ପୁନେ: ଚେନ୍ନାଇ ସୁପର କିଙ୍ଗସ୍‌କୁ ୮ ଓ୍ଵିକେଟ୍‌ରେ ମୁମ୍ବାଇ ଇଣ୍ଡିଆନସ୍‌ ପରାସ୍ତ କରିଛି। ୧୭୦ ରନ୍‌ ବିଜୟ ଲକ୍ଷ ନେଇ ୨ୟ ପାଳିରେ ମୁମ୍ବାଇ ୧୯.୪ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଛି। ଓପନର ସୂର୍ଯ୍ୟକୁମାର ଯାଦବ(୪୭) ଓ ଇଭିନ୍‌ ଲୁଇସ୍‌(୪୪) ପ୍ରଥମ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ି ଥିଲେ। ଅଧିନାୟକ ରୋହିତ ଶର୍ମା ଅପରାଜିତ ୫୬ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ୍‌ କରିଥିଲେ।

Advertisment

ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ୧୧ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଚେନ୍ନାଇ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା। ଏଥିରେ ସୁରେଶ ରୈନାଙ୍କ ଅପରାଜିତ ୭୫ ରନ୍‌ ଓ ମହେନ୍ଦ୍ର ସିଂହ ଧୋନିଙ୍କ ୨୬ ରନ୍‌ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା।

ମୁମ୍ବାଇ ଇଣ୍ଡିଆନସ୍‌ର ବୋଲିଂ ପ୍ରଭାବ ଆରମ୍ଭରୁ ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟସ୍‌ମ୍ୟାନ୍‌ ସେନ୍‌ ଓ୍ଵାଟ୍‌ସନ୍‌ ଆୟୋଜକ ଟିମ୍‌କୁ ପ୍ରଥମ ଝଟକା ଦେଇଥିଲେ। କୃଣାଲ ପାଣ୍ଡ୍ୟାଙ୍କ ବଲକୁ ଓ୍ଵାଟ୍‌ସନ୍‌(୧୨), ମୟଙ୍କ ମାର୍କଣ୍ଡେୟଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ୧୨ ଓଭରରେ ଚେନ୍ନାଇକୁ ଦ୍ୱିତୀୟ ଝଟକା ଲାଗିଥିଲା। କୃଣାଳ ପାଣ୍ଡ୍ୟାଙ୍କ ବଲ ବେନ୍‌ କଟିଙ୍ଗଙ୍କୁ କ୍ୟାଚ୍‌ ଦେଇଥିଲେ ଅମ୍ବାତି ରାୟଡୁ(୪୬)। ସେ ୩୫ ଟି ବଲ ଖେଳି ୨ଟି ଚୌକା ଓ ୪ଟି ଛକା ମାରିଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ସୁରେଶ ରୈନାଙ୍କ ସହିତ ୭୧ ରନ୍‌ ଭାଗିଦାରି ହୋଇ ପାରିଥିଲେ।

ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଚେନ୍ନାଇ ସୁପର କିଙ୍ଗସ୍‌ ବ୍ୟାଟିଂ କରିଥିଲା।