ହାଇଦ୍ରାବାଦ: ଲଗାତାର ପରାଜୟ ବରଣ କରିବା ପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ମଙ୍ଗଳବାର ରୋହିତ ଶର୍ମାଙ୍କ ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ ହାଇଦ୍ରାବାଦରେ ୧୪ ରନ୍ରେ ହରାଇ ଦେଇଛି। ପଞ୍ଚମ ମ୍ୟାଚ୍ରୁ ମୁମ୍ବାଇ ତୃତୀୟ ବିଜୟ ପାଇ ଷଷ୍ଠ ସ୍ଥାନକୁ ଉଠିଛି। ହାଇଦ୍ରାବାଦ କିନ୍ତୁ ଲଗାତାର ବିଜୟ ପରେ ପରାଜୟ ବରଣ କରି ୪ ପଏଣ୍ଟରେ ସୀମିତ ରହିଛି।
୧୯୪ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ପାୱାର ପ୍ଲେ ୬ ଓଭରରେ ଘରୋଇ ଦଳ ୨ ୱିକେଟ୍ ହରାଇ ୪୨ ରନ୍ କରିଥିଲା। ଗତ ମ୍ୟାଚ୍ରେ ଶତକ ହାସଲ କରିଥିବା ହାରି ବ୍ରୁକ୍ ମାତ୍ର ୯ ରନ୍ କରିପାରିଥିଲେ। ବେହେରନଡର୍ଫଙ୍କ ବଲ୍ରେ ଟପ୍ ଏଜ୍ ସହ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ରାହୁଲ ତ୍ରିପାଠୀଙ୍କୁ ବେହେରନ୍ଡର୍ଫ ଦ୍ବିତୀୟ ଶିକାର କରିବା ପରେ ଗ୍ରିନ୍ ଅଧିନାୟକ ମାରକ୍ରମଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ହାଇଦ୍ରାବାଦ ୧୨୭/୫ରେ ସଂଘର୍ଷ କରୁଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୧୧୭.୦୭ ଷ୍ଟ୍ରାଇକ ରେଟରେ ଖେଳି (୪୧ ବଲ୍ରୁ ୪୮ ରନ୍) ଆଉଟ୍ ହୋଇଯିବା ଦଳର ଚିନ୍ତା ବଢ଼ାଇଥିଲା। ହେନରିକ କ୍ଲାସେଁ ଗୋଟିଏ ଓଭରରେ ପୀୟୂଷ ଚାୱାଲାଙ୍କୁ ଲଗାତାର ୪ ବାଉଣ୍ଡରି (୪,୬,୬,୪) ମାରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଶେଷ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିବା ବେଳେ ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ମାତ୍ର ୪ ରନ୍ ଦେଇ ଭୁବନେଶ୍ବର କୁମାରଙ୍କୁ ନିଜ ପ୍ରଥମ ଆଇପିଏଲ୍ ଶିକାର କରିବା ସହ ମ୍ୟାଚ୍ ଶେଷ କରିଥିଲେ।
ରୋହିତଙ୍କ ୬,୦୦୦ ରନ୍
କାମେରନ୍ ଗ୍ରିନ୍, ତିଳକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଆହ୍ବାନଭରା ୧୯୨ ରନ୍ର ସ୍କୋର୍ ଛିଡ଼ା କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପାଇଁ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ୪.୪ ଓଭରରେ ୪୧ ରନ୍ ଆଦାୟ କରିବା ପରେ ଅଲଗା ହୋଇଥିଲେ। ରୋହିତ (୧୮ ବଲ୍ରୁ ୨୮ ରନ୍, ୬ ଚୌକା)ଙ୍କୁ ନଟରାଜନ ଆଉଟ୍ କରି ପ୍ରଥମ ଝଟକା ଦେଇଥିଲେ। ଈଶାନ କିଶନ କିଛି ଆକର୍ଷଣୀୟ ସଟ୍ ଖେଳି ୩୧ ବଲ୍ରୁ ୩୮ ରନ୍ (୩ ଚୌକା, ୨ ଛକା) କରିବା ପରେ ମାର୍କୋ ଜାନସେନଙ୍କ ଶିକାର ହୋଇଥିଲେ। ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ କାମେରନ୍ ଗ୍ରିନ୍ ଏବଂ ଅନକ୍ୟାପ୍ଡ ତିଳକ ବର୍ମା କିନ୍ତୁ ବିଗିଡିଯାଉଥିବା ମୁମ୍ବାଇର ବ୍ୟାଟିଂ ଲୟକୁ ସମ୍ଭାଳିଥିଲେ। ଉଭୟ ଶେଷ ଭାଗରେ ବଢ଼ିଆ ବ୍ୟାଟିଂ କରିବାରୁ ମୁମ୍ବାଇ ଶେଷ ୬ ଓଭରରୁ ୮୯ ରନ୍ ଯୋଡ଼ିଥିଲା। ଗ୍ରିନ୍ ମାତ୍ର ୩୩ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୪୦ ବଲ୍ ଖେଳି ୬୪ ରନ୍ରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବର୍ମାଙ୍କ ୧୭ ବଲ୍ ୩୭ ରନ୍ ପାଳିକୁ ଭୁବନେଶ୍ବର କୁମାର ଶେଷ କରିଥିଲେ। ଭୁବି ଦୁଇଟି ଚମତ୍କାର ଓଭର ବୋଲିଂ କରିବା ସହ ୪-୦-୩୧-୧ ଚିତ୍ର ପାଇଥିଲେ। ୧୯ତମ ଓଭରରେ ଭୁବି ମାତ୍ର ୬ ରନ୍ ଦେବାରୁ ମୁମ୍ବାଇ ସମ୍ଭାବ୍ୟ ୨୦୦ ଅତିକ୍ରମ କରିପାରିନଥିଲା। ଏହା ପୂର୍ବରୁ ୧୮ତମ ଓଭରରେ କିନ୍ତୁ ନଟରାଜନଙ୍କଠାରୁ ଗ୍ରିନ୍ ୨୦ ରନ୍ ଆଦାୟ କରିବା ନିର୍ଣ୍ଣାୟକ ହୋଇଥିଲା। ମୁମ୍ବାଇ ପାଳି ଅବସରରେ ରୋହିତ ଶର୍ମା ଚତୁର୍ଥ ବ୍ୟାଟର୍ ଭାବେ ଆଇପିଏଲ୍ରେ ୬,୦୦୦ ରନ୍ ପୂରଣ କରିଥିଲେ। ଏବେ ରୋହିତ ୨୩୧ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ମୋଟ ରନ୍ ୬୦୧୪ରେ ପହଞ୍ଚିଛି। ବିରାଟ କୋହଲି (୬୮୪୪, ୨୨୮ ମ୍ୟାଚ୍), ଶିଖର ଧାୱନ (୬୪୭୭, ୨୧୦ ମ୍ୟାଚ୍), ଡେଭିଡ୍ ୱାର୍ଣ୍ଣର (୬୧୦୯, ୧୬୭ ରନ୍)ଙ୍କ କ୍ଲବ୍ରେ ରୋହିତ ସାମିଲ ହୋଇଛନ୍ତି।