ଆଇପିଏଲ୍‌: ମୁମ୍ବାଇକୁ ୩୬ ରନ୍‌ରେ ପରାସ୍ତ କଲା ଲକ୍ଷ୍ନୌ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୩୭ତମ ମ୍ୟାଚ୍‌ରେ ରବିବାର ମୁମ୍ବାଇକୁ ୩୬ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ । ଦ୍ବିତୀୟ ପାଳିରେ ଲକ୍ଷ୍ନୌ୧୬୯ ରନର ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକଟେ ହରାଇ ୧୩୨ ରନ୍‌ କରିପାରିଛି। ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୩୧ ବଲରେ ୩୯ ରନ୍‌ କରିଥିବା ବେଳେ ତିଲକ ଭର୍ମା ୨୭ ବଲରେ ୩୮ ରନ୍‌ କରିଥିଲେ । ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେଇଥିବା ବେଳେ ମୋହସିନ୍ ଖାନ୍, ଜାସନ୍ ହୋଲ୍ଡର୍, ରବି ବିଷ୍ନୋଇ, ଆୟୁଷ ବାଡୋନି ଗୋଟିଏ ଲେଖାଏଁ ୱିକେଟ ନେଇ ଲକ୍ଷ୍ନୌକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଲକ୍ଷ୍ନୌ ୧୦ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ମୁମ୍ବାଇ ଏହି ପରାଜୟ ସହ ଚଳିତ ସିଜିନ୍‌ରେ ଲଗାତର ୮ମ ପରାଜୟ ବରଣ କରି ଏକ ପ୍ରକାର ପ୍ଳେ ଅଫ ରେସ୍‌ରୁ ବାହାରି ଯାଇଛି ।

ପୂର୍ବରୁ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୬୮ ରନ୍‌ କରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଲକ୍ଷ୍ନୌ ପାଇଁ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ ଅପରାଜିତ ଶତକ ମାରିଥିଲେ। ରାହୁଲ ୬୨ଟି ବଲ୍‌ ଖେଳି ୧୨ଟି ଚୌକା ଓ ୪ଟି ଛକା ମାରିଥିଲେ। ସେ ପ୍ରଥମ ଓ୍ଵିକେଟ୍‌ରେ କ୍ୱିଣ୍ଟନ୍‌ ଡି’ କକ୍‌ଙ୍କ ସହିତ ୨୭ ରନ୍‌ର ଭାଗିଦାରୀ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟରେ ମନୀଷ ପାଣ୍ଡେଙ୍କ ସହିତ ୬୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଜଣକ ପରେ ଜଣେ ଖେଳାଳି ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯାଉଥିବା ବେଳେ ରାହୁଲ ପାଳି ଶେଷ ହେବା ପର୍ଯ୍ୟନ୍ତ କ୍ରିଜ୍‌ରେ ଛିଡ଼ା ହୋଇଥିଲେ।

ଲକ୍ଷ୍ନୌ ପାଇଁ ମନୀଷ ପାଣ୍ଡେ ବ୍ୟକ୍ତିଗତ ଭାବେ ୨୨ ରନ୍‌, ଆୟୁଷ ବଦୋନୀ ୧୪ ରନ୍‌, ଦୀପକ ହୁଡା ଓ ଡି’ କକ୍‌ ୧୦-୧୦ ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ରିଲେଇ ମେରିଦିନ୍‌ ଓ କିରନ ପୋଲାର୍ଡ ୨-୨ ଓ୍ଵିକେଟ୍‌ ନେଇଥିଲା ବେଳେ ଡାନିଏଲ୍‌ ସାମ୍‌ସ ଓ ଜସପ୍ରୀତ ବୁମରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର