ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ( ଆଇପିଏଲ୍‌) ୨୦୨୨ ପାଇଁ ଖେଳାଳିଙ୍କ ନିଲାମ ରବିବାର ଦ୍ଵିତୀୟ ଦିନରେ ଜାରି ରହିଛି। ୧୯ ବର୍ଷରୁ କମ ଭାରତୀୟ ଦଳର ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଆଇପିଏଲ ଦଳମାନେ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସହିତ ଭାରତର ଅନ୍ୟ ଘରୋଇ ତଥା ଆନ୍ତର୍ଜାତୀୟ ଖେଳାଳିମାନେ ଆଇପିଏଲ ଦଳମାନଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି।

Advertisment

୧୯ ବର୍ଷରୁ କମ ବିଶ୍ଵକପ ବିଜେତା ଭାରତୀୟ ଦଳର ଅଧିନାୟକ ୟଶ୍ ଧୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷରେ କିଣିଛି। ରାଜବର୍ଦ୍ଧନ ହେଙ୍ଗେରଗେକରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ୍ ୨ କୋଟିରେ କିଣିଛି। ତାଙ୍କ ପ୍ରାରମ୍ଭିକ ମୂଲ୍ୟ(ବେସ୍ ପ୍ରାଇସ୍) ମାତ୍ର ୩୦ ଲକ୍ଷ ଥିଲା। ରାଜବର୍ଦ୍ଧନ ୧୯ ବର୍ଷରୁ କମ ବିଶ୍ଵକପରେ ଅଲରାଉଣ୍ଡର ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୯ ବର୍ଷରୁ କମ ବିଶ୍ଵକପର ଫାଇନାଲ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଥିବା ଅଲରାଉଣ୍ଡର ରାଜ୍ ବାଓ୍ଵାଙ୍କୁ ୨ କୋଟି ଟଙ୍କାରେ ଦଳରେ ନେଇଛି ପଞ୍ଜାବ କିଙ୍ଗ୍ସ । ରାଜ୍ ବାଓ୍ଵାଙ୍କ ପ୍ରାରମ୍ଭିକ ମୂଲ୍ୟ ୨୦ ଲକ୍ଷ ଥିଲା।

ଉତ୍ତର ପ୍ରଦେଶର ଦ୍ରୁତ ବୋଲର ୟଶ୍ ଦୟାଲଙ୍କୁ ଗୁଜରାଟ ୩ କୋଟି ୨୦ ଲକ୍ଷରେ କିଣିଛି। ୟଶଙ୍କ ପ୍ରାରମ୍ଭିକ ମୂଲ୍ୟ(ବେସ୍ ପ୍ରାଇସ୍) ମାତ୍ର ୨୦ ଲକ୍ଷ ଥିଲା। ଅଲରାଉଣ୍ଡର ତିଲକ୍ ବର୍ମାଙ୍କୁ ୧ କୋଟି ୭୦ ଲକ୍ଷରେ ଦଳରେ ନେଇଛି ମୁମ୍ଵାଇ ଇଣ୍ଡିଆନ୍ସ୍। ଦ୍ରୁତ ବୋଲର୍ ଜୟଦେବ ଉନାଦକତଙ୍କୁ ୧ କୋଟି ୩୦ ଲକ୍ଷରେ ନେଇଛି ମୁମ୍ଵାଇ ଇଣ୍ଡିଆନ୍ସ୍। ଭାରତର ଆନ୍ତର୍ଜାତୀୟ ଦ୍ରୁତ ବୋଲର୍ ନବଦୀପ୍ ସୈନିଙ୍କୁ ୨ କୋଟି ୬୦ ଲକ୍ଷରେ ରାଜସ୍ଥାନ ରୟାଲ୍ସ୍ କ୍ରୟ କରିଛି।

publive-image

ଗତବର୍ଷ ଆଇପିଏଲ୍ ଖେଳିବାକୁ ଆରମ୍ଭ କରିଥିବା ଚେତନ୍ ସାକାରିୟାଙ୍କୁ ୪ କୋଟି ୨୯ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ୍। ୫୦ ଲକ୍ଷ ଟଙ୍କା ପ୍ରାରମ୍ଭିକ ମୂଲ୍ୟ ଥିବା ଖଲିଲ ଅହମ୍ମଦଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ୍। କୃଷ୍ଣାପ୍ପା ଗୌତମଙ୍କୁ ୯୦ ଲକ୍ଷରେ କିଣିଛି ଲକ୍ଷ୍ନୌ ଦଳ । ଗତ ବର୍ଷ ୯ କୋଟି ୨୦ ଲକ୍ଷରେ କୃଷ୍ଣାପ୍ପା ଗୌତମଙ୍କୁ କିଣିଥିଲା ସିଏସକେ। ଅଲରାଉଣ୍ଡର୍ ଶିବମ୍ ଦୁବେଙ୍କୁ ୪କୋଟିରେ ଦଳରେ ନେଲା ସିଏସକେ। ଆଜିଙ୍କ୍ୟ ରାହାଣେଙ୍କୁ ୧ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ୍।

ଅଲରାଉଣ୍ଡର୍ ବିଜୟ ଶଙ୍କର ୧ କୋଟି ୪୦ ଲକ୍ଷ ବିନିମୟରେ ଗୁଜରାଟ ଦଳକୁ ଯାଇଛନ୍ତି। ସ୍ପିନର୍ ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ ଲକ୍ଷରେ ଦଳକୁ ନେଇଛି ଗୁଜରାଟ ଟାଇଟାନ୍ସ୍। ବିଦେଶୀ ଖେଳାଳି ମାନଙ୍କ ମଧ୍ୟରେ ଆକ୍ରମଣାତ୍ମର ଦ୍ରୁତ ବୋଲର୍ ଜୋଫ୍ରା ଆର୍ଚରଙ୍କୁ ୮ କୋଟିରେ ଦଳକୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ। ଓ୍ଵେଷ୍ଟଇଣ୍ଡିଜର ଅଲରାଉଣ୍ଡର୍ ରୋମାରିଓ ଶେଫର୍ଡଙ୍କୁ ୭ କୋଟି ୭୫ ଲକ୍ଷରେ କିଣିଲା ସନରାଇଜର୍ସ୍ ହାଇଦ୍ରାବାଦ। ସ୍ପିନର୍ ମିଚେଲ୍ ସାନ୍ତନର ୧ କୋଟି ୯୦ ଲକ୍ଷରେ ସିଏସକେ ଦଳକୁ ଯାଇଛନ୍ତି।