ଲକ୍ଷ୍ନୌ: ଏକ ରୋମାଞ୍ଚକ ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି। ‌ ୧୭୮ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍‌ ଭାଗୀଦାରି ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍‌କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା।

Advertisment

ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍‌ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍‌ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍‌ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। ପ୍ରଥମ ଓଭରରେ ୧୩ ରନ୍‌ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ମୋହସିନ୍ ଖାନ୍‌ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍‌କୁ ଡିଫେଣ୍ଡ କରି ଦେଇଥିଲେ।

ବିଜୟ ପରେ କ୍ରିକେଟର ମୋହସିନ ଖାନ ତାଙ୍କର ରୋଗ ବିଷୟରେ ଆଲୋଚନା କରି କହିଛନ୍ତି,‘ ,ଏମିତି ଏକ ସମୟ ଥିଲା, ଯେତେବେଳେ ମୁଁ  ଭବିଷ୍ୟତରେ କେବେ କ୍ରିକେଟ ଖେଳିବି ବୋଲି ଆଶା ଛାଡ଼ି ଦେଇଥିଲି। କାରଣ ମୁଁ ହାତ ଉଠାଇ ପାରୁ ନଥିଲି। ଯଦି ବି ଉଠାଉଥିଲୁ ତାହା ସିଧା ହେଉ ନଥିଲା। ଏଭଳି ଅସୁବିଧା ଭିତରେ ଯଦି ମୁଁ ‌ଡାକ୍ତରଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚି ନଥାଆନ୍ତି ହାତ କାଟିବାକୁ ପଡ଼ିଥାଆନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହି କାରଣରୁ ଗତବର୍ଷ ମୋର କାନ୍ଧର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ବାମ କାନ୍ଧରେ ରକ୍ତ ଜମାଟ ବାନ୍ଧି ଦେଇଥିଲା। ଏହି କାରଣରୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳି ପାରି ନଥିଲି।