ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଲେ ଏବଂ ଅନ୍ୟାନ୍ୟ ନେବା ଆଣିବା ବ୍ୟବସ୍ଥା କିଛି ଦିନ ଭିତରେ ହୋଇପାରିଲେ ଆସନ୍ତା ୧୬ ତାରିଖରୁ ଆଇପିଏଲ୍‌ ପୁନର୍ବାର ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିସିସିଆଇ ଏହି ଦିଗରେ କାର୍ଯ୍ୟାରମ୍ଭ କରିସାରିଛି। ଫ୍ରାଞ୍ଚାଇଜଙ୍କୁ ବିଦେଶୀ ଖେଳାଳିମାନଙ୍କୁ ଫେରାଇ ଆଣିବା ଦାୟିତ୍ବ ଦିଆଯାଇଛି। ‌ପୂର୍ବରୁ ଲିଗ୍‌ର ଅବଶିଷ୍ଟ ୧୭ଟି ମ୍ୟାଚ୍ ତିନିଟି ସ୍ଥାନ‌ରେ କରିବାକୁ ବିସିସିଆଇ ଯୋଜନା କରିଥିଲା। ହେଲେ ସୁରକ୍ଷା ବ୍ୟବସ୍ଥା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସୁଧୁରିଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହାକୁ ୪ଟି ସହରକୁ ବଢ଼ାଇବାକୁ ବୋର୍ଡ କର୍ମକର୍ତ୍ତା ଆଲୋଚନା ଆରମ୍ଭ କରିଛନ୍ତି।  ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ରୁ ଆରମ୍ଭ ହେବ। ସେହିଭଳି ଗ୍ରାଣ୍ଡ ଫାଇନାଲ୍ କୋଲକାତା କିମ୍ବା ଅହମଦାବାଦରେ ଖେଳାଯିବ ବୋଲି ଜଣାପଡ଼ିଛି। ସବୁକିଛି କିନ୍ତୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ଉପରେ ନିର୍ଭର କରିବ ବୋଲି ବିସିସିଆଇ ସଙ୍କେତ ଦେଇଛି। 

Advertisment

ଏଥିନେଇ ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ଆମେ ସମସ୍ତ ସତ୍ବାଧିକାରୀଙ୍କୁ ଏହି ବିଷୟ ଜଣାଇ ସାରିଛୁ। ଦଳଗୁଡ଼ିକ ସେମାନଙ୍କ ଖେଳାଳି ଏବଂ ଅଧିକାରୀଙ୍କୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍‌ ପରବର୍ତ୍ତୀ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି। ଲକ୍ଷ୍ନୌ ଦଳର ସମସ୍ତ ଖେଳାଳି ୧୩ ତାରିଖ ସୁଦ୍ଧା ସେଠାରେ ଏକାଠି ହେବେ। ପୂର୍ବ ଯୋଜନା ଅନୁସାରେ ହାଇଦ୍ରାବାଦ କ୍ବାଲିଫାୟର-୧ ଏବଂ ଏଲିମିନେଟର ଆୟୋଜନ କରିବ। କୋଲକାତାରେ କ୍ବାଲିଫାୟର-୨ ଓ ଫାଇନାଲ୍ ଆୟୋଜିତ ହେବ। ଯଦି ପରିସ୍ଥିତି ଭଲ ନରହେ, ତାହେଲେ ଫାଇନାଲ୍‌ କୋଲକାତାରୁ ଅହମଦାବାଦକୁ ସ୍ଥାନାନ୍ତର ହେବ। ଖୁବଶୀଘ୍ର ବିସିସିଆଇ ପୁନଃନିର୍ଦ୍ଧାରିତ ସୂଚୀ ଘୋଷଣା କରିବ। ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ପାକିସ୍ତାନରେ ଥିବା ବିଭିନ୍ନ ଆତଙ୍କବାଦୀ ଆଡ଼ା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ପଟୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା।  ଫଳରେ ଚଳିତ ମେ ୯ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମ୍ୟାଚ୍‌କୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ତା ସହିତ ପୂରା ଆଇପିଏଲ୍‌କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ କରି ଦିଆଯାଇଥିଲା। 

ବିମାନରୁ ଫେରି ଆସିଲେ ପଣ୍ଟିଂ
ଭାରତ-ପାକିସ୍ତାନ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଆ‌ଇପିଏଲ୍‌ର ଅଧିକାଂଶ ବିଦେଶୀ ଖେଳାଳି ସ୍ବଦେଶ ଫେରିଯାଇଛନ୍ତି। ତେବେ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସ୍ବଦେଶ ଫେରିବା ପାଇଁ ବିମାନରେ ବସି ସାରିବା ପରେ ଅସ୍ତ୍ରବିରତି ସୂଚନା ପାଇ ସେଥିରୁ ଓହ୍ଲାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସହକାରୀ ପ୍ରଶିକ୍ଷକ ବ୍ରାଡ୍ ହାଡିନ ମଧ୍ୟ ଅଧାବାଟରୁ ଫେରିଛନ୍ତି।