟି-୨୦ରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ଆଇପିଏଲ୍ର ଏହି ସଂସ୍କରଣ ପରେ ସେ ଭାରତ ପାଇଁ ଏକାଧିକ ମ୍ୟାଚ୍ ଖେଳିସାରିଥିଲା ବେଳେ ଦିନିକିଆ ପଦାର୍ପଣ ମଧ୍ୟ କରିସାରିଛନ୍ତି। ତାଙ୍କ ଅଧିନରେ ରାଜସ୍ଥାନ ୨୦୨୨ ସଂସ୍କରଣର ଫାଇନାଲ୍ରେ ପହଞ୍ଚିଥିଲା।
/sambad/media/post_attachments/wp-content/uploads/2023/03/Nitish-rana-750x430.jpg)
ନୀତୀଶ ରାଣା (୩ ମ୍ୟାଚ୍)
ଆଇପିଏଲ୍ର ଚଳିତ ସଂସ୍କରଣ ପାଇଁ ନୀତୀଶ ରାଣାଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଧିନାୟକ ନିଯୁକ୍ତ କରିଛି। ନିୟମିତ ଅଧିନାୟକ ଶ୍ରେୟସ ଆୟର ପିଠିରେ ଆଘାତ ଯୋଗୁଁ ଏଥର ଆଇପିଏଲ୍ରେ ଖେଳିବା ସମ୍ଭାବନା ବହୁତ କମ୍ ରହିଛି। ଏଭଳିସ୍ଥିତିରେ ନୀତୀଶଙ୍କୁ ଦଳର ନେତୃତ୍ବ ନେବା ପାଇଁ ଦଳ ଚୟନ କରିଛି। ତେବେ ଅଧିନାୟକ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନୀତୀଶଙ୍କ ପାଖରେ ମାତ୍ର ୩ ଆନ୍ତର୍ଜାତିକ ମ୍ୟାଚ୍ର ଅଭିଜ୍ଞତା ରହିଛି। ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଗୋଟିଏ ଦିନିକିଆ ଓ ଦୁଇଟି ଟ୍ବେଣ୍ଟି-୨୦ ସେ ଖେଳିଛନ୍ତି। ହେଲେ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିନପାରିବାରୁ ସେ ଆଉ ଜାତୀୟ ଦଳକୁ ଫେରିପାରିନାହାନ୍ତି। ଆର୍ସିବି, ଦିଲ୍ଲୀ ଡେୟାରଡେଭିଲ୍ସ, ରାଜସ୍ଥାନ ରୟାଲ୍ସ ଓ କେକେଆର୍ ପାଇଁ ମୋଟ୍ ୭୬ ଆଇପିଏଲ୍ ମ୍ୟାଚ୍ ସେ ଖେଳିସାରିଛନ୍ତି। ତେବେ ସବୁଠୁ କମ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ଆଇପିଏଲ୍ରେ ଅଧିନାୟକ ହେବାରେ ସେ ନୂଆ କୀର୍ତ୍ତିମାନ କରିବାକୁ ଯାଉଛନ୍ତି।
/sambad/media/post_attachments/wp-content/uploads/2023/03/sssdddee-300x128.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ipl-tt.jpg)