ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୪୧ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ।୧୪୪ ରନର ଲକ୍ଷ୍ୟକୁ ମୁମ୍ବାଇ ୧୫.୪ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୭୦ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୪୦ ରନ କରିଥିଲେ । ଓ୍ବିଲ ଜାକ୍ସ ୨୨ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିଥିଲା । ହାଇଦ୍ରାବାଦ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏପରିକି ଦଳ ୩୫ ରନରେ ୫ଟି ଓ୍ବିକେଟ୍ ହରାଇଥିଲା ।
ତାରକା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍ ଖାତା ଖୋଲିପାରିନଥିଲେ । ତେବେ ହେନେରିକ କ୍ଲାସେନ ମୁମ୍ବାଇ ବୋଲରଙ୍କ ମୁକାବିଲା ଜାରିରଖି ମାତ୍ର ୪୪ ବଲରେ ୭୧ ରନ କରିଥିଲେ । ସେହିପରି ଅଭିନବ ମନୋହର ୪୩ ରନ କରିଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ମାତ୍ର ୧ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲଟ୍ ୪ଟି ଓ୍ବିକେଟ ନେଇଥିବାବେଳେ ଦିପକ ଚହର ୨ଟି ଓ୍ବିକେଟ ନେଇଥିଲେ ।