ମୁମ୍ବାଇ: ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ଆସନ୍ତାବର୍ଷ ମାର୍ଚ ୨୯ ତାରିଖରୁ ସମ୍ଭବତଃ ଆରମ୍ଭ ହେବ। ଏଭଳି ସୂଚନା ଦେଇଛି ବିସିସିଆଇ। କାରଣ ଆସନ୍ତାବର୍ଷ ଆଇସିସି ବିଶ୍ୱକପ୍‌ (୫୦ ଓଭରିଆ) ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବାରୁ ଆଇପିଏଲ୍‌କୁ ଚଳିତ ବର୍ଷ ପରି ବିଳମ୍ବରେ ଆୟୋଜନ କରାଯାଇପାରିବ ନାହିଁ। ଲୋଧା ସୁପାରିସ ମଧ୍ୟ ଏକ୍ଷେତ୍ରରେ ବାଧକ ସାଜିବ। ଲୋଧା ସୁପାରିସ ଅନୁଯାୟୀ ଆଇପିଏଲ୍‌ ଏବଂ ଯେକୌଣସି କ୍ରିକେଟ୍‌ ପ୍ରତିଯୋଗିତା ମଝିରେ ଅତି କମ୍‌ରେ ୧୫ ଦିନର ବିରତି ରହିବା ବାଧ୍ୟ। ସେହିଦୃଷ୍ଟିରୁ ଆସନ୍ତାବର୍ଷ ଆଗୁଆ ଆଇପିଏଲ୍‌ ନକଲେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିବ। ପୂର୍ବରୁ ସାଧାରଣ ନିର୍ବାଚନ ଯୋଗୁଁ ୨୦୧୪ରେ ମଧ୍ୟ ବିସିସିଆଇ ୧୯ ଦିନ ପାଇଁ ଆଇପିଏଲ୍‌କୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା। ସେହି ଦୃଷ୍ଟିରୁ ଆସନ୍ତାବର୍ଷ ବିଶ୍ୱକପ୍‌ ବ୍ୟତୀତ ଭାରତରେ ମଧ୍ୟ ଲୋକସଭା ନିର୍ବାଚନ ଥିବାରୁ ଆଇପିଏଲ୍‌ରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ରହିଛି। କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ଘୋଷଣା କରିଦେଲେ ସମସ୍ୟା ସୃଷ୍ଟି ହେବ। ବିଶେଷକରି ଗତ ୩ଟି ସାଧାରଣ ନିର୍ବାଚନ ଏପ୍ରିଲ ଓ ମେ ମାସରେ ହିଁ ହୋଇଆସିଛି। ୨୦୧୪ ନିର୍ବାଚନ (୯ ପର୍ଯ୍ୟାୟ ବିଶିଷ୍ଟ) ସବୁଠୁ ଲମ୍ବା ଥିଲା। ଯଦି ୨୦୧୯ ନିର୍ବାଚନକୁ ସରକାର ସେଭଳି ଢଙ୍ଗରେ କରିବାକୁ ଚାହଁନ୍ତି, ତାହାହେଲେ ଆଇପିଏଲ୍‌ ଆୟୋଜନ ଭାରତରେ ହେବା କଷ୍ଟକର ।