ଆଇପିଏଲ୍‌ ମ୍ୟାଚ୍‌ ସମୟ ବଦଳିବ

ନୂଆଦିଲ୍ଲୀ: ଆସନ୍ତାବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ରାତି ମ୍ୟାଚ୍‌ଗୁଡ଼ିକର ସମୟ ବଦଳିବ। ଏନେଇ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରସ୍ତାବ ବାଢ଼ିଛନ୍ତି। ପୂର୍ବରୁ ଆଇପିଏଲ୍‌ ରାତି ମ୍ୟାଚ୍‌ସବୁ ୮ଟାରୁ ଆରମ୍ଭ ହେଉଥିଲା ବେଳେ ୨୦୧୮ରୁ ଏହାକୁ ରାତି ୭ଟାରୁ ଆରମ୍ଭ କରିବାକୁ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ଶୁକ୍ଳା ପ୍ରସ୍ତାବ ରଖିଛନ୍ତି। ଅନ୍ୟପକ୍ଷରେ ଅପରାହ୍ନ ମ୍ୟାଚ୍‌ ମଧ୍ୟ ୪ ପରିବର୍ତେ ୩ଟାରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଫ୍ରାଞ୍ଚାଇଜ୍‌ମାନେ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଥିଲା ବେଳେ ପ୍ରସାରଣକାରୀ ସଂସ୍ଥା (ଷ୍ଟାର୍‌ ଇଣ୍ଡିଆ)ଙ୍କ ଅନୁମୋଦନ ମିଳିଲେ ଏହି ପରିବର୍ତନ କରାଯାଇପାରିବ ବୋଲି ଜଣାପଡ଼ିଛି। ଅନ୍ୟଏକ ପ୍ରସଙ୍ଗକୁ ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରସଙ୍ଗ ହେଲା ଆଇପିଏଲ୍‌ ଆରମ୍ଭ ହେବା ପରେ ଅଧାରୁ କୌଣସି ଖେଳାଳି ଦଳବଦଳ କରିପାରିବେ ନା ନାହିଁ। ତେବେ ଅତି କମ୍‌ରେ ଜଣେ ଖେଳାଳି ଗୋଟିଏ ଦଳ ପକ୍ଷରୁ ୨ ମ୍ୟାଚ୍‌ ଖେଳିଥିଲେ, ସେ ଅନ୍ୟ ଦଳକୁ ଯାଇପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଡିସେମ୍ବର ୫ ତାରିଖ ଦିଲ୍ଲୀରେ ବସିବାକୁ ଥିବା ପରବର୍ତୀ ବୈଠକରେ ସମସ୍ତ ପ୍ରସ୍ତାବ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର