ଆଇପିଏଲ୍‌: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କଲା ପଂଜାବ କିଙ୍ଗ୍‌ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୩ୟ ମ୍ୟାଚ୍‌ ରବିବାର ପଂଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମ ପାଳିରେ ୨୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ୨୦୮ ରନ୍‌ କରି ବିଜୟ ହାସଲ କରିଛି।

ପ୍ରଥମ ୱିକେଟରେ ଓପନର ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧୱନ ୭୧ ରନ୍‌ର ଭାଗିଦାରୀ  ଯୋଡ଼ିପାରିଥିଲେ। ମୟଙ୍କ ୨୪ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୩୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ପଂଜାବର ସ୍କୋର ୧୧୮ ରନ୍‌ରେ ୨ୟ ୱିକେଟ ଭାବେ ଶିଖର ଧୱନଙ୍କୁ ହରାଇଥିଲା। ଆଉଟ୍‌ ହେବା ପୂର୍ବରୁ ଧୱନ୍‌ ବ୍ୟକ୍ତିଗତ ଭାବେ ୪୩ ରନ୍‌ ସଂଗ୍ରହ କରିଥିଲେ। ସେ ୨୯ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ସ୍କୋର କରିଥିଲେ।ଶେଷରେ ଶାହାରୁଖ ଖାନ ଅପରାଜିତ ୨୦ ବଲରେ ୨୪ ରନ୍‌ ଓ ଓଡେନ୍‌ ସ୍ମିଥ୍‌ଙ୍କ ଦମ୍‌ଦାର ୮ ବଲରେ ୨୫ ରନ୍‌ ବଳରେ ପଞ୍ଜାବ ବାଙ୍ଗାଲୋର ହାତରୁ ଏହି ମ୍ୟାଚକୁ ଛଡାଇ ଆଣିଥିଲା ।

ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ୍‌ ସ୍ପୋର୍ଟସ ଅକାଦମି ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ପଂଜାବ୍‌ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଂଜାବର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କଠାରୁ ଆମନ୍ତ୍ରଣ ପାଇବା ପରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ପଂଜାବକୁ ୨୦୬ ରନ୍‌ର ଟାର୍ଗେଟ ମିଳିଥିଲା।

ବାଙ୍ଗାଲୋର ମଜବୁତ୍‌ ରନ୍‌ ସ୍କୋର ପାଇଁ ଅଧିନାୟକ ଫାପ୍‌ ଡୁପ୍ଲେସିସ୍‌ଙ୍କ ବଡ଼ ଯୋଗଦାନ ରହିଛି। ଓପନର ଡୁପ୍ଲେସିସ୍‌ ୫୭ଟି ବଲ୍‌ ଖେଳି ୮୮ ରନ୍‌ କରିଛନ୍ତି। ଏଥିରେ ସେ ୩ଟି ଚୌକା ଓ ୭ଟି ଛକା ମାରିଛନ୍ତି। ଡୁପ୍ଲେସିସ୍‌ ସାଥୀ ଖେଳାଳି ଅନୁଜ୍‌ ରାଓ୍ଵତଙ୍କ ସହିତ ପ୍ରଥମ ଓ୍ଵିକେଟ୍‌ରେ ୫୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଅନୁଜ ୨୧ ରନ୍‌ କରିଥିବାବେଳେ ରାହୁଲ ଚହରଙ୍କ ଏକ ବୋଲରେ ବୋଲ୍‌ଡ ହୋଇଯାଇଥିଲେ। ପରେ ବିରାଟ କୋହଲିଙ୍କ ସହିତ ୧୧୮ ରନ୍‌ର ଭାଗିଦାରୀ ହୋଇ ଅର୍ସଦୀପଙ୍କ ବଲରେ ଶାହରୁଖ ଖାନ୍‌ଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଯାଇଥିଲେ ଡୁପ୍ଲେସିସ୍‌।

କୋହଲି (ଅପରାଜିତ ୪୧ ରନ୍‌) ଓ ଦିନେଶ କାର୍ତ୍ତିକ (ଅପରାଜିତ ୩୨ ରନ୍) ଓ ଏକଷ୍ଟ୍ରା ୨୩ ରନ୍‌ ବଳରେ ବାଙ୍ଗାଲୋର ୨୦୫ ରନ୍‌ରେ ପହଞ୍ଚିଥିଲା। ପଂଜାବ ପକ୍ଷରୁ ଓଡେନ୍‌ ସ୍ମିଥ ୪ ଓଭର ବୋଲିଂ କରି ସର୍ବାଧିକ ୫୩ ରନ୍‌ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର